କୋଭିଡ19 ଆକ୍ରାନ୍ତଙ୍କ ପାଇଁ ନିରାପଦ ନୁହେଁ ହାଇଡ୍ରୋକ୍ସି କ୍ଲୋରୋକୁଇନ: ଲ୍ୟାନସେଟ

କୋଭିଡ19 ପଜିଟିଭଙ୍କ ପାଇଁ ବ୍ୟବହାର ହେଉଥିବା  ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ |

କୋଭିଡ19 ଆକ୍ରାନ୍ତଙ୍କ ପାଇଁ ନିରାପଦ ନୁହେଁ ହାଇଡ୍ରୋକ୍ସି କ୍ଲୋରୋକୁଇନ: ଲ୍ୟାନସେଟ

ନ୍ୟୁୟର୍କ: ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନାର ମୁକାବିଲା ଲାଗି ଏ ପର୍ଯ୍ୟନ୍ତ ବାହାରିନାହିଁ କୌଣସି ଭ୍ୟାକସିନ | ହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସ୍ଥିତିରେ ଆଣ୍ଟି ମ୍ୟାଲେରିଆଲ ଡ୍ରଗ ହାଇଡ୍ରୋକ୍ସି କ୍ଲୋରୋକୁଇନ (ଏଚସିକ୍ୟୁ) ଅନେକ ଦୃଷ୍ଟିରୁ ଉପକାରୀ ସାବ୍ୟସ୍ତ ହୋଇଛି | କୋଭିଡ19 ମୁକାବିଲା କ୍ଷେତ୍ରରେ ଏହାକୁ ପ୍ରଭାବାଶାଳୀ ଔଷଧ ଭାବେ ଦର୍ଶାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ | ହେଲେ ଏବେ ଏଚସିକ୍ୟୁକୁ ବିରୋଧ କରାଯିବା ସହ ଏ ସମ୍ପର୍କିତ ଏକ ଖବର ସାମ୍ନାକୁ ଆସିଛି | 

ଲ୍ୟାନସେଟ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆଣ୍ଟି ମ୍ୟାଲେରିଆଲ ଡ୍ରଗ ହାଇଡ୍ରୋକ୍ସି ହାଇଡ୍ରୋକ୍ସି କ୍ଲୋରୋକୁଇନ ରୋଗୀଙ୍କ ମଧ୍ୟରେ ମୃତ୍ୟୁ ଜନିତ ଆଶଙ୍କାକୁ ବଢାଇଥାଏ | ଏହି ଔଷଧର କ୍ଲିନିକାଲ ବ୍ୟବହାର ବ୍ୟତୀତ କୋଭିଡ19 ଉପଚାର ପାଇଁ ଉପଯୋଗ କରିବା ଠିକ ନୁହେଁ ବୋଲି ଏହି ଜର୍ଣ୍ଣାସ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି | କୋଭିଡ19 କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିବା ୯୬ ହଜାରରୁ ଅଧିକ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା | ଏଥିରୁ ଜଣାପଡିଥିଲା ଯେ ଏହି ଔଷଧ କିମ୍ବା ଏଭଳି କ୍ଲୋରୋକୁଇନର ବ୍ୟବହାର ଯେଉଁ ରୋଗୀଙ୍କ ଉପରେ କରାଯାଇଥିଲା ତାହା ହାଇଡ୍ରୋକ୍ସି କ୍ଲୋରୋକୁଇନ (ଏଚସିକ୍ୟୁ) ନେଇନଥିବା ରୋଗୀଙ୍କ ତୁଳନାରେ ସେମାନଙ୍କର ଜୀବନ ପ୍ରତି ଅଧିକ ବିପଦ ଥିଲା | 

ଲ୍ୟାନସେଟ ପକ୍ଷରୁ ୬୭୧ଟି ଚିକିତ୍ସାଳୟରେ ଏହି ପରୀକ୍ଷା କରାଯାଇଥିଲା | ଯେଉଁଠି ୧୪,୮୮୮ ରୋଗୀଙ୍କୁ ଆଣ୍ଟିବାୟୋଟିକ ମ୍ୟାକ୍ରୋଲାଇଡ ସହ ହାଇଡ୍ରୋକ୍ସି କ୍ଲୋରୋକୁଇନ କିମ୍ବା କେବଳ କ୍ଲୋରୋକୁଇନ ଦିଆଯାଇଥିଲା | ଅନ୍ୟ ୮୧,୧୪୪ ରୋଗୀଙ୍କୁ ଏହି ଚିକିତ୍ସା ଦିଆଯାଇନଥିଲା | ଗତ ଏପ୍ରିଲ ପ୍ରାରମ୍ଭରେ କୋରୋନା ଭାଇରସର ଉପଚାର ପାଇଁ  ହାଇଡ୍ରୋକ୍ସି କ୍ଲୋରୋକୁଇନ (ଏଚସିକ୍ୟୁ) ଉପଯୁକ୍ତ ଔଷଧ ଭାବେ ଦର୍ଶାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ |  ଏହା ପରେ ଏଚସିକ୍ୟୁର ଚାହିଦା ବଢିଯାଇଥିଲା |  ଏପରିକି ସେ ନିଜେ ଏହାର ବ୍ୟବହାର କରିବା ନେଇ ସ୍ୱୀକାର କରିଥିଲେ ଆମେରିକୀୟ ରାଷ୍ଟ୍ରପତି | 

ଲ୍ୟାନସେଟ ପକ୍ଷରୁ କରାଯାଇଥିବା ଗବେଷଣାରେ କୁହାଯାଇଛି ଏଚସିକ୍ୟୁ ଉପଯୋଗ କରିବା ଫଳରେ କୋଭିଡ19 ଆକ୍ରାନ୍ତଙ୍କ କ'ଣ ଲାଭ ହୋଇଛି | ଏକ ସକରାତ୍ମକ ରିପୋର୍ଟ ଆଧାରରେ ରାଷ୍ଟ୍ରପତି ଟ୍ରମ୍ପ  କୋରୋନା ବାଇରସର ଉପଚାର ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଦର ବ୍ୟବହାରକୁ ବଢାଇଥିଲେ | ଏହି ଔଷଧ ଫଳପ୍ରଦ ହେବା ନେଇ ସ୍ପଷ୍ଟ ହୋଇନାହିଁ | ଆମେରିକାର ଫୁଡ ଏବଂ ଡ୍ରଗ ଆଡମିନଷ୍ଟ୍ରେସନ ଗତ ଏପ୍ରିଲ ଏଚସିକ୍ୟୁର ବ୍ୟବହାର କରିବା ଉପରେ ଚେତାବନୀ ଜାରି କରିଥିଲା |