ବାଟବଣା ମେକ୍ ଇନ୍ ଇଣ୍ଡିଆ

ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି କାହିଁ ?

ବାଟବଣା ମେକ୍ ଇନ୍ ଇଣ୍ଡିଆ
ସୌଜନ୍ୟ: ସୋସିଆଲ ମିଡିଆ

ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ପ୍ରାୟ ବର୍ଷକ ପରେ ଅର୍ଥାତ୍ ୨୦୨୦ ମସିହା ନଭେମ୍ବର ୩୦ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜନ ହେବ 'ମେକ୍ ଇନ୍ ଓଡ଼ିଶା'ର ତୃତୀୟ ସଂସ୍କରଣ । ଗୋଟିଏ ପଟେ ପୂର୍ବ ସଂସ୍କରଣ ଗୁଡ଼ିକରେ ରାଜ୍ୟ ସରକାର ଏଫଡିଆଇ ଟାଣିବାରେ ସଫଳ ରହିଥିବା ବେଳେ ଅନ୍ୟପଟେ କେନ୍ଦ୍ର ଏଥିରେ ପଛେଇ ଯାଇଥିବା ତଥ୍ୟ କହୁଛି । ବିଶେଷ କରି କେନ୍ଦ୍ର ସରକାର ୨୦୧୪ରେ ପ୍ରଥମ ପାଳି କ୍ଷମତାକୁ ଆସିବା ପରଠାରୁ 'ମେକ୍ ଇନ୍ ଇଣ୍ଡିଆ'ରେ ବିଦେଶୀ ପୁଞ୍ଜି ଆକର୍ଷଣର ଡିଣ୍ଡିମ ପିଟି ଆସୁଛନ୍ତି । କିନ୍ତୁ ବାସ୍ତବତା କ୍ଷେତ୍ରରେ କିଛି ଭିନ୍ନକଥା ବୟାନ କରୁଛି ତଥ୍ୟ ।

ପ୍ରତିରକ୍ଷା କ୍ଷେତ୍ର ଅନ୍ତର୍ଗତ ମେକ୍ ଇନ୍ ଇଣ୍ଡିଆରେ ଗତ ୬ ବର୍ଷ ମଧ୍ୟରେ କୌଣସି ବଡ଼ ଧରଣର ପ୍ରକଳ୍ପ ଆସିନାହିଁ । ଦେଖିବାକୁ ଗଲେ ନୂଆ ଜେନେରେସନର ଗୁଇନ୍ଦା ସବମେରିନ୍, ମାଇନ୍ ସ୍ୱିପର୍ସ ଏବଂ ହାଲୁକା ଓଜନବିଶିଷ୍ଟ ହେଲିକପ୍ଟର, ପରିବହନ ବିମାନ ଏବଂ ଫାଇଟର ଜେଟ୍ ପରି ଯୁଦ୍ଧ ଉପକରଣ ଗତ ୬ ବର୍ଷରେ ଆଦୌ କିଣାଯାଇ ନାହିଁ କି ସେ ନେଇ କୌଣସି ବଡ଼ ଡିଲ୍ ବି ହୋଇନାହିଁ । ପ୍ରାୟ ୩.୫ ଲକ୍ଷ କୋଟି ମୂଲ୍ୟର ଯାହା ବା ଅଧାଅଧୁରା ପ୍ରକଳ୍ପ ରହିଛି, ତାହା ବିଭିନ୍ନ ସ୍ତରରେ ଚୁକ୍ତି ସ୍ୱାକ୍ଷରିତ ହେବା ପୂର୍ବରୁ ଲଟକି ରହିଛି ।

ରୁଷିଆ ସହ ୟୁପିର କୋରୱା ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ହେବାକୁ ଥିବା ୭.୫ ଲକ୍ଷ କୋଟିର କଲାସନିକୋଭ ଏକେ-୨୦୩ ଆସଲ୍ଟ ରାଇଫଲ ପରି  ନୂଆ ଯୁଗ୍ମ ପ୍ରକଳ୍ପର ମଧ୍ୟ ସମାନ ଅବସ୍ଥା । ରୁଷିଆ ସହ ପଞ୍ଚମ ଜେନେରେସନର ଫାଇଟର ଏୟାରକ୍ରାଫ୍ଟ ଆମକା ଚୁକ୍ତି ( Advanced Medium Combat Aircraft - AMCA) ମଧ୍ୟ ଶୀତଳ ଭଣ୍ଡାରରେ । ଆଗାମୀ ବର୍ଷ ଏକେ-୨୦୩ ଆସଲ୍ଟ ରାଇଫଲ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ । ୫୬ ସି- ୨୯୫ ଟାଟା ଏୟାର ବସ୍ ପ୍ରକଳ୍ପ ମଧ୍ୟ ପ୍ରାଇସ ନେଗୋସିଏସନ ଓ ସିକ୍ୟୁରିଟି କ୍ଲିଅରାନ୍ସ ପାଇଁ ଅଟକି ରହିଛି ।

ଇଏ ହେଉଛି ବିଶ୍ୱର ସର୍ବବୃହତ୍ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ରାଷ୍ଟ୍ରର ଗତ ୬ ବର୍ଷର ଅବସ୍ଥା । ଗତ ପ୍ରାୟ ୧୫ ବର୍ଷ ଧରି ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ଚିତା ଓ ଚେତକ ବାଦ୍ ନୂଆ ହାଲୁକା ଏବଂ ଅତ୍ୟାଧୁନିକ ହେଲିକପ୍ଟର ଦାବି କରିଆସୁଛି ଭାରତୀୟ ବାୟୁସେନା । ସେପଟେ ଷ୍ଟ୍ରାଟେଜିକ୍ ପାର୍ଟନର ପଲିସୀ ଅନୁସାରେ, ୨୧ ହଜାର କୋଟିର ୧୧୧ଟି ଡବଲ ଇଞ୍ଜିନ ଚପର ପାଇଁ ରହିଛି ଭାରତୀୟ ନୌସେନାର ଦାବି । ମାତ୍ର ଏଥିପାଇଁ ୪ ଭାରତୀୟ କମ୍ପାନୀ, ଟାଟା, ଆଦାନୀ, ମହିନ୍ଦ୍ରା ଏବଂ ଭାରତ ଫୋର୍ଜ ତଥା ୩ଟି ବିଦେଶୀ କମ୍ପାନୀ ଏୟାରବସ୍, କମୋଭ ଏବଂ  ଲକହିଡ୍ ମାର୍ଟିନ ଏଇ ନିକଟରେ ତାଲିକାଭୁକ୍ତ ହୋଇଛନ୍ତି । ହିନ୍ଦୁସ୍ତାନ ଏରୋନଟିକ୍ସ ଏଥିରୁ ବାଦ ପଡ଼ିଥିବାରୁ ଅସନ୍ତୋଷ ଜାହିର କରିଛି ।

ଗତ ୨୦୦୭ ନଭେମ୍ବରରେ ଅନୁମୋଦନ ପାଇଥିବା ୫୦ ହଜାର କୋଟି ମୂଲ୍ୟର ୬ ନୂଆ ଗୁଇନ୍ଦା ସବମେରିନ୍ ପ୍ରକଳ୍ପ ମଧ୍ୟ ଏ ଯାଏଁ ଥିଲା ଶୀତଳ ଭଣ୍ଡାରରେ । ଖୁବ୍ ନିକଟରେ ଷ୍ଟ୍ରାଟେଜିକ୍ ପାର୍ଟନର ପଲିସୀ ଅନୁସାରେ ଏହା ଚୂଡ଼ାନ୍ତ ରୂପ ନେବାକୁ ଯାଉଛି । ୨୦୧୫ ଡିସେମ୍ବରରେ ଭାରତ ସହ ୧ ବିଲିୟନ ଡଲାର ମୂଲ୍ୟର କମୋଭ-୨୨୬ ହେଲିକପ୍ଟର ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲା ରୁଷିଆ । ମାତ୍ର ତାହା ବି ଚୂଡ଼ାନ୍ତ ହୋଇ ପାରିନାହିଁ । ଭାରତ ପକ୍ଷରୁ ଏପରି ୧୯୭ଟି ହେଲିକପ୍ଟର କିଣା ଉଦ୍ୟମ ଗତ ଏକ ଦଶନ୍ଧି ମଧ୍ୟରେ  ତିନି ତିନିଥର ବାଧାପ୍ରାପ୍ତ ହୋଇଛି । କାରଣ, ଦୁର୍ନୀତି ଏବଂ ବୈଷୟିକ ତ୍ରୁଟି ବା ଅନୁନ୍ନତ ଜ୍ଞାନକୌଶଳ ।

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନିଜ ବାର୍ଷିକ ବଜେଟରେ ସିଂହଭାଗ  ବ୍ୟୟ ବରାଦ କରୁଛି ସତ, ମାତ୍ର ଏଥିରେ ମେକ୍ ଇନ୍ ଇଣ୍ଡିଆର ଯୋଗଦାନ ନାହିଁ କହିଲେ ଚଳେ । ତେଣୁ କହିବାକୁ ଗଲେ ଗତ ୬ ବର୍ଷରେ ବିଶ୍ୱର ସବୁଠୁ ବଡ଼ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ରାଷ୍ଟ୍ର ଭାରତର ପ୍ରତିରକ୍ଷା କ୍ଷେତ୍ର ମେକ୍ ଇନ୍ ଇଣ୍ଡିଆ ଅଧିନରେ ବିଦେଶୀ ପୁଞ୍ଜି ଟାଣିବାରେ ସଫଳ ହୋଇନାହିଁ ।