ଜଗନ୍ନାଥଙ୍କ ଆଲୌକିକ କାହାଣୀ ବଖାଣେ ଦିଲ୍ଲୀର ଏହି ମନ୍ଦିର
Advertisement
Article Detail0/zeeodisha/odisha616221

ଜଗନ୍ନାଥଙ୍କ ଆଲୌକିକ କାହାଣୀ ବଖାଣେ ଦିଲ୍ଲୀର ଏହି ମନ୍ଦିର

ଯେହେତୁ ସେ ଜଗତର ନାଥ ଜଗନ୍ନାଥ ତେଣୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସମସ୍ତେ ଜଗନ୍ନାଥଙ୍କ ପ୍ରେମରେ ମଜିଯାଇଥାନ୍ତି ।

ଜଗନ୍ନାଥଙ୍କ ଆଲୌକିକ କାହାଣୀ ବଖାଣେ ଦିଲ୍ଲୀର ଏହି ମନ୍ଦିର

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ଜଗତର ନାଥ ଜଗନ୍ନାଥ । ମନ ଓ ଭାବନା ସହ ସେ ଜଡିତ । ଓଡ଼ିଶାବାସୀଙ୍କ ପାଇଁ ବଡ଼ ଠାକୁର କିନ୍ତୁ ସେ କେବଳ ଓଡ଼ିଆଙ୍କର କି ଓଡ଼ିଶାର ନୁହଁନ୍ତି, ସେ ସାରା ଜଗତର । ଦେଶ ହେଉ ଅବା ବିଦେଶ ସବୁଠି ସେ ଅଛନ୍ତି । ଏଇ ଯେମିତି ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ହୌଜ୍‌ ଖାସ୍‌ ଠାରେ ରହିଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର ଯାହା ଶ୍ରୀ ନିଳାଚଳ ଧାମରେ ପରିଚିତ । ମହାପ୍ରଭୁ ଓଡ଼ିଶାର ପୁରୀରେ ଅବସ୍ଥାନ କରନ୍ତି ସତ, କିନ୍ତୁ ସେ ପ୍ରବାସରେ ମଧ୍ୟ ପୂଜା ପାଆନ୍ତି ।

fallbackସାଧାରଣତଃ ଦିଲ୍ଲୀ କଥା ଉଠିଲେ ଲୋକଙ୍କ ମନକୁ ପ୍ରଥମେ ଆସେ ଟ୍ରାଫିକ, ଲୋକ ଗହଳି ଏବଂ କର୍ମଜିବୀ ଲୋକଙ୍କ ପାଇଁ ବ୍ୟସ୍ତବହୁଳ ଜାଗା । ଏ ସବୁ ଭିତରେ ମଣିଷ ଚାହେଁ ଟିକେ ମାନସିକ ଶାନ୍ତି । ନୂଆଦିଲ୍ଲୀ ସ୍ଥିତ ହୌଜ୍‌ ଖାସ୍‌ ଠାରେ ରହିଛି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ୧୯୬୮ ମସିହା ଜାନୁଆରୀ ୧୫ ତାରିଖରେ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା ଫେବୃଆରୀ ୫, ୧୯୬୮ରେ । ରାଜଧାନୀ ଦିଲ୍ଲୀରେ ଜଗନ୍ନାଥ ମନ୍ଦିର ନିର୍ମାଣ ପଛର କାହାଣୀ ମଧ୍ୟ ଅତି ରୋମାଞ୍ଚକର । ଜି ଓଡିଶା ପ୍ରତିନିଧିଙ୍କ ଆଗରେ ମନ୍ଦିର ନିର୍ମାଣର ରୋମାଞ୍ଚକର ପେଡ଼ି ଖୋଲିଥିଲେ ବର୍ତ୍ତମାନର ମନ୍ଦିର ପରିଚାଳକ ରବି ପ୍ରଧାନ ।
ଓଡ଼ିଶାର ମାଣପୁରରୁ ଚାରି ପାଞ୍ଚଜଣ ଲୋକ କୌଣସି ଏକ କାମ ପାଇଁ ଦିଲ୍ଲୀ ଯାଇଥିଲେ । ଆଉ ସେମାନଙ୍କ ସହିତ ଘଟିଥିଲା କିଛି ଅଘଟଣ । ସେମାନଙ୍କର ସମସ୍ତ ଜିନିଷ ପତ୍ର ଚୋରି କରି ନେଇଥିଲେ କିଛି ଦୁର୍ବୁତ୍ତ, କିନ୍ତୁ ଚୋରି କରି ପାରିନଥିଲେ ସେମାନଙ୍କ ପାଖରେ ଥିବା ତ୍ରିମୁର୍ତ୍ତିକୁ । ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିଲା କି, ସବୁ ଚୋରି ହୋଇଯାଇଛି । ଏବେ ସେମାନେ କଣ ଖାଇବେ, କେଉଁଠି ରହିବେ ଆଉ ଖାସ କଥା ହେଉଛି କି ସେମାନେ ଓଡ଼ିଶା କିଭଳି ଫେରିବେ । କାରଣ ସେମାନଙ୍କ ପାଖରେ କାଣି କଉଡ଼ି ଟିଏ ବି ନଥିଲା । କେବଳ ସେମାନଙ୍କ ପାଖରେ ରହିଯାଇଥିଲା ସେମାନେ ପିନ୍ଧିଥିବା ବସ୍ତ୍ର , ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ପ୍ରତିମୁର୍ତ୍ତି । କିନ୍ତୁ ଜଗା କାଳିଆର ଲୀଳା ଥିଲା କିଛି ଭିନ୍ନ । ବୋଧ ହୁଏ ପ୍ରବାସରେ ରହିବା ପାଇଁ ଏହା ଥିଲା ତାଙ୍କର ଏକ ଲୀଳା । ସେହି ସମୟରେ ସେମାନଙ୍କ ସହିତ ଭେଟ ହୁଅନ୍ତି ଜଣେ ହୃଦୟବାନ ଓ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ଯାହାଙ୍କର ନାମ ହେଉଛି ଦୁର୍ଯ୍ୟୋଧନ ପ୍ରଧାନ । ତାଙ୍କୁ ମୁର୍ତ୍ତି ବିକ୍ରି କରି କିଛି ପଇସା ନେଇ ଘରକୁ ଫେରିବାକୁ ଚାହିଁଥିଲେ ମାଣପୁର ବାସୀ । କିନ୍ତୁ ଦୁର୍ଯ୍ୟୋଧନ ପ୍ରଧାନ ସେମାନଙ୍କୁ କହିଥିଲେ , ମୁଁ ଆପଣମାନଙ୍କୁ ପଇସା ଦେବି ସତ, କିନ୍ତୁ ମୁର୍ତ୍ତି କିଣିପାରିବିନି । ମୁଁ  ଆପଣମାନଙ୍କୁ ଓଡ଼ିଶା ଫେରିଯିବା ପାଇଁ କିଛି ପଇସା ଦେବା ସହ,ସମସ୍ତ ବ୍ୟବସ୍ଥା କରିଦେବି । ଆଉ ମୁର୍ତ୍ତି ଆପଣମାନେ ସାଥିରେ ନେଇଯାଆନ୍ତୁ । କିନ୍ତୁ ବୋଧହୁଏ ଜଗାର ଲୀଳା ଆଉ ଇଚ୍ଛା ଥିଲା କିଛି ଭିନ୍ନ । ବୋଧହୁଏ ଜଗନ୍ନାଥ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ପ୍ରବାସରେ ରହିବା ସହିତ ତାଙ୍କର ଆତ୍ମା ପରିବ୍ୟାପ୍ତ କରିବାପାଇଁ ଚାହୁଁଥିଲେ । କିନ୍ତୁ ମାଣପୁରରୁ ଯାଇଥିବା ଲୋକେ ସେହି ହୃଦୟବାନ ବ୍ୟକ୍ତିଙ୍କୁ ଦାନ କରିଦେଇ ଆସିଥିଲେ ତ୍ରିମୁର୍ତ୍ତି । ଆଉ ତା ପରେ ଦୁର୍ଯ୍ୟଧନ ପ୍ରଧାନ ଲାଗିପଡ଼ିଥିଲେ କିଭଳି ଜଗା କାଳିଆଙ୍କ ପାଇଁ ଏକ ମନ୍ଦିର ନିର୍ମାଣ ହେବ ।

କଳାହାଣ୍ଡିର ମହାରାଜା ଭ୍ରମରବର ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରବାସୀ ଓଡ଼ିଆ ସଂଘର ମିଳିତ ଉଦ୍ୟମରେ ନିର୍ମାଣ ହେଲା ଦିଲ୍ଲୀ ହୌଜ୍‌ ଖାସ୍‌ ସ୍ଥିତ ଜଗନ୍ନାଥ ମନ୍ଦିର । ଏଥି ପାଇଁ ତତକାଳୀନ କେନ୍ଦ୍ରସରକାର ମଧ୍ୟ ଅନୁମତି ଦେଇଥିଲେ ।

fallbackଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିର ଶ୍ରୀ ନୀଳାଚଳ ଧାମରେ ପରିଚିତ । ପ୍ରବାସରେ ମଧ୍ୟ ପୂଜା ପାଉଛନ୍ତି ପ୍ରଭୁ ଜଗନ୍ନାଥ, ଭଳଭଦ୍ର ମା ସୁଭଦ୍ରା । ଏହାଛଡ଼ା ମନ୍ଦିର ଚତୁର୍ପାଶ୍ୱରେ ପାର୍ଶ୍ୱ ଦେବା ଦେବୀ  ମଧ୍ୟ ପୂଜା ପାଉଛନ୍ତି । ମନ୍ଦିରକୁ ପ୍ରବେଶ କଲେ ଅରୁଣସ୍ତମ୍ଭର ଦୁଇ ପାର୍ଶ୍ୱରେ ଗୋଟିଏ ପଟେ ପ୍ରଭୁ ଶିବ ଶଙ୍କର ଓ ଅନ୍ୟପଟେ ପ୍ରଭୁ ଗଜାନନ ରହିଛନ୍ତି । ଚତୁର୍ପାଶ୍ୱରେ ମା ଲକ୍ଷ୍ମୀ, ମା ବିମଳା, ମା ତାରିଣୀ ମଧ୍ୟ ପୂଜା ପାଉଛନ୍ତି । ମନ୍ଦିରର କାନ୍ଥରେ ଓଡ଼ିଶାର କଳା ସଂସ୍କୃତିର କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ । ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି  ଅନୁଯାୟୀ ଏଠାରେ ପୁଜାର୍ଚ୍ଚନା କରାଯାଇଥାଏ । ଏଠାରେ ମଧ୍ୟ ଜଗନ୍ନାଥଙ୍କୁ ତୁଳସୀମାଳ ଓ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିଥାନ୍ତି ଭକ୍ତ । ଶୀତ ସମୟରେ ସକାଳ ୬ଟାରୁ ମଧ୍ୟାନ୍ନ ୧ ଟା ଏବଂ ଅପରାହ୍ନ ୪ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିଥାଏ । ସେହିଭଳି ଅନ୍ୟ ଦିନ ମାନଙ୍କରେ ସକାଳ ୫ଟାରୁ ଦ୍ୱାର ଫିଟା ଯାଇ  ପୂଜାର୍ଚ୍ଚନା ପରେ ମଧ୍ୟାନ୍ନ ୧୨.୩୦ ପର୍ଯ୍ୟନ୍ତ ଖୋଲା ରହିଥାଏ ମନ୍ଦିର । ପୁଣି ଅପରାହ୍ନ ଚାରିଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିଥାଏ । ରୀତିନୀତି ଅନୁଯାଇ ଜଗା କାଳିଆ ଓ ତାଙ୍କ ଭାଇ ଭଉଣୀଙ୍କର ବିଭିନ୍ନ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏଠାରେ ମଧ୍ୟ ଦିନରେ ଦୁଇଥର ମହାପ୍ରସାଦ ଭୋଗ ଲାଗି କରାଯାଏ । ପ୍ରାୟତଃ ମାସକୁ ପାଖାପାଖି ୨୬ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ । ଯେଉଁମାନେ ଜଗନ୍ନାଥ ପ୍ରେମୀ ସେମାନେ ଏଠାରେ ଜଗନ୍ନାଥ ଦର୍ଶନ କରି ସମାନ ଅନୁଭବ ବା ଆତ୍ମତୃପ୍ତି ପାଇଥାନ୍ତି, ଯାହା ଶ୍ରୀମନ୍ଦିରରେ ଅନୁଭବ ହୋଇଥାଏ । ଦିଲ୍ଲୀ ହୌଜ୍‌ ଖାସ୍‌ ସ୍ଥିତ ଶ୍ରୀ ନିଳାଚଳ ଧାମରେ ଜଗନ୍ନାଥ ପଞ୍ଜିକା ଅନୁଯାଇ ପୁଜାର୍ଚ୍ଚନା କରାଯାଇଥାଏ । ପ୍ରତ୍ୟକ ଦିନ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସମସ୍ତେ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି  । ନବବର୍ଷ, ସରସ୍ୱତୀ ପୂଜା, ପଣା ସଂଙ୍କ୍ରାନ୍ତି, ସାବିତ୍ରୀ ବ୍ରତ, କୃଷ୍ଣ ଜନ୍ମାଷ୍ଟମୀ, କାର୍ତ୍ତିକ ପୂର୍ଣ୍ଣିମା ଭଳି ଦିନ ମାନଙ୍କରେ ମନ୍ଦିରରେ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥଏ । ଗତ ଦୁଇ ବର୍ଷ ହେଲା ଭାଦ୍ରବ ମାସରେ ଖୁଦରୁକୁଣି ପୁଜା ମଧ୍ୟ ଅନୁଷ୍ଠିତ ହେଉଛି । ଏହା ସହିତ ଓଡ଼ିଶାର ପର୍ବ ପର୍ବାଣୀ ଅନୁଯାଇ ପୂଜା ପାଠ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ସମ୍ପୂର୍ଣ୍ଣ  ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ବର୍ଷ ପୁରୀ ଭଳି ସମାନ ଢଙ୍ଗରେ ମଧ୍ୟ ରଥାଯାତ୍ରା ଅନୁଷ୍ଠିତ ହୋଇଥାଏ ।

fallbackରଥାଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ପରିଲିକ୍ଷିତ ହୋଇଥାଏ । ଯେହେତୁ ସେ ଜଗତର ନାଥ ଜଗନ୍ନାଥ ତେଣୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସମସ୍ତେ ଜଗନ୍ନାଥଙ୍କ ପ୍ରେମରେ ମଜିଯାଇଥାନ୍ତି । ମନ୍ଦିର ପାଖରେ ରହିଛି ଏକ ଭୋଗ ଦୋକାନ । ପୂଜା ସାମଗ୍ରୀ ସହିତ, ସେଠାରେ ଓଡ଼ିଶାର ଛେନା ପୋଡ଼ ଓ ରସଗୋଲା ମଧ୍ୟ ମିଳିଥାଏ । ପ୍ରବାସୀ ଓଡ଼ିଆ ଓ ସ୍ଥାନୀୟ  ଲୋକ ମନ୍ଦିରକୁ ପୁଜାର୍ଚ୍ଚନା ବା ଜଗନ୍ନାଥଙ୍କୁ ଦର୍ଶନ ପାଇ ଆସିଥାନ୍ତି । ଭାବର ଠାକୁର ସିଏ, ତେଣୁ ଯିଏ ତାଙ୍କ ଭାବରେ ବନ୍ଧା ସେ ଆପେ ଆପେ ଟାଣି ହୋଇ ଆସେ ଏହି ପବିତ୍ର ଧାମକୁ ।