ଏଚଡ଼ିଏଫସି କମ୍ପାନୀ ଯୋଗାଇବ ସହାୟତା

ଷ୍ଟାର୍ଟଅପ କମ୍ପାନୀକୁ ପ୍ରୋତ୍ସାହିତ ପାଇଁ ନବୀନ ସରକାରଙ୍କ ଯୋଜନା...

ଏଚଡ଼ିଏଫସି କମ୍ପାନୀ ଯୋଗାଇବ ସହାୟତା

ଯଯାତି ମହାନ୍ତି, ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟ-ଅପ୍ ଉଦ୍ୟୋଗୀମାନଙ୍କୁ ସ୍ମାର୍ଟ ବ୍ୟାଙ୍କିଙ୍ଗ ଯୋଗାଇବ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ । ଷ୍ଟାର୍ଟ-ଅପ୍‌କୁ ବ୍ୟାଙ୍କିଙ୍ଗ ସହାୟତା ଯୋଗାଇବା ସହ କାର୍ଯ୍ୟ ପରିସର, ଡ଼ିଜିଟାଲ ମାର୍କେଟିଙ୍ଗ, ଟିକସ ଓ ଆଇନଗତ ପରାମର୍ଶ, ବିତ ପରିଚାଳନା ସହ ଅନ୍ୟ କ୍ଷେତ୍ରରେ ସହଯୋଗ କରିବ ଏଚ୍‌ଡ଼ିଏଫ୍‌ସି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ଏଚ୍‌ଡ଼ିଏଫ୍‌ସି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୨୦୨୦ ଶେଷ ସୁଦ୍ଧା ୧ହଜାର ଷ୍ଟାର୍ଟ-ଅପ୍ ଉଦ୍ୟୋଗୀମାନଙ୍କୁ ସହାୟତା ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ରାଜ୍ୟର ସମସ୍ତ ୪୯ଗୋଟି ସରକାରୀ ଆଇଟିଆଇର ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବିକା କୌଶଳ କ୍ଷେତ୍ରରେ ମଧ୍ୟ ସହଯୋଗ କରିବ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ।

ସାରା ଦେଶରେ ଓଡ଼ିଶା ଷ୍ଟାର୍ଟ-ଅପ୍ ଦ୍ରୁତ ଗତିରେ ବଢୁଛି । ଷ୍ଟାର୍ଟ-ଅପ୍ ପାଇଁ ଏକ ସହାୟକ ସିଷ୍ଟମ ସୃଷ୍ଟି କରିବା ନିମନ୍ତେ ଅଧିକରୁ ଅଧିକ ଭାଗିଦାରୀମାନଙ୍କୁ ସାମିଲ କରାଯାଉଛି । ଆଜି ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ସହ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଖାରବେଳ ଭବନରେ ଏହି ଚୁକ୍ତିନାମ ସ୍ୱାକ୍ଷରିତ ହୋଇଛି । ଚୁକ୍ତିନାମା ବଳରେ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଓଡ଼ିଶାର ଷ୍ଟାର୍ଟ-ଅପ୍ ଉଦ୍ୟୋଗୀମାନଙ୍କୁ ସବୁ ପ୍ରକାର ସହଯୋଗ କରିବ । ଆର୍ଥୀକ ପରିଚାଳନା ଠାରୁ ଆରମ୍ଭ କରି ଋଣ ଦେବା ପର୍ଯ୍ୟନ୍ତ, ବୈଷୟିକ ଜ୍ଞାନ କୌଲ ଠାରୁ ଆରମ୍ଭ କରି ଡ଼ିଜିଟାଲ ମାର୍କେଟିଙ୍ଗ ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ସହଯୋଗର ହାତ ବଢାଇବ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ । ବ୍ୟାଙ୍କ ତରଫରୁ କିଟ୍ ଟିବିଆଇ, ଯେଉଁଠି ପ୍ରାୟ ୮୦ ଷ୍ଟାର୍ଟ-ଅପ୍ ଉଦ୍ୟୋଗୀ କାମ କରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ୧କୋଟି ଟଙ୍କାର ଚେକ୍ ପ୍ରଦାନ କରିଛି ।

ଇଂଜିନିୟରିଙ୍ଗ, ଫେସନ୍ ଡ଼ିଜାଇନିଂ ପାଠ ପଢି ମେଧାବୀ ଛାତ୍ରଛାତ୍ରୀମାନେ ଏବେ ଉଦ୍ୟୋଗୀ ଭାବେ ଉଭା ହୋଇଛନ୍ତି । ନୂଆ ନୂଆ ତରିକାରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ନିଜେ ବଂଚିବା ସହ ଅନ୍ୟମାନଙ୍କୁ ବଂଚିବାର ରାହା ଦେଖାଉଛନ୍ତି ଷ୍ଟାର୍ଟ-ଅପ୍ ଉଦ୍ୟୋଗୀମାନେ । ଏମାନଙ୍କୁ ଆଗକୁ ବଢିବାରେ ପ୍ରତିବନ୍ଧକ ସାଜୁଥିଲା, କ୍ରେଡ଼ିଟ ସୁବିଧା, ମାର୍କେଟିଂ ଲକ୍ଟଙ୍କକ୍ସ ଓ ଟେକ୍‌ନିକ୍ । ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ପରେ ଏହି ସବୁ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରିଛନ୍ତି ଯୁବ ଉଦ୍ୟେଗୀମାନେ । ୨୦୨୦ରେ ହଜାରେ ଷ୍ଟାର୍ଟ-ଅପ୍‌କୁ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛି ବିଭାଗ । ଏବେ ସୁଦ୍ଧା ପ୍ରାୟ ୫୭୨ ଜଣ ପଂଜୀକରଣ କରିସାରିଲେଣି ।

ଚୁକ୍ତିନାମା ସ୍ୱାକ୍ଷରିତ ଉତ୍ସବରେ ଦକ୍ଷତା ବିକାଶ କର୍ତୁପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଅନ୍ୟ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ ।