'ମୁଁ' ହେବି ମୁଖ୍ୟମନ୍ତ୍ରୀ!

ଉଦ୍ଧବ ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଥିବା ସମସ୍ତ କଣ୍ଟା ସଫା ହୋଇଯାଇଛି

'ମୁଁ' ହେବି ମୁଖ୍ୟମନ୍ତ୍ରୀ!

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ମହାରାଷ୍ଟ୍ର ମହାନାଟକର ମହାଡ୍ରାମା ଶେଷ ହେବାକୁ ଯାଉଛି । ଦୀର୍ଘଦିନର ଛକାପଞ୍ଝାରେ ପଡ଼ିବାକୁ ଯାଉଛି ଯବନିକା । ପ୍ରଥମେ ସିଂହାସନ ପାଇଁ ଚାଲିଥିଲା ଲଢେଇ । ସବୁ ଦଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରୁଥିବାବେଳେ ଭାଗବଣ୍ଟା ଶେଷ ହୋଇପାରି ନ ଥିଲା । ସେପଟେ ଶିବସେନା କୁ ମୁଖ୍ୟମନ୍ତ୍ରୀ ପଦ ମିଳିଲେ ସେ ମେଣ୍ଟ ସରକାର ପାଇଁ ସମର୍ଥନ ଜଣାଇବେ ବୋଲି ଜିଦ୍ ଧରିଥିଲେ । 

ପରେ ଏନସିପି ଓ ଶିବସେନା ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ପାଇବେ ଓ କଂଗ୍ରେସର କିଛି ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ହିସାବ ଛିଡିଥିଲା । ମାତ୍ର ରାତିରାତି ଏନସିପିର ଅଜିତ ପାୱାରଙ୍କୁ ହାତେଇ ବିଜେପି ସରକାର ଗଠନ କରିଥିଲା । ଶନିବାର ଦିନ ସକାଳ ୮ଟାରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମାତ୍ର ଏହି ରାତାରାତି କାରବାରକୁ ବିରୋଧୀଙ୍କ ଅଧିକ ଦିନ ଚାଲିବାକୁ ଦେଇ ନ ଥିଲେ । ସଂଖ୍ୟା ଗରିଷ୍ଠତାକୁ ନେଇ ହିସାବ ନ ଛିଡିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଆଉ ଆଜି ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବା ପରେ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ଦେବେନ୍ଦ୍ର ଓ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାର ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ତାସହିତ ବିଜେପି ବିରୋଧୀ ଆସନରେ ବସିବ ବୋଲି ଫଡନାଭିସ୍ ପ୍ରେସମିଟରେ କହିଥିଲେ ।

ବିଜେପି ଇସ୍ତଫା ଦେଇ ସାଇଡ କାଟିବା ପରେ ଏବେ ଶିବସେନା-ଏନସିପି ଓ କଂଗ୍ରେସ ପାଇଁ ପଥ ପରିଷ୍କାର ହୋଇଛି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ ରାସ୍ତା ସଫା ହୋଇଛି । ଗୋଟିଏ ପ୍ରକାର କହିବା ପାଇଁ ଗଲେ ଉଦ୍ଧବ ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଥିବା ସମସ୍ତ କଣ୍ଟା ସଫା ହୋଇଯାଇଛି । ତେଣୁ ଖୁବ ଶୀଘ୍ର ଶିବସେନା ପକ୍ଷରୁ ଉଦ୍ଧବ ଠାକରେଙ୍କୁ ରାଜ୍ୟାଭିଷେକ କରାଯିବାର ବାଟ ବାହାରିଛି । 

ତେବେ ବର୍ତ୍ତମାନର ସବୁଠାରୁ ବଡ଼ କଥା ହେଲା ତିନି ଦଳ ମିଶି ଗଠନ କରିବାକୁ ଯାଉଥିବା ମେଣ୍ଟ ସରକାର କେତେ ଦିନ ପର୍ଯ୍ୟନ୍ତ ତିଷ୍ଠିବ ତାହା ହିଁ ଦେଖିବା ବାକି ରହିଲା ।