ଇଣ୍ଟରନେଟ ନଥିଲା ବେଳେ ବି ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଥିଲା: ଶାହ
Advertisement

ଇଣ୍ଟରନେଟ ନଥିଲା ବେଳେ ବି ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଥିଲା: ଶାହ

ଘାଟିରେ ଇଣ୍ଟରନେଟ ସେବା କେବେ ଫେରିବ ? କଂଗ୍ରେସର ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେଠାକାର ସ୍ଥାନୀୟ ପ୍ରଶାସନ ଯେବେ ଚାହିଁବ, ସେବେ ଇଣ୍ଟରନେଟ ସେବା ଫେରିବ ବୋଲି କହିଛନ୍ତି ଶାହ । ଶୀତକାଳୀନ ସଂସଦ ଅଧିବେଶନରେ ବକ୍ତବ୍ୟ ରଖିଥିଲେ ଗୃହମନ୍ତ୍ରୀ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଘାଟିରେ ଇଣ୍ଟରନେଟ ସେବା କେବେ ଫେରିବ ? କଂଗ୍ରେସର ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେଠାକାର ସ୍ଥାନୀୟ ପ୍ରଶାସନ ଯେବେ ଚାହିଁବ, ସେବେ ଇଣ୍ଟରନେଟ ସେବା ଫେରିବ ବୋଲି କହିଛନ୍ତି ଶାହ । ଶୀତକାଳୀନ ସଂସଦ ଅଧିବେଶନରେ ବକ୍ତବ୍ୟ ରଖିଥିଲେ ଗୃହମନ୍ତ୍ରୀ । 

ଆଜି ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ତିନି ମାସ ହେଲା କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଏପରି କେଉଁଠି ବି ହୁଏ ନାହିଁ । ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଇତ୍ୟାଦି ଇଣ୍ଟରନେଟ ସେବା ଉପରେ ନିର୍ଭର କରିଥାଏ ବୋଲି କହିଥିଲେ ଗୁଲାମ ନବୀ ଆଜାଦ । ଆଉ ଏହାର ଉତ୍ତର ଦେବାକୁ ଯାଇ ଶାହ କହିଥିଲେ, ''ଦେଶର ସୁରକ୍ଷା ପାଇଁ ଆମକୁ ଏମିତି କିଛି ପଦକ୍ଷେପ ନେବାକୁ ପଡିଥାଏ । ଯେଉଁ ସମୟରେ ଇଣ୍ଟରନେଟ ସେବା ନଥିଲା, ସେହି ସମୟରେ ବି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ଚାଲିଥିଲା । ''

ଶାହ ଆହୁରି ମଧ୍ୟ କହିଥିଲେ, ''ଧାରା ୩୭୦ର ଉଚ୍ଛେଦ ପରେ ରକ୍ତର ନଦୀ ବୋହିବ ବୋଲି କୁହାଯାଉଥିଲା । ଆଜି ମୁଁ ଖୁସିର ସହିତ କହୁଛି, ଉଚ୍ଛେଦ ପରେ ଘାଟିରେ ପୋଲିସ ଗୁଳିରେ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇନାହିଁ । ସେହିପରି ଗତବର୍ଷ ତୁଳନାରେ ପଥର ଫିଙ୍ଗା ଘଟଣା ବହୁମାତ୍ରରେ କମିଛି । ''

ରାଜ୍ୟସଭାରେ କାଶ୍ମୀର ଉପରେ ବିସ୍ତୃତ ରିପୋର୍ଟ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏବେ ସେଠି ସମସ୍ତ ବିଦ୍ୟାଳୟ ଖୋଲିଛି । ମେଡିକାଲଗୁଡିକରେ ଔଷଧ ପର୍ଯ୍ୟାପ୍ତ ମାତ୍ରରେ ରହିଛି । କାଶ୍ମୀର ସ୍ଥିତି ଏବେ ସାମାନ୍ୟ ରହିଛି । ସମସ୍ତ ବଜାର ମଧ୍ୟ ଖୋଲିଛି । ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଆବଶ୍ୟକ ପରିମାଣର ପେଟ୍ରୋଲ, ମେଡିସିନ୍‌, ଡିଜେଲ, କିରାସିନ, ଏଲପିଜି, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଯାଇଛି । ତେବେ କାଶ୍ମୀର ଦେଶର ମାମଲା । କିଛି ମାମଲା ଏପରି ଥାଏ, ଯାହା ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡେ ବୋଲି ଗୃହମନ୍ତ୍ରୀ କହିଛନ୍ତି । 

କହିରଖୁଛୁ, ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର । ଏହାସହ ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା । ଗୋଟିଏ ଜମ୍ମୁ କାଶ୍ମୀର ଏବଂ ଅନ୍ୟଟି ଲଦାଖ । ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ପୂର୍ବବତ ରହିବ ବୋଲି ସ୍ପଷ୍ଟ କରିଥିଲେ ସରକାର । ତେବେ ଏପର୍ଯ୍ୟନ୍ତ ବହୁ କାଶ୍ମୀର ନେତାଙ୍କୁ ଗୃହବନ୍ଦୀ କରାଯାଇଛି । ଏମାନଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ସୁରକ୍ଷାକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 

ଆହୁରି ପଢନ୍ତୁ; କେମ୍ବ୍ରିଜରେ ପଢାଇବେ ସୁପର-30 ସଂସ୍ଥାପକ ଆନନ୍ଦ କୁମାର