Trending Photos
)
ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟାରେ ଦେଶରେ କୋରୋନା ସ୍ଥିତି ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଉପସ୍ଥାପନ କରିଛି। ଏହା ସହିତ କୋରୋନା ମୁକାବିଲା ନେଇ କେରଳର ରଣନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଓଡ଼ିଶାକୁ ପ୍ରଶଂସା କରିଥିବା ଜଣାପଡ଼ିଛି।
ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି କି, ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୫୫୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ସଂଖ୍ୟାକୁ ଦେଖିଲେ ଦେଶରେ ଦ୍ରୁତ ଗତିରେ କୋରୋନା ବ୍ୟାପିବାରେ ଲାଗିଛି। ଏହା ସହିତ ମୋଟ ୩୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ନୂଆ ମାମଲା ସହିତ ଦେଶରେ ମୋଟ ୧୭୨୬୫ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ବୋଲି ସେ କହିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୨୫୪୬ ଜଣ କୋରୋନାରୁ ସୁସ୍ଥ ହୋଇଥିବା ସୂଚନା ରହିଛି। ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୧୪।୭୫ ପ୍ରତିଶତ ବୋଲି ସେ ସୂଚନା ଦେଇଥିଲେ।
ଏକ ଭଲ ଖବରର ସୂଚନା ଦେଇ ସେ କହିଥିଲେ କି, ଦେଶର ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୯ଟି ଜିଲ୍ଲା ବର୍ତ୍ତମାନ ସୁଦ୍ଧା କୋରୋନା ମୁକ୍ତ ରହିଛି। ବିଗତ ୧୪ ଦିନ ମଧ୍ୟରେ କୋରୋନାର କୌଣସି ମାମଲା ଏହି ଜିଲ୍ଲାରୁ ସାମ୍ନାକୁ ଆସିନାହିଁ। ସେହିପରି ପୁଡ଼ୁଚେରୀର ମାହେ, କର୍ଣ୍ଣାଟକର କୋଡ଼ାଗୁ ଓ ଉତ୍ତରାଖଣ୍ଡର ପୌଡି ଗଢଓ୍ୱାଲ ଜିଲ୍ଲାରେ ବିଗତ ୨୮ ଦିନରୁ କୌଣସି ମାମଲା ସାମ୍ନାକୁ ଆସିପାରିନାହିଁ ବୋଲି ସୂଚନା ଦେଇଥିଲେ। ସେହିପରି ପୁରା ଦେଶରେ ଲକଡାଉନ ସ୍ଥିତିକୁ ନେଇ ମଧ୍ୟ ସୂଚନା ଦେଇଥିଲେ।
ସେ କହିଥିଲେ କି, କେରଳରେ ଲକଡାଉନକୁ ହାଲୁକା ଭାବେ ଗ୍ରହଣ କରାଯାଇଛି। ଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେରଳରେ ବସ, ଦୁଇ ଚକିଆ ଯାନ ତଥା ହୋଟେଲ ମାନ ଖୋଲା ରହିଛି ବୋଲି ସେ ସୂଚନା ଦେଇଥିଲେ। ସେପଟେ ଏହି ସମାଲୋଚନା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟରେ ଦୁଇଚକିଆ, ହୋଟେଲ, ବସ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି।