ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି କି ? ତେବେ ଡାଏଲ କରନ୍ତୁ ୧୦୪

୧୦୪ରେ ଆରମ୍ଭ ହେଲା ଇନକମିଂ ସେବା

 ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି କି ? ତେବେ ଡାଏଲ କରନ୍ତୁ ୧୦୪
ସୌଜନ୍ୟ: ସୋସିଆଲ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସ୍ୱାସ୍ଥ୍ୟ ସୂଚନାର ଗୋଟିଏ ଠିକଣା-୧୦୪ ଟୋଲ ଫ୍ରି ନମ୍ବର । ୧୦୪ରେ ଆରମ୍ଭ ହେଲା ଇନକମିଂ ସେବା । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଓ ସୁବିଧା ଜନିତ ତଥ୍ୟ ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନରେ ସହଜରେ ପାଇପାରିବେ । ପ୍ରଚଳିତ ପ୍ରଜନନ, ମାତୃ, ଶିଶୁ ଓ କିଶୋରୀ ସ୍ୱାସ୍ଥ୍ୟ ସହ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ନିରୋଗ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ପାଖରେ ଥିବା ସରକାରୀ ଡାକ୍ତରଖାନା, ରକ୍ତ ଭଣ୍ଡାର, ଔଷଧ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଏଥିରେ ଅନ୍ତର୍ଭୁକ୍ତ ଡାକ୍ତରଖାନାରେ ମିଳୁଥିବା ସେବା ସଂପର୍କରେ ସୂଚନା ସମେତ ପରିବାର ନିୟୋଜନ, ଏଡସ୍, ଖାଦ୍ୟ ଏବଂ ପୋଷଣ, ଆଶୁ ଚିକିସ୍ତ୍ରା, ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସେବା ଜନିତ ସମସ୍ତ ତଥ୍ୟ ଗୋଟିଏ ନମ୍ବର ୧୦୪କୁ ଯୋଗାଯୋଗ କରି ଜାଣିପାରିବେ । କେବଳ ତଥ୍ୟ ନୁହେଁ ଅଭିଜ୍ଞ MBBS ଡାକ୍ତରଙ୍କ ସହ ସିଧାସଳଖ କଥା ହୋଇ ପରାମର୍ଶ ମଧ୍ୟ ନେଇପାରିବେ ।

ରାଜ୍ୟରେ ୨୦୧୫ ମସିହାରୁ ପ୍ରଚଳିତ ଏହି ୧୦୪ ସ୍ୱାସ୍ଥ୍ୟ ସାହାଯ୍ୟ ସେବା କେବଳ ଦୈନିକ ନିର୍ଦ୍ଧାରିତ ସଂଖ୍ୟକ ରୋଗୀଙ୍କୁ କଲ୍ କରି ନବଜାତ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରାଯାଉଥିଲା । ଏହାସହ ପଞ୍ଜିକୃତ ପ୍ରସୂତିଙ୍କୁ ପୂର୍ବ ଓ ପରବର୍ତ୍ତୀ ଏବଂ ନବଜାତ ଶିଶୁର ଯତ୍ନ ଓ ଟୀକାକରଣ ସଂପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଉଥିଲା । ଏବେ ରୋଗୀମାନଙ୍କ ସହ ସିଧାସଳଖ ଯୋଡି ହୋଇ ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ସମାଧାନ ଦିଗରେ ପରାମର୍ଶ ଦେବେ । ସ୍ୱାସ୍ଥ୍ୟ ସେବା ସହାୟତାକୁ ଅଧିକ ଲୋକାଭିମୁଖୀ ଓ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ନମ୍ବରରେ ଇନକମିଂ କଲର ସୁବିଧା ଆରମ୍ଭ ହୋଇଥିବା ଏହାର ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି । 

ତେବେ ବର୍ତ୍ତମାନ ତୁରନ୍ତ ଆମ୍ବୁଲାନ୍ସ ସେବା ଓ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ଟୋଲଫ୍ରି ନମ୍ବର ୧୦୮ ଓ ୧୦୨ ଜାରି ରହିଥିବା ବେଳେ ଏବେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସୂଚନା ଓ ପରାମର୍ଶ ପାଇଁ ଏହି ଦେୟମୁକ୍ତ ନମ୍ବର ଜାରି ହୋଇଛି । ଯାହା 24*7 କାର୍ଯ୍ୟକ୍ଷମ ହେବା ସହ ପ୍ରତି ଦିନ ସକାଳ ୯ଟାରୁ ୫ ଟା ପର୍ଯ୍ୟନ୍ତ MBBS ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ରୋଗୀ । ତେବେ ଏହି ସେବା ବିଶେଷ କରି ଗରିବ, ଉପାନ୍ତ ଓ ଅପହଂଚ ଇଲାକର ବ୍ୟକ୍ତି ଉଚିତ୍ ସ୍ୱାସ୍ଥ୍ୟ ସେବା ସଂପର୍କରେ ଅବଗତ ହେବେ ବୋଲି ଆଶା ପୋଷଣ କରାଯାଇଛି ।