ବାଣୀବିହାରରେ ୪ ଘଣ୍ଟାର ହାଇ ଭୋଲଟେଜ ଡ୍ରାମା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗାଁର ସୁବୋଧ ପୋଷ୍ଟାଲ ବିଭାଗରେ ଚାକିରି କରୁଥିଲେ । କୌଣସି କାରଣରୁ ତାଙ୍କୁ ବାହାର କରିଦିଆଯାଇଥିଲା । ଯେଉଁଥି ପାଇଁ ମାନସିକ ଭାରସାମ୍ୟ ହରାଇ ସେ ଏଭଳି କରିଥିଲେ ବୋଲି ଅନୁମାନ କରାଯାଉଛି । 

ବାଣୀବିହାରରେ ୪ ଘଣ୍ଟାର ହାଇ ଭୋଲଟେଜ ଡ୍ରାମା
ଫାଇଲ ଫଟୋ

ଭୁବନେଶ୍ୱର, ସରୋଜ ବେହେରା: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଆତ୍ମହତ୍ୟାର ଧମକ ଦେଉଥିବା ଯୁବକ ସୁବୋଧ କୁମାର ବାରିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି । ପ୍ରାୟ ୪ ଘଣ୍ଟାର ରେସକ୍ୟୁ ଅପରେଶନ ପରେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ ଅଧିକାରୀ । ଚାକିରି ଗଲା ପରେ ସେ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଥିବା ଆଲୋଚନା ହେଉଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗାଁର ସୁବୋଧ ପୋଷ୍ଟାଲ ବିଭାଗରେ ଚାକିରି କରୁଥିଲେ । କୌଣସି କାରଣରୁ ତାଙ୍କୁ ବାହାର କରିଦିଆଯାଇଥିଲା । ଯେଉଁଥି ପାଇଁ ମାନସିକ ଭାରସାମ୍ୟ ହରାଇ ସେ ଏଭଳି କରିଥିଲେ ବୋଲି ଅନୁମାନ କରାଯାଉଛି । କିଛି ଦିନ ତଳେ ଭୁବନେଶ୍ୱରରେ ରହୁଥିବା ତାଙ୍କ ମାଉସୀଙ୍କ ଘରକୁ ସେ ଆସିଥିଲେ । ଏଠାରେ ରହି ପୋଷ୍ଟାଲ୍‌ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଭେଟିବାକୁ ଯାଉଥିଲେ । ମାତ୍ର ତାଙ୍କୁ ସବୁ ଆଡୁ ନିରାଶା ହାତକୁ ଲାଗିଥିଲା । ଯେଉଁଥିପାଇଁ ସେ ମାନସିକ ଭାରସାମ୍ୟ ହରାଇଥିବା ପରିବାର ଲୋକେ କହିଛନ୍ତି ।

ବିଗତ ମାସରେ ସେ ମାଉସୀଙ୍କ ଘରୁ ନିଖୋଜ ହୋଇଯାଇଥିଲେ । ପରିବାର ଓ ବନ୍ଧୁ ବାନ୍ଧବ ସବୁଆଡ଼େ ଖୋଜିଥିଲେ ମଧ୍ୟ ପାଇ ନଥିଲେ । ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାତ୍ର ସୁବୋଧଙ୍କ କୌଣସି ପତ୍ତା ମିଳିନଥିଲା ।

ଆଜି ସୁବୋଧଙ୍କୁ ପରିଜା ଲାଇବ୍ରେରୀ ଛାତ ଉପରେ ଦେଖିବାକୁ ମିଳିଥିଲେ । ସେ ଛାତ ଉପରେ ଆତ୍ମହତ୍ୟା କରିବାର ଧମକ ଦେଉଥିଲେ । ଚାକିରି ଦେଲେ ତଳକୁ ଓହ୍ଲାଇବି ବୋଲି ଧମକ ଦେଉଥିଲେ । ଏହା ଦେଖିବା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଲୋକଙ୍କ ଭିଡ଼ ବଢ଼ିଥିଲା ।

ଖବର ପାଇ କମିଶନରେଟ୍‌ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟର ଅପରେଶନ୍‌ ପରେ ତାଙ୍କୁ ଛାତ ଉପରୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସୁବୋଧ କିଭଳି ଏତେ ଉଚ୍ଚକୁ ଚଢିଲେ ତାହା ୟୁନିଭର୍ସିଟି କର୍ତ୍ତୃପକ୍ଷ ମଧ୍ୟ ଜାଣି ପାରୁନାହାନ୍ତି । କୁହାଯାଉଛି ସେ ୭୫ତମ ଜୟନ୍ତି ପାଇଁ କାମ ଚାଲିଥିବା ବେଳେ ସୁବୋଧ କାଳେ ରାତିରୁ ଛାତ ଉପରକୁ ଚାଲି ଯାଇଥିବେ ।