ସ୍ୱାବଲମ୍ବୀ ହେବେ କୂମ୍ଭକାର
Advertisement

ସ୍ୱାବଲମ୍ବୀ ହେବେ କୂମ୍ଭକାର

କୁମ୍ଭକାର ପରିବାରଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଆରମ୍ଭ କରିଛନ୍ତି ଟେରାକୋଟା ହସ୍ତଶିଳ୍ପ ତାଲିମ କାର୍ଯ୍ୟକ୍ରମ । 

ପ୍ରତୀକାତ୍ମକ ଫଟୋ

ତପନ କୁମାର କର, ନୂଆଦିଲ୍ଲୀ: କୁମ୍ଭକାର ପରିବାରଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଆରମ୍ଭ କରିଛନ୍ତି ଟେରାକୋଟା ହସ୍ତଶିଳ୍ପ ତାଲିମ କାର୍ଯ୍ୟକ୍ରମ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ଗାଁର ୧୫ ଜଣ ମହିଳା ଓ ପୁରୁଷ କୁମ୍ଭକାରଙ୍କୁ ଟେରାକୋଟା ତାଲିମ ଦିଆଯାଉଛି  । ଯାହା ଦ୍ୱାରା ସେମାନଙ୍କର ବୁଡି ଯାଉଥିବା କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହିତ ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିବେ । ରାଜ୍ୟ ସରକାରଙ୍କର ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ କୁମ୍ଭକାର ପରିବାରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଟେରାକୋଟା ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । 

ପୂର୍ବରୁ  କୁମ୍ଭକାର ହାଣ୍ଡି, ମାଠିଆ, ଦୀପ, ଫୁଲକୁଣ୍ଡ ଓ ତୁଳସୀଚଉରା ଭଳି ବିଭିନ୍ନ ମାଟି ତିଆରି ସାମଗ୍ରୀ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଭୂତୁମୁଣ୍ଡାଇ ଗାଁରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ୧୫ଜଣ ପୁରୁଷ ଓ ମହିଳା କୁମ୍ଭକାରଙ୍କୁ ମାଟିରେ ତିଆରି ଟେରାକୋଟା କାର୍ଯ୍ୟର ପ୍ରଶିକ୍ଷଣ ଦିଆ ଯାଉଛି । ଖାସ୍ କରି ଘର ସାଜସଜ୍ଜା ପାଇଁ ଗଣେଶ, ହାତୀ, ଘୋଡ଼ା, ବୁଦ୍ଧମୂର୍ତ୍ତି, ବୋଇତ, ପେନଷ୍ଟାଣ୍ଡ ଓ ଫୁଲଦାନୀ ପ୍ରଭୃତି ଟେରାକୋଟା ସାମଗ୍ରୀ ଉପରେ ତାଲିମ ଦିଆଯାଉଛି । 

କୁମ୍ଭକାର ମାନେ ୬ମାସ ତାଲିମ ନେବା ପରେ ସେମାନେ ବିଭିନ୍ନ ସାମଗ୍ରୀ ତିଆରି କରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମେଳା, ଉତ୍ସବ ଓ ପ୍ରଦର୍ଶନୀରେ ବିକ୍ରୀ କରିପାରିବେ। ଲୁଣୁକୁଆ ଗାଁର ପ୍ରଶିକ୍ଷକ ନବଘନ ବେହେରା ଏହି କୁମ୍ଭକାର ପରିବାରଙ୍କୁ ତାଲିମ ଦେଉଛନ୍ତି । ତାଲିମ ନେଉଥିବା କୁମ୍ଭକାରଙ୍କୁ ମାସକୁ ଏକହଜାର ଟଙ୍କା ସରକାରୀ ଭତ୍ତା ଦିଆ ଯିବା ସହ ତାଲିମ ପ୍ରଦାନ ଗୃହ ଯୋଗାଇ ଦିଆଯାଇଛି । ତେବେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ଘୋଷଣା ହେବା ପରେ ଏବେ ମାଟିର ଗ୍ଲାସ, ଚା'କପ୍, ହାଣ୍ଡି, ଭଳି ବିଭିନ୍ନ ଟେରାକୋଟା ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହି ତାଲିମ ପାଇବା ଦ୍ୱାରା ଖାସ୍ କରି ମହିଳା ମାନେ ନିଜ ଘର ଚଳାଇବାରେ ସହାୟକ ହେବ ବୋଲି ଟେରାକୋଟା ପ୍ରଶିକ୍ଷକ ପ୍ରକାଶ କରିଛନ୍ତି । 

ନୂଆ ରୂପ ଓ ରଙ୍ଗରେ ଟେରାକୋଟା ସାମଗ୍ରୀ ମାଟିର ଚାହିଦାକୁ ବଢ଼ାଇ ଦେଇଛି । ସରକାରଙ୍କ ଏହି ଯୋଜନା  ହଜି ଯାଉଥିବା କୌଳିକ ବୃତ୍ତିକୁ ବଞ୍ଚାଇବାରେ ବେଶ ସହାୟକ ହେଉଛି ।