କ୍ରୋଧ ପୋଛିଦେଲା ସୁନା ସଂସାର
Advertisement

କ୍ରୋଧ ପୋଛିଦେଲା ସୁନା ସଂସାର

ସ୍ତ୍ରୀ ଓ ନିଜ ଝିଅକୁ ଅତି ବିଭତ୍ସ କଟୁରୀରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗ୍ରାମରେ। 

କ୍ରୋଧ ପୋଛିଦେଲା ସୁନା ସଂସାର

ରାଧାଶ୍ୟାମ ଆଚାର୍ଯ୍ୟ,ବ୍ରହ୍ମପୁର: ସ୍ତ୍ରୀ ଓ ନିଜ ଝିଅକୁ ଅତି ବିଭତ୍ସ କଟୁରୀରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗ୍ରାମରେ। ଏଭଳି ଏକ ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହାୟତାରେ ମୃତ୍ୟୁର କାରଣ ଖୋଜିବା ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ପଞ୍ଚନାମା ନିମନ୍ତେ ପଠାଇଛି।

ପାରିବାରିକ କଳହର କରୁଣ ପରିଣତି । ସୀମା ଲଙ୍ଘିଗଲା କ୍ରୋଧର ଜ୍ୱାଳା। ରକ୍ତମୁଖା ସ୍ୱାମୀ ନିଜ ସ୍ତ୍ରୀ ଓ ଝିଅକୁ କଟୁରୀରେ ହାଣି ଅତି ବିଭତ୍ସ  ଭାବେ ପ୍ରଥମେ ହତ୍ୟା କରିବା ପରେ ବେକରେ ରଶି ଲଗାଇ ନିଜେ କଲା ଆତ୍ମହତ୍ୟା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସମଗ୍ର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି। 

ଗ୍ରାମର ବୃନ୍ଦାବନ ବେହେରା ସ୍ତ୍ରୀ ଉର୍ମିଳା ବେହେରା ଓ ଝିଅ ସୁନୀତା ବେହେରାଙ୍କ ସହ ସବୁଦିନ ଭଳି ଗତକାଲି ରାତିରେ ଘରେ କବାଡ ଦେଇ ଶୋଇ ଯାଇଥିଲେ। ହେଲେ ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରୁ କେହି ବାହାରକୁ ବାହାରି ନଥିବା ହେତୁ ପାଖ ପଡୋଶୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ଆଉ କବାଟ ଖୋଲି ଦେଖିବା ବେଳକୁ ଘର ଭିତରର ବିଭତ୍ସ ଦୃଶ୍ୟ ସମସ୍ତଙ୍କୁ ଚକ୍କିତ କରିଥିଲା।

ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଖୋଦ ଗଞ୍ଜାମ ଏସପି ମଧ୍ୟ ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ତିନି ଜଣଙ୍କ ମୃତଦେକକୁ ଉଦ୍ଧାର କରି ପଞ୍ଚନାମା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଇଛନ୍ତି । 

ପ୍ରାଥମିକ ସୂଚନା ମୁତାବକ ଘରର ଆର୍ଥିକ ଅଭାବ ଅନଟନ ଯୋଗୁ ଅନେକ ସମୟରେ ପାରିବାରିକ  କଳହ ଲାଗି ରହୁଥିଲା। ଯାହାକୁ ନେଇ ଗତ କିଛି ଦିନ ଧରି ବୃନ୍ଦାବନ ନିରବଦଷ୍ଟା ଭାବେ ରହୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଏଭଳି କାଣ୍ଡ ଘଟାଇଥିବା ପୋଲିସ ଅନୁମାନ କରୁଛି। ତଦନ୍ତ ପ୍ରକ୍ରିୟା ସରିବା ପରେ ଘଟଣା ଉପରୁ ପରଦା ଉଠିବ ବୋଲି ପୋଲିସ ସୁଚନା ଦେଇଛି । ଏଭଳି ଏକ ଘଟଣା ଉପରୁ ପରଦା ଉଠାଇବାରେ ପୋଲିସ କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।