ବଜେଟ ୨୦୨୦: ମଧ୍ୟବିତ୍ତଙ୍କ ମୁଣ୍ଡରେ ମାନ୍ଦାବସ୍ଥା ବୋଝ !
Advertisement

ବଜେଟ ୨୦୨୦: ମଧ୍ୟବିତ୍ତଙ୍କ ମୁଣ୍ଡରେ ମାନ୍ଦାବସ୍ଥା ବୋଝ !

ଆସନ୍ତା ଫେବୃଆରୀ ୧ ତାରିଖରେ ଉପସ୍ଥାପନ ହେବାକୁ ଯାଉଛି ବଜେଟ୍‌-୨୦୨୦

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରେ ଉପସ୍ଥାପନ ହେବାକୁ ଯାଉଛି ବଜେଟ୍‌-୨୦୨୦। ବର୍ତ୍ତମାନ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏଥରର ବଜେଟ ଉପରେ ସଭିଙ୍କ ନଜର ରହିବା ସ୍ୱଭାବିକ । ମାନ୍ଦାବସ୍ଥା ସୁଧାରିବା ସହ ବିଭିନ୍ନ ସ୍ତରରେ ସରକାରୀ ଖର୍ଚ୍ଚ ବଢ଼ାଇବା ଦାବି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଏକ ଆହ୍ୱାନ । 

କ'ଣ ହେବ ଏଥରର ବଜେଟର ରୂପରେଖ ? ଦେଶର ଅର୍ଥନୀତି ସ୍ୱାଭାବିକ ସ୍ଥିତିକୁ ଆସିବା ପାଇଁ ନିର୍ମଳାଙ୍କ ପେଡ଼ି କେଉଁ ଦିଗ ଉପରେ ଗୁରୁତ୍ୱ ଦେବ ? ଏବେ ଏମିତି ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।  ୨୦୧୭-୧୮ ପରେ ଏହା ଲଗାତାର ତୃତୀୟ ବର୍ଷ ଯେଉଁଠି ବିକାଶ ନିମ୍ନମୁଖୀ ହୋଇଛି । ଯଦି ପୂର୍ବ କଥା ଦେଖିବା, ୨୦୧୨-୧୩ ଆର୍ଥିକ ବର୍ଷରେ ମଧ୍ୟ ଜିଡିପି ହାର ୧।୮ ପ୍ରତିଶତ କମିଥିଲା । ଆଉ ଏବେ ମଧ୍ୟ ଜଡ଼ିପିରେ ହ୍ରାସ ହେବା ଯୋଗୁଁ ବ୍ୟବସାୟିକ ଉତ୍ସାହ କମିଛି । ଯେଉଁଥିପାଇଁ ଅର୍ଥନୀତିକୁ ସୁଧାରିବା କ୍ଷେତ୍ରରେ ପ୍ରବଳ ଚାପରେ ଅଛନ୍ତି କେନ୍ଦ୍ର ସରକାର । 

ମାନ୍ଦାବସ୍ଥାକୁ ସୁଧାରିବା ପାଇଁ ଅନେକ ଖର୍ଚ୍ଚ ପରିମାଣ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । କିନ୍ତୁ ଏହା କଣ ଫଳପ୍ରଦ ହେବ ? ବିପକ୍ଷବାଦୀଙ୍କ କହିବା କଥା ହେଲା, ଅତ୍ୟଧିକ ଖର୍ଚ୍ଚ ପରିମାଣ ବଢ଼ିଲେ ମାନ୍ଦାବସ୍ଥାକୁ ସ୍ୱଭାବିକ କରିହେବ ନାହିଁ । ଏହା ପରିସ୍ଥିତିକୁ ଆହୁରି ଉତ୍କଟ ସ୍ଥିତିକୁ ନେଇଯିବ । ସ୍ଥିତି ସ୍ୱାଭାବିକ ପାଇଁ କାହାକୁ ବୋଝ ମୁଣ୍ଡାଇବାକୁ ତ ପଡ଼ିବ ହିଁ ପଡ଼ିବ । 

ଏବେ ନିକଟ ଅତୀତର କିଛି ଘଟଣା କଥା ଦେଖାଯାଉ । ଅତୀତରେ ମଧ୍ୟ ଅଧିକ ଖର୍ଚ୍ଚ ଏବଂ କମ୍ ଜିଡ଼ିପି ଲକ୍ଷ୍ୟ କରିଛୁ । ମାତ୍ର ତାହା କ୍ଷଣସ୍ଥାୟୀ । ୨୦୧୮ ଏବଂ ୨୦୧୯ ଆର୍ଥିକ ବର୍ଷକୁ ତୁଳନା କରିବା । ସରକାର ବିଭିନ୍ନ ସବସିଡ଼ି ନିବେଶ ୨୦୧୮ଆର୍ଥିକ ବର୍ଷରେ ପୂର୍ବବର୍ଷ ତୁଳନାରେ ୩୫ ପ୍ରତିଶତ ବଢ଼ାଇଥିଲେ । ୨୦୧୯ରେ ୨୦୧୮ ଅପେକ୍ଷା ୨୩ ପ୍ରତିଶତ କମାଇଥିଲେ । ହେଲେ ୨୦୧୯ରେ ଜିଡ଼ିପି ହାର ୨୦୧୮ ତୁଳନାରେ କମିଛି । କହିବା ବାହୁଲ୍ୟ ଗୋଟିଏ ବର୍ଷରେ ଖର୍ଚ୍ଚ କମିଛି, ମାତ୍ର ଅର୍ଥନୀତିକ ଅବସ୍ଥା ବିଗିଡ଼ିଛି । 

ତେବେ ଏସବୁ ଭିତରେ ମାପିଚୁପି ବଜେଟ ଆଣିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ବାଚନ ପ୍ରତିଶ୍ରୁତି ପୂରଣ ମଧ୍ୟ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହେବ । ବିଭିନ୍ନ ରାଜ୍ୟ କେନ୍ଦ୍ର ପାଣ୍ଠିକୁ ଚାତକ ପରି ଅନାଇ ବସିଛନ୍ତି । ହେଲେ ଆର୍ଥିକ ମାନ୍ଦାବସ୍ଥା ଦେଖି ହାତ ଖୋଲି ଖର୍ଚ୍ଚ କରିବା ସ୍ଥିତିରେ ନାହାଁନ୍ତି କେନ୍ଦ୍ର ସରକାର । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, କର୍ପୋରେଟ ଇତ୍ୟାଦି ଦିଗ ଉପରେ ପୁଣି ନଜର ରହିଛି । କୁହାଯାଉଛି ଏଥରର ବଜେଟରେ ମଧ୍ୟବିତ୍ତଙ୍କୁ ସନ୍ତୁଷ୍ଟ କରିବା କାଠିକାର ପାଠ ହୋଇପାରେ । ରାଜ୍ୟ ଗୁଡ଼ିକୁ ମଧ୍ୟ ଅଳ୍ପ ଅନୁଦାନରେ ମନ ବୁଝାଇବାକୁ ପଡ଼ିବ । 

ଆହୁରି ପଢ଼ନ୍ତୁ; ଆମେରିକାର ବଦଲା ନେବ ଇରାନ, ଚାଲିଛି 'ବିଶ୍ୱ ବିନାଶକ' ପ୍ରସ୍ତୁତି