ବାଲେଶ୍ୱରରେ ବ୍ୟାପୁଛି HIV!

ଜିଲ୍ଲାର ୯୬୭ ଜଣ ପଞ୍ଜିକୃତ ଥାଲେସେମିଆ ରୋଗୀ ଜିଲ୍ଲା ଚିକିତ୍ସାଳୟରୁ ରକ୍ତ ନେବାକୁ ଆସିଥାନ୍ତି । ତେବେ ଅଭିଯୋଗ ହେଉଛି ରକ୍ତ ନେବା ସମୟରେ ଭେନରେ ବ୍ଲକେଜ୍ ନହେବା ପାଇଁ ମିନେରାଲ ୱାଟର ବ୍ୟବହାର ହୋଇଥାଏ । ମାତ୍ର ଗୋଟିଏ ବୋତଲ ପାଣିରେ ଏକାଧିକ ସିରିଞ୍ଜ ବ୍ୟବହାର ହେଉଥିବାରୁ ଏବେ ଏକାଧିକ ପିଲାଙ୍କ ମଧ୍ୟରେ ଏଚଆଇଭି ଭୂତାଣୁ ଥିବା ଜଣାପଡ଼ିଛି ।  

ବାଲେଶ୍ୱରରେ ବ୍ୟାପୁଛି HIV!

ବାଲେଶ୍ୱର: ଜିଲ୍ଲାର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ନାଁରେ ଆସିଛି ସାଂଘାତିକ ଅଭିଯୋଗ । କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଥାଲେସେମିଆ ଶିଶୁଙ୍କ ମଧ୍ୟରେ ବ୍ୟାପୁଛି HIV ଭୂତାଣୁ । ବାପାମାଙ୍କ ଏଚଆଇଭି ନ ଥିବାବେଳେ ଶିଶୁଙ୍କ ମଧ୍ୟରେ ବାହାରୁଛି ଏଚଆଇଭି ପୋଜିଟିଭ । ଉତ୍ତର ଓଡ଼ିଶାର ସର୍ବବୃହତ ହସ୍ପିଟାଲ ଓ ମେଡିକାଲ କଲେଜ ଫକୀର ମୋହନ ମେଡିକାଲ କଲେଜ । ହେଲେ ମେଡିକାଲ ନାଁରେ ଏକ ସଙ୍ଗିନ ଅଭିଯୋଗ ଆସିଛି, ଯାହାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ।

ଜିଲ୍ଲାର ୯୬୭ ଜଣ ପଞ୍ଜିକୃତ ଥାଲେସେମିଆ ରୋଗୀ ଜିଲ୍ଲା ଚିକିତ୍ସାଳୟରୁ ରକ୍ତ ନେବାକୁ ଆସିଥାନ୍ତି । ତେବେ ଅଭିଯୋଗ ହେଉଛି ରକ୍ତ ନେବା ସମୟରେ ଭେନରେ ବ୍ଲକେଜ୍ ନହେବା ପାଇଁ ମିନେରାଲ ୱାଟର ବ୍ୟବହାର ହୋଇଥାଏ । ମାତ୍ର ଗୋଟିଏ ବୋତଲ ପାଣିରେ ଏକାଧିକ ସିରିଞ୍ଜ ବ୍ୟବହାର ହେଉଥିବାରୁ ଏବେ ଏକାଧିକ ପିଲାଙ୍କ ମଧ୍ୟରେ ଏଚଆଇଭି ଭୂତାଣୁ ଥିବା ଜଣାପଡ଼ିଛି ।

ବର୍ଷକ ତଳେ ରିପୋର୍ଟରେ ଏଚଆଇଭି ନେଗେଟିଭ ଆସିଥିବା ବେଳେ ଚଳିତ ବର୍ଷରେ ଜଣେ ୧୨ ବର୍ଷର ଶିଶୁକୁ ପଜିଟିଭ ଭୂତାଣୁ ବାହାରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ୭୦ ଜଣଙ୍କ ମଧ୍ୟରେ ପିଜିଟିଭ ଭୂତାଣୁ ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା, ଏହି ଶିଶୁଙ୍କ ମଧ୍ୟରୁ କାହାରି ବାପାମାଙ୍କ ଏଚଆଇଭି ନାହିଁ । ଗୋଟିଏ ବୋତଲରେ ଏକାଧିକ ସିରିଞ୍ଜ ଲଗାଯାଇଥିଲା ଆଉ ସେଥିରୁ ଏହି ଭୁତାଣୁ ବ୍ୟାପିଥିବା ଜଣାପଡ଼ିଛି । ତେବେ ଏଭଳି ଅଭିଯୋଗ ଆସିବାରୁ ଆମେ ମେଡିକାଲରେ ପହଞ୍ଚିବା କ୍ଷଣୀ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଅନ୍ୟତ୍ର ଚାଲିଯାଇଥିଲେ ।

ସେପଟେ ଘଟଣାକୁ ନେଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଖାମଖିଆଲି ଭାବେ ଦାୟିତ୍ୱରେ ଥିବା କର୍ମଚାରୀ ଗୋଟିଏ ବୋତଲ ୱାଟରରେ ଏକାଧିକ ସିରିଞ୍ଜ ବ୍ୟବହାର କରୁଥିବାରୁ କିଛି ଦିନ ପୂର୍ବେ ଶହେ ପିଲାଙ୍କର ଏଚଆଇଭି ପରୀକ୍ଷାରେ ୭୦ ଜଣଙ୍କ ପୋଜିଟିଭ ବାହାରିଥିବା କହିଛନ୍ତି । ସେପଟେ ଏନେଇ ଆମେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ ଏ ବିଷୟରେ ଜାଣି ନ ଥିବା କହିଛନ୍ତି । 

ତେବେ ଏଭଳି କରାଯାଉଥିଲେ ତାହା ଦ୍ୱାରା ଏଚଆଇଭି ସଂକ୍ରମଣ ଆଶଙ୍କା ରହିଥିବା ସ୍ୱୀକାର କରିବା ସହ ତଦନ୍ତ କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିପରି ଅଭିଯୋଗକୁ ଗୁରୁତର ସହକାରେ ଗ୍ରହଣ କରିବା ସହିତ ସତ୍ୟତା ବାହାରିଲେ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ସିଡିଏମଓ ।

Tags: