'ଶୂନ'କୁ ଖୋଜୁଛି ୫
ବିଶ୍ୱ ଦାରିଦ୍ର୍ୟ ରିପୋର୍ଟ: ଭାରତର ସ୍ଥାନ ୧୦୨
Trending Photos
)
ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ବାପାଙ୍କର ଜଣେ ବନ୍ଧୁ ଅଛନ୍ତି, ତାଙ୍କ ନାଁ ବଳରାମ ଦାସ । ବେଳେବେଳେ ଆମ ଘରକୁ ଆସନ୍ତି । ପରିବାର କହିଲେ ସିଏ ଓ ତାଙ୍କ ସ୍ତ୍ରୀ । ପିଲା ଛୁଆ କେହି ନାହାନ୍ତି । ଚାକିରି ବାକିରି ଦୂର କଥା, ଚଳିବାକୁ ହେଲେ ଭାଗ୍ୟ ଭରସା । ନିର୍ବାଚନ ସମୟରେ ରାଜନୈତିକ ଦଳର ପତାକାକୁ ପ୍ୟାଣ୍ଟ କରି ପିନ୍ଧୁଥିଲେ । ଏକଥା ଏଠି ଏଥିପାଇଁ କହୁଛି ଯେ, ଆମ ଦେଶରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାର ନାନା ଯୋଜନା କରୁଛନ୍ତି ।
କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଗରିବଙ୍କ ପାଇଁ ଯୋଜନାର ପାହାଡ଼ ତିଆରି କରିଛନ୍ତି । କିନ୍ତୁ ପ୍ରକୃତରେ ଦେଶରୁ ଦାରିଦ୍ର୍ୟ ହଟିଛି କି ? ଗରିବୀର ଚାବୁକ ପ୍ରହାରରେ ଏବେ ବି ଦେଶର ଅନେକ ବଳରାମ ଦାସ ଅହରହ ଛଟପଟ ହେଉଛନ୍ତି । ପ୍ରତିଟି ମୁହୂର୍ତ୍ତ ବଞ୍ଚିବାକୁ ସେମାନେ ଜୀବନ ସହ ସଂଘର୍ଷ କରୁଛନ୍ତି । ଆଜି ବି ଓଡ଼ିଶାରେ ଆମ୍ୱ ଟାକୁଆ ଖାଇ ଲୋକେ ଜିଉଁଛନ୍ତି । ତେଣୁ, ଆମେ କେମିତି କହିବା ଯେ, ଆମେ ଦାରିଦ୍ର୍ୟ ନାମକ ବ୍ୟାଧିରୁ ମୁକ୍ତି ?
ନିକଟରେ ଦାରିଦ୍ର୍ୟକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଗ୍ଲୋବାଲ ହଙ୍ଗର୍ ଇଣ୍ଡେକ୍ସ ୨୦୧୯ର ରିପୋର୍ଟରେ ଭାରତ ୧୦୨ ତମ ସ୍ଥାନରେ ରହିଛି । ୧୧୭ଟି ଦେଶ ମଧ୍ୟରୁ ଭାରତ ୧୦୨ ତମ ସ୍ଥାନରେ ରହିଛି । ୨୦୧୮ରେ ଭାରତ ୯୫ତମ ସ୍ଥାନରେ ରହି ପଡ଼ୋଶୀ ଦେଶ ନେପାଳ, ପାକିସ୍ତାନ ଓ ବାଂଲାଦେଶ ପଛକୁ ଥିଲା । ସେହିପରି ଏହି ରିପୋର୍ଟରେ ଭଲ ରେଜଲ୍ଟ କରିଥିବା ବା ଦାରିଦ୍ର୍ୟରେ ସୁଧୁରିଥିବା ଦେଶ ଗୁଡ଼ିକ ମଧ୍ୟରେ ବେଲାଋଷ୍, ୟୁକ୍ରେନ୍, ତୁର୍କୀ, କ୍ୟୁବା ଏବଂ କୁଏତ୍ ରହିଛି ।
'କନସର୍ନ ୱାର୍ଲଡୱାଇଡ୍' ନାମକ ଏକ ଆଇରିସ୍ ବିଜ୍ଞାପନ ସଂସ୍ଥା ଏବଂ ଜର୍ମାନ ସଂଗଠନ 'ୱେଲ୍ଟ ହଙ୍ଗର୍ ହିଲଫେ' ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହାସହ ଭାରତରେ ଉତ୍କଟ ଦାରିଦ୍ୟ ଦେଖାଦେଇଥିବା ଉଭୟ ସଂସ୍ଥା ପକ୍ଷରୁ କୁହାଯାଇଛି । ୨୦୦୦ ମସିହାରେ ୧୧୩ଟି ରାଷ୍ଟ୍ର ମଧ୍ୟରୁ ଭାରତ ୮୩ ତମ ସ୍ଥାନରେ ଥିଲା । କିନ୍ତୁ ବର୍ତ୍ତମାନ ୧୧୭ଟି ଦେଶ ମଧ୍ୟରୁ ଭାରତ ୧୦୨ତମ ସ୍ଥାନରେ ରହିଛି ।
ରିପୋର୍ଟ ଅନୁସାରେ, ନେପାଳ (୭୩), ଶ୍ରୀଲଙ୍କା (୬୬), ବାଂଲାଦେଶ(୮୮), ମିଆଁମାର (୬୯) ଏବଂ ପାକିସ୍ତାନ(୯୪) ଭଳି ଦେଶରେ ଏବେ ଘୋର ଦାରିଦ୍ର୍ୟ ସମସ୍ୟା ଲାଗି ରହିଛି । କିନ୍ତୁ ଭାରତ ତୁଳନାରେ ଏହି ଦେଶଗୁଡ଼ିକ ଉପଯୁକ୍ତ ଖାଦ୍ୟ ଯୋଗାଇ ପାରୁଛନ୍ତି । ଭାରତରେ ଅନ୍ୟ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିଲେ ବି ଏହି ଦିଗ ପ୍ରତି ସେତେଟା ଧ୍ୟାନ ଦିଆଯାଉ ନାହିଁ ।
ଭାରତ ସରକାରଙ୍କ ତଥ୍ୟ ଅନୁସାରେ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ଦେଶରେ ଦରିଦ୍ର ଲୋକଙ୍କ ହାର ୩୭.୨୦% ରୁ ୨୧.୯୦% କମିଛି । ଏହି ହାର ୨୦୧୯ ଅର୍ଥାତ୍ ଚଳିତ ବର୍ଷ ଶେଷ ସୁଦ୍ଧା ୧୭ ପ୍ରତିଶତକୁ ଖସି ଆସିବା ନେଇ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିଲେ । କିନ୍ତୁ ଉପରୋକ୍ତ ରିପୋର୍ଟକୁ ଲକ୍ଷ୍ୟ କଲେ ତାହା ଆକାଶ କଇଁଆ ଚିଲିକା ମାଛ ଭଳି ଲାଗୁଛି । ଏବେ ବି ରାଜ୍ୟରେ ଦାରିଦ୍ର୍ୟର ମାଡ଼ ଯୋଗୁ ପିଲା ବିକ୍ରି କରାଯାଉଛି । ସେହିପରି ଦାରିଦ୍ର୍ୟରେ ପୀଡ଼ିତ ହୋଇ ହସ୍ପିଟାଲରେ ନିଜର ନବଜାତ ଶିଶୁକୁ ଛାଡ଼ି ପଳାଇବା ଭଳି ଉଦାହରଣ ମଧ୍ୟ ରହିଛି । ତେଣୁ ଏସବୁକୁ ଦେଖିଲେ ଦେଶରେ ଏବେ ବି ଦାରିଦ୍ର୍ୟ ସମସ୍ୟା ଲାଗି ରହିଛି ବୋଲି ଆମେ ଦମ୍ଭର ସହ କହିପାରିବା ।
ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଶ୍ୱର ବିଭିନ୍ନ ସଂଗଠନ କାମ କରୁଛନ୍ତି । ଜାତିସଂଘର ୟୁଏନଡିପି ଓ ଅକ୍ସଫୋର୍ଡର ଦାରିଦ୍ର୍ୟ ଓ ମାନବ ବିକାଶ ପ୍ରୟାସ ମିଳିତ ଭାବରେ ୨୦୧୯ ମସିହା ପାଇଁ ବିଶ୍ୱର ୧୦୧ଟି ଦେଶର ୫୭୦ କୋଟି ଲୋକଙ୍କର ବିଭିନ୍ନ ପ୍ରକାର ଦାରିଦ୍ର୍ୟର ସର୍ଭେ କରି ସମୀକ୍ଷା କରିଛନ୍ତି । (ଏହି ତଥ୍ୟ ନିକଟରେ ଏକ ଗଣମାଧ୍ୟମରେ ପ୍ରକାଶିତ ଏକ ସ୍ତମ୍ଭରୁ ସଂଗ୍ରହ କରାଯାଇଛି)
ତେବେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଶେଷ ଭାବେ କୃଷି କ୍ଷେତ୍ରରେ ବିକାଶ କରିବା ନିହାତି ଜରୁରୀ । ସେହିପରି ଗ୍ରାମାଞ୍ଚଳରେ ଶିଳ୍ପ କ୍ଷେତ୍ରରେ ବିକାଶ କରିବା ସହ ନିଯୁକ୍ତି ସୃଷ୍ଟି କରିବା ନିହାତି ଆବଶ୍ୟକ । ସରକାର ଯେତେ ସବୁ ଯୋଜନା କରୁଛନ୍ତି, ସେଗୁଡିକର ରୀତିମତ ସମୀକ୍ଷା ହେବା ଦରକାର । କାରଣ ବିଭିନ୍ନ ଯୋଜନା ବାଟମାରଣା ହେବା ଯୋଗୁ ପ୍ରକୃତ ହିତାଧିକାରୀ ଲାଭ ପାଇ ପାରନ୍ତି ନାହିଁ ।
ଲୋକଙ୍କ ପାଇଁ ରାଜ୍ୟ ସରକାର 5T ଯୋଜନା କାର୍ଯ୍ୟକାରୀ କରୁଛନ୍ତି । 5T ସଚିବ ନିଜେ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲି ସମୀକ୍ଷା କରିବା ସହିତ ସ୍ଥିତି ପରଖୁଛନ୍ତି । ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଦାରିଦ୍ର୍ୟ ଦୂରିକରଣ ପାଇଁ ମଧ୍ୟ ସରକାରଙ୍କ ତରଫରୁ ଏମିତି ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ଯାହା ଫଳରେ ଅମଲାମାନେ ଏଦିଗ ପ୍ରତି ବିଶେଷ ଧ୍ୟାନ ଦେବା ସହ ଗ୍ରାଉଣ୍ଡ ସ୍ଥିତିକୁ ଉପଯୁକ୍ତ ଭାବେ ପରଖି ପାରିବେ ।
ଭାରତ ସରକାର ୫ ଟ୍ରିଲିୟନ ଇକୋନୋମି ନେଇ ଏକ ଲମ୍ୱା ସ୍ୱପ୍ନ ଦେଖୁଛନ୍ତି । ଏନେଇ 'ପିଏମ୍ ଆଣ୍ଡ କୋଃ' ଭାରତ ତଥା ବିଦେଶରେ ମଧ୍ୟ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ସ୍ଥିତି ଦେଖିଲେ, ଭାରତ ଏକ ବିରାଟ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଯାହା ଫଳରେ ଦେଶର ଅର୍ଥନୀତିକୁ ନେଇ ନାନା ମୁନି ନାନା ମତ ରଖୁଛନ୍ତି । କିନ୍ତୁ ପ୍ରକୃତ ପକ୍ଷେ ଦାରିଦ୍ର୍ୟ ରିପୋର୍ଟକୁ ଦେଖିଲେ ୫ ଟ୍ରିଲିୟନ ଅର୍ଥନୀତି ସ୍ୱପ୍ନ ଯେ ଆକାଶ କଇଁଆ ଚିଲିକା ମାଛ, ତାହା ସମସ୍ତଙ୍କୁ ମାନିବାକୁ ପଡ଼ିବ ।
ପେଟରେ ଓଦାକନା ଦେଇ ତ ଦେଶର ଅର୍ଥନୀତିକୁ ବିକାଶ କରି ହେବନି ! ପ୍ରଥମେ ଭାଙ୍ଗି ପଡ଼ିଥିବା ମେରୁଦଣ୍ଡକୁ ସୁଧାରିବାକୁ ପଡ଼ିବ, ତା' ପରେ ଯାଇ ୫ ଟ୍ରିଲିୟନ ଅର୍ଥନୀତି ସ୍ୱପ୍ନ କଥା ଚିନ୍ତା କରିବା । କଂଗ୍ରେସ ମୁଖପାତ୍ର ପ୍ରଫେସର ଗୌରବ ବଲ୍ଲଭ ଏକ ଟିଭି ଡିବେଟରେ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପଚାରିଥିଲେ, ତୁମ ୫ ଟ୍ରିଲିୟନରେ କେତୋଟି ଶୂନ ଅଛି କହିପାରିବ? ଏହାକୁ ନେଇ ସେତେବେଳେ ବଡ଼ ତମ୍ବିତୋଫାନ ବି ହୋଇଥିଲା । ତେବେ ଏହା ଆମ ଆଲୋଚ୍ୟ ପ୍ରସଙ୍ଗ ନୁହେଁ ଅବଶ୍ୟ । କିନ୍ତୁ ଉଦାରୀକରଣର ଏ ଯୁଗରେ ବି ଦାରିଦ୍ର୍ୟ ସର୍ଭେରେ ଭାରତୀୟ ଅର୍ଥନୀତି ଯେ ପାକିସ୍ତାନ ପରି କାଙ୍ଗାଳ ଦେଶ ପଛକୁ ରହୁଛି, ତାହା ବୁଝିବାକୁ ପଡ଼ିବ । ୫ ଟ୍ରିଲିୟନରେ କେତୋଟି ଶୂନ ଅଛି, ତାହା କହିବା ଏବେ ବି ଆମ ଦେଶୀ ନେତାଙ୍କ ସାମର୍ଥ୍ୟର ବାହାରେ ।