ଆଇଡି ବିସ୍ଫୋରଣରେ ଥରିଲା LOC: ଜଣେ ଯବାନ ଶହୀଦ, ୨ ଆହତ

ପୁଣି ଆଇଡି ବିସ୍ଫୋରଣରେ ଥରିଲା ଜମ୍ମୁ କାଶ୍ମୀର । ବିସ୍ଫୋରଣରେ ଜଣେ ଯବାନ ଶହୀଦ ହେବା ସହ ୨ ଆହତ ହୋଇଛନ୍ତି । ବିସ୍ଫୋରଣଟି ପଲ୍ଲନବାଲା ସେକ୍ଚରରେ LOC ନିକଟରେ ହୋଇଛି । 

ଆଇଡି ବିସ୍ଫୋରଣରେ ଥରିଲା LOC: ଜଣେ ଯବାନ ଶହୀଦ, ୨ ଆହତ

ଶ୍ରୀନଗର: ବର୍ତ୍ତମାନ ଯାଏ ଜମ୍ମୁ କାଶ୍ମୀରରୁ କମ ହୋଇ ନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ । ପ୍ରାୟ ଦିନ କାଶ୍ମୀରରେ ଆତଙ୍କବାଦୀମାନେ ସୁରକ୍ଷା ବଳ ସହ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି ।  ପୁଣି ଆଇଡି ବିସ୍ଫୋରଣରେ ଥରିଲା ଜମ୍ମୁ କାଶ୍ମୀର । ବିସ୍ଫୋରଣରେ ଜଣେ ଯବାନ ଶହୀଦ ହେବା ସହ ୨ ଆହତ ହୋଇଛନ୍ତି । ବିସ୍ଫୋରଣଟି ପଲ୍ଲନବାଲା ସେକ୍ଚରରେ LOC ନିକଟରେ ହୋଇଛି । ଏହି ବିସ୍ଫୋରଣ ସେହି ସମୟରେ ହୋଇଥିଲା, ଯେତେବେଳେ ସେନାର ଯବାନ ଆର୍ମି ଟ୍ରକ ନେଇ ଯାଉଥିଲେ ।

ଏହି ଘଟଣାଟି ପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ନିଆଯାଇଛି । ବର୍ତ୍ତମାନ ତଲାସୀ ଅଭିଯାନ ଜାରି ରହିଛି । ଆତଙ୍କୀଙ୍କୁ ଧରିବା ପାଇଁ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଅନ୍ୟପକ୍ଷେ ନଭେମ୍ୱର ୧୩ରେ ଆତଙ୍କୀମାନେ ଜମ୍ମୁ କାଶ୍ମୀର ତ୍ରାଲରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲେ । ଆତଙ୍କୀମାନେ ଏଠାକାର ଜଣେ ଦୋକାନୀଙ୍କୁ ହତ୍ୟା କରିଥିଲେ । ଏହାସହ ସାଧାରଣ ଲୋକଙ୍କ ଉପରେ ମଧ୍ୟ ଫାଇରିଂ କରିଥିଲେ ।

ଏହାପୂର୍ବରୁ ସୋମବାର ବାନ୍ଦୀପୋରାରେ ସୁରକ୍ଷା କର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଜଣେ ଆତଙ୍କୀ ନିହତ ହୋଇଥିଲା । ଏହାସହ ରବିବାରରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ନିହତ ଆତଙ୍କୀଙ୍କସ ସଂଖ୍ୟା ୨ରେ ପହଞ୍ଚିଥିଲା । ପୋଲିସ ଅନୁସାରେ, ବାନ୍ଦିପୋରର ବିଜହରା ଅଞ୍ଚଳରେ ୩ ଲଶକର ଆତଙ୍କୀଙ୍କ ଉପସ୍ଥିତି ଖବର ପାଇଁ ରବିବାର ମଧ୍ୟରାତିରୁ ଅପରେଶନ ଆରମ୍ଭ ହୋଅଥିଲା । ଏହା ପୋଲିସ ଓ ସେନାର ମିଳିତ ଅଭିଯାନ ଥିଲା ।

ସେହିପରି ପାକିସ୍ତାନ ବୁଧବାର ମଧ୍ୟ ଜମ୍ମୁ କାଶ୍ମୀର ସ୍ଥିତ ରାଜୌରୀ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଳଙ୍ଘନ କରିଥିଲା । ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା । ଏହାପୂର୍ବରୁ ମଙ୍ଗଳବାର ମଧ୍ୟ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଉଲଙ୍ଘନ କରାଯାଇଥିଲା । ଅନ୍ୟପକ୍ଷେ ବିଗତ ମାସରେ ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ କାଶ୍ମୀର ସ୍ଥିତ ସୋପୋରରେ ଗ୍ରେନେଡ ଦ୍ୱାରା ଏହି ଆକ୍ରମଣ କରିଥିଲା । ଏହି ଗ୍ରେନେଡ ମାଡ଼ ସୁରକ୍ଷା କର୍ମୀଙ୍କ ଉଦ୍ଦେଶ୍ୟର କରାଯାଇଥିଲା । ଏହି ଆକ୍ରମଣରେ ୧୯ ଜଣ ସାଧାରଣ ଜନତା ଆହତ ହୋଇଥିଲେ ।