ପରିବାରକୁ ଖାଇଗଲା ନିଶା ରାକ୍ଷସ

ନିଶାସକ୍ତ ସ୍ୱାମୀ ହାତରେ ଚାଲିଗଲା ସ୍ତ୍ରୀର ଜୀବନ । ଥାନାରେ ପତ୍ନୀ ହତ୍ୟାକାରୀର ଆତ୍ମହତ୍ୟା । ମାତାପିତାଙ୍କୁ ହରାଇ ବେସାହାରା ହୋଇଗଲେ ୪ ସନ୍ତାନ । ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଆଖିବୁଜିଛି ପତ୍ନୀ ହତ୍ୟାକାରୀ । 

ପରିବାରକୁ ଖାଇଗଲା ନିଶା ରାକ୍ଷସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ସେଡିଂ ବସ୍ତିରେ ନିଶାରାକ୍ଷସ ଆଁରେ ଛାରଖାର୍ ହୋଇଗଲା ଆଉ ଏକ ପରିବାର । ନିଶାସକ୍ତ ସ୍ୱାମୀ ହାତରେ ଚାଲିଗଲା ସ୍ତ୍ରୀର ଜୀବନ । ଥାନାରେ ପତ୍ନୀ ହତ୍ୟାକାରୀର ଆତ୍ମହତ୍ୟା । ମାତାପିତାଙ୍କୁ ହରାଇ ବେସାହାରା ହୋଇଗଲେ ୪ ସନ୍ତାନ । ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଆଖିବୁଜିଛି ପତ୍ନୀ ହତ୍ୟାକାରୀ । ଜଣେ ସ୍ୱାଭାବିକ ଓ ସୁସ୍ଥ ମସ୍ତିଷ୍କଧାରୀ ବ୍ୟକ୍ତି କିଭଳି ନିଶା କବଳରେ ପଡ଼ି ହିତାହିତ ଜ୍ଞନ ଭୁଲିଯାଏ, କେନ୍ଦୁଝର ବଡ଼ବିଲ ଅଞ୍ଚଳର ସୁରେଶ ନାଏକ ଓ ବାସନ୍ତୀ ନାଏକଙ୍କ ଘଟଣା ତାର ଏକ ଉଦାହରଣ ।

ଘଟଣା ଅନୁସାରେ, ଗତ ୧୮ ତାରିଖ  ସନ୍ଧ୍ୟାରେ ବଡ଼ବିଲ ସହରର ସେଡିଂ ବସ୍ତି ପଛ ପଟ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ଏକ କ୍ଷତବିକ୍ଷତ ମୃତଦେହ । ସେଠାରେ ମୃତଦେହ ପଡିଥିବା ଖବର ମିଳିବା ପରେ ପୋଲିସ ପହଞ୍ଚି ତାହା  ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଲା ମୃତଦେହଟି ହେଉଛି ସ୍ଥାନୀୟ ବାସିନ୍ଦା ସୁରେଶ ନାଏକଙ୍କ ପତ୍ନୀ ବାସନ୍ତୀଙ୍କର ।  ତେବେ ବାସନ୍ତୀଙ୍କ ମୃତ୍ୟୁ  ରହସ୍ୟ ଉପରୁ ପରଦା ଉଠାଇବାକୁ ପୋଲିସ ସ୍ୱାମୀ ସୁରେଶକୁ ପଚରା ଉଚରା କଲା । ଆଉ ତଦନ୍ତରୁ ଜଣାପଡିଲା ଯେ, ସିଏ ହିଁ ହେଉଛି ପତ୍ନୀ ବାସନ୍ତୀର ହତ୍ୟାକାରୀ ।

ଘଟଣା ଦିନ ସ୍ୱାମୀ ସ୍ତ୍ରୀ ଉଭୟେ କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ବାଟରେ ପ୍ରଚୁର ମଦ୍ୟପାନ କରିଥିଲେ ଦୁହେଁ । ନିଶାସକ୍ତ ଅବସ୍ଥାରେ ଦୁହିଙ୍କ ମଧ୍ୟରେ ହୋଇଥିଲା ବଚସା । ହିତାହିତ ଜ୍ଞାନଶୂନ୍ୟ ହୋଇ ସୁରେଶ ବାସନ୍ତୀକୁ ହତ୍ୟା କରିଥିଲା । ତେବେ ଜଙ୍ଗଲରେ ଏପରି କ'ଣ ଘଟିଗଲା, ଯାହାଫଳରେ ଅତି ନୃଶଂସ ଭାବେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା ସୁରେଶ । ସେହି ଘଟଣା ଉପରୁ ପରଦା ଉଠାଇବାକୁ ପୋଲିସ ସୁରେଶକୁ ହାଜତରେ ପଚରା ଉଚରା କରିଥିଲା । ଏଥିର ଭୟଭୀତ ହୋଇ ପଡ଼ିଥିଲା ସୁରେଶ । ସମ୍ଭବତଃ ନିଶା ଖସିବାରୁ ନିଜ କଲା କର୍ମକୁ ନେଇ ପଶ୍ଚାତାପ କରୁଥିଲା ସିଏ । 
ପୋଲିସର କହିବା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ବେକରେ ଗାମୁଛା ବାନ୍ଧି  ଆତ୍ମହତ୍ୟା ଉଦ୍ୟମ କରିଥିଲା ସୁରେଶ । ଏହାଦେଖି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଦୀର୍ଘ ୨ଘଣ୍ଟାର ଚିକିତ୍ସା ପରେ ସୁରେଶ ଆଖି ବୁଜିଥିଲା । ସେପଟେ ସୁରେଶଙ୍କ  ବଡ଼ପୁଅର କହିବା କଥା, ମାଆଙ୍କୁ ମାରିଥିବା କାରଣରୁ ପଶ୍ଚାତାପ ଯୋଗୁ ଏପରି କରି ଥାଇ ପାରନ୍ତି ସୁରେଶ । 

ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଜଣେ ଡିଏସପି ସ୍ତରର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଯଦି ଏହି ଘଟଣାରେ କାହାରି ଦାୟିତ୍ୱହୀନତା ସାମ୍ନାକୁ ଆସେ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।

Tags: