ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ କେମିତି ଚାଲିଛି କଣ୍ଟ୍ରୋଲ ରୁମ୍ ?
Advertisement

ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ କେମିତି ଚାଲିଛି କଣ୍ଟ୍ରୋଲ ରୁମ୍ ?

ଲ୍ୟାଣ୍ଡ ଲାଇନ୍ ନମ୍ବର ୦୬୭୪-୨୩୯୨୧୧୫ । ମୋବାଇଲ୍ ନମ୍ବର ୯୪୩୮୯୧୫୯୮୬ । ଏହି ଦୁଇଟି ନମ୍ବର ପ୍ରବାସୀ ଓଡ଼ିଆଙ୍କ ପାଇଁ ଉତ୍ସଗୀକୃତ ଭାବେ କାମ କରୁଛି । 

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ଲକ୍‌ଡ଼ାଉନ୍ ଯୋଗୁଁ ଓଡ଼ିଶା ବାହାରେ ଫସିଥିବା ଓଡ଼ିଆ ଭାଇ ଭଉଣୀମାନଙ୍କ ପାଖରେ ସର୍ବନିମ୍ନ ଖାଦ୍ୟ, ପାନୀୟ ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜୋର୍‌ଦାର୍ ଚାଲିଛି । ୨୪ ଘଣ୍ଟିଆ କଂଟ୍ରୋଲ୍ ରୁମ୍ ଦାୟିତ୍ୱରେ ଅଛନ୍ତି ଅପରେସନ୍ ଆଇଜି ଅମିତାଭ ଠାକୁର । ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆଙ୍କ ପାଖରେ ସର୍ବନିମ୍ନ ସୁବିଧା ପହଞ୍ଚାଚାଇବାକୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଅଲଗା ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ କଥା ହେଉଛନ୍ତି । ଗୃହ ସଚିବ ସଞ୍ଜୀବ ଚୋପ୍ରା ସମ୍ପୂର୍ଣ୍ଣ ବ୍ୟବସ୍ଥାର ତଦାରଖ କରୁଛନ୍ତି । ଅଭିଜ୍ଞ ଆଇପିଏସ୍ ଅଫିସରମାନଙ୍କ ସୁପରଭିଜନ୍ ଏବଂ ଆଇଟି ଏକ୍ସପର୍ଟମାନଙ୍କ ଟେକନିକାଲ ସପୋର୍ଟ ବଳରେ କଂଟ୍ରୋଲ ରୁମ୍ ସହାୟତା ଫଳରେ ବିଭିନ୍ନ ଜିଲ୍ଲାର ଓଡ଼ିଆ ଭାଇଭଉଣୀଙ୍କ ପାଖରେ ପହଞ୍ଚିପାରୁଛି ସରକାରୀ ସହାୟତା । 

ଲ୍ୟାଣ୍ଡ ଲାଇନ୍ ନମ୍ବର ୦୬୭୪-୨୩୯୨୧୧୫ । ମୋବାଇଲ୍ ନମ୍ବର ୯୪୩୮୯୧୫୯୮୬ । ଏହି ଦୁଇଟି ନମ୍ବର ପ୍ରବାସୀ ଓଡ଼ିଆଙ୍କ ପାଇଁ ଉତ୍ସଗୀକୃତ ଭାବେ କାମ କରୁଛି । ଶ୍ରମିକ ହୁଅନ୍ତୁ କି ବିଦ୍ୟାର୍ଥୀ କି ପୁଣି ତୀର୍ଥ ଯାତ୍ରା ପାଇଁ ଯାଇଥିବା ବରିଷ୍ଠ ନାଗରିକ କିମ୍ବା କୌଣସି ପାରିବାରିକ କାମରେ ରାଜ୍ୟ ବାହାରକୁ ଯାଇଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହି ଫୋନ୍ ନମ୍ବର ଏବେ ଅନେକ ସହାୟକ ହୋଇଛି । କୋରୋନା ପାଇଁ ଚାରିଆଡ଼େ ଲକ୍‌ଡ଼ାଉନ୍ କଟକଣା ଯୋଗୁଁ ରାଜ୍ୟ ବାହାରେ ଅନେକ ଓଡ଼ିଆ ଲୋକ ଫସି ରହିଛନ୍ତି । କାହା ପାଖରେ ଖାଇବାକୁ ନାହିଁ ତ କାହା ପାଖରେ ପିଇବାକୁ ବିଶୁଦ୍ଧ ପାଣି ନାହିଁ । ପୁଣି କେଉଁଠି ଘର ମାଲିକଙ୍କ ଘରଭଡ଼ା ପାଇଁ ତାଗିଦ ତ ଆଉ କେଉଁଠି ହୋଟେଲ ମାଲିକଙ୍କ ଜୁଲୁମ୍ । ଲକ୍ ଡ଼ାଉନ୍ ଯୋଗୁଁ କୋରୋନାରେ ଅଧିକ ପ୍ରଭାବିତ ହୋଇଥିବା କେରଳ, ରାଜସ୍ଥାନ, ହରିଆନା, ମହାରାଷ୍ଟ୍ର, ହେଉ କି କମ୍ ପ୍ରଭାବିତ ରାଜ୍ୟ ଗୋଆ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଉତରପ୍ରଦେଶ ହେଉ ସବୁଠି ଅଛନ୍ତି ଓଡ଼ିଆ । କୋରୋନା ଭଳି ଜାତୀୟ ବିପ ସମୟରେ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ସର୍ବନିମ୍ନ ସୁବିଧା ପଂହଚାଇବାକୁ ସରକାର ଯୋଜନା ବଦ୍ଧ ଭାବେ କାମ କରୁଛନ୍ତି । ଏହି ଅଭିଯାନର କେନ୍ଦ୍ରବିନ୍ଦୁ ହେଉଛି ଏହି କଂଟ୍ରୋଲ୍ ରୁମ୍ । ଦିନକୁ ୧୨ ଘଂଟିଆ ୨ଟି ସିଫ୍ଟରେ ଚାଲିଛି କାମ । ପ୍ରତ୍ୟେକ ସିଫ୍ଟରେ ୨୦ଜଣ ଅଭିଜ୍ଞ ଆଇଟି ଏକ୍ସପର୍ଟଙ୍କ ସହ ୪ ଡ଼ିଆଇଜି ପାହ୍ୟାର ଆଇପିଏସ୍ ଅଫିସର ଏହାର ତଦାରଖ କରୁଛନ୍ତି । 
ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କଂଟ୍ରୋଲ୍ ରୁମ୍ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ।

ଦେଶର ଯେ କୌଣସି ରାଜ୍ୟରୁ କଂଟ୍ରୋଲ୍ ରୁମ୍‌କୁ ଫୋନ୍ ଆସିଲେ ସମସ୍ୟାରେ ଥିବା ଓଡ଼ିଆଙ୍କୁ ମୁଖ୍ୟତଃ ତିନୋଟି ପ୍ରଶ୍ନ ପଚରାଯାଉଛି । ନିର୍ଦ୍ଧିଷ୍ଟ ଭାବେ କେଉଁ ଜାଗାରେ ଅଛ? ଓଡ଼ିଶାର କେଉଁ ଜିଲ୍ଲାର କେତେ ଲୋକ ଅଛନ୍ତି ? ଅସୁବିଧା କ’ଣ ରହିଛି ଏବଂ ନିହାତି କ’ଣ ଆବଶ୍ୟକତା ରହିଛି ? ଏହି ସବୁ ପ୍ରଶ୍ନର ଉତ୍ତର ମିଳିବା ପରେ ଏହା ଅଟୋ-ମେକାନିଜମ୍ ସଫ୍ଟୱେର ବଳରେ ରେକର୍ଡ଼ କରାଯିବା ସହ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ଖବର ଦିଆଯାଉଛି । ଏହା ପରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଉଛି ସାହାଯ୍ୟ ସହଯୋଗର ପ୍ରକ୍ରିୟା । ସମ୍ପୃକ୍ତ ରାଜ୍ୟର ସ୍ଥାନୀୟ ପ୍ରଶାସନ ସହ ହେଉଛି ଯୋଗାଯୋଗ । କିଛି ସମସ୍ୟା ହେଲେ ବରିଷ୍ଠ ଅଧିକାରୀମାନେ ସେହି ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇ ସମାଧାନର ବାଟ ବାହର କରୁଛନ୍ତି । ଲକ୍‌ଡ଼ାଉନ୍ ଯୋଗୁଁ ଯେହେତୁ କାହାକୁ କେଉଁଠିକୁ ଯିବାକୁ ଦିଆଯାଉନାହିଁ, ତେଣୁ ସେମାନଙ୍କ ପାଖରେ ଖାଦ୍ୟ, ପାଣି ଏବଂ ରହିବାର ବ୍ୟବସ୍ଥା ସୁନିଶ୍ଚିତ କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ପାଇଁ ସ୍ୱତନ୍ତ୍ର ନୋଡ଼ାଲ ଅଧିକାରୀଙ୍କୁ ବି ନିଯୁକ୍ତି ଦିଆଯାଇଛି । ଏହି ସବୁ ବ୍ୟବସ୍ଥା ଠିକ୍ ଢଙ୍ଗରେ ଚାଲିଛି କି ନାହିଁ ଏବଂ ବିଭିନ୍ନ ସୂତ୍ରରୁ ବାହାର ରାଜ୍ୟକୁ ଆସୁଥିବା ପ୍ରତ୍ୟେକ ଓଡ଼ିଆର ଅଭିଯୋଗକୁ ସମାଧାନ କରିବା ପାଇଁ ବାଟ ଖୋଜା ହେଉଛି । କୃଷି ମନ୍ତ୍ରୀ ଅରୁଣ ସାହୁ, ବରିଷ୍ଠ ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ମଧ୍ୟ କଂଟ୍ରୋଲ୍ ରୁମ୍ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।