ଶିବସେନା ପାଖରେ ସମୟ କମ୍, ପ୍ରଶ୍ନ ଅଧିକ
Advertisement

ଶିବସେନା ପାଖରେ ସମୟ କମ୍, ପ୍ରଶ୍ନ ଅଧିକ

ବିଜେପି ସହ ସମ୍ପର୍କ ସତରେ କାଟିବ ଶିବସେନା ? ବିଚାରଗତ ସମର୍ଥନ ବିଜେପିଠୁ ଯେତିକି ମିଳିଛି, ସେତିକି ସମର୍ଥନ ବିକଳ୍ପ ସରକାରରୁ ମିଳିବ ତ ?

ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କିଏ ସରକାର ଗଢିବ, ଫଳଫଳର ୧୨ ଦିନ ପରେ ବି ଅସ୍ପଷ୍ଟ । ବିଜେପି-ଶିବସେନା ଭିତରେ ଚାଲିଥିବା ଝକାପଞ୍ଝା ଜାରି ରହିଛି । ଆଉ ଏହାରି ଭିତରେ ବିକଳ୍ପ ସରକାର ଗଠନ ପାଇଁ ଶିବସେନା ଆଗରେ ସର୍ତ୍ତ ରଖିଛି ଏନସିପି । ହେଲେ ଏନସିପିର ସର୍ତ୍ତ ଶିବସେନାକୁ ଅଡୁଆରେ ପକାଉଛି । 

ଏନସିପି ମୁଖପାତ୍ର ନୱାବ ମଲିକ ପୁରୁଣା କଥା ଦୋହରାଇଛନ୍ତି । ଶିବସେନାକୁ ଏନସିପି ସମର୍ଥନ କରିପାରେ । ହେଲେ ଏଥିପାଇଁ କିଛି ସର୍ତ୍ତ ରହିଛି । ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଲା ବିଜେପି ସହ ସମ୍ପର୍କ କାଟିବା । ଏପରିକି ଶିବସେନାକୁ ମିଳିଥିବା ଗୋଟିଏ କେନ୍ଦ୍ରମନ୍ତ୍ରୀ ପଦରୁ ବି ଇସ୍ତଫା ଦେବା । ଏନସିପିର ଏହି ସର୍ତ୍ତ ଏବେ ଶିବସେନାକୁ ଭାବିବାକୁ ବାଧ୍ୟ କରୁଛି । 

ଯଦି ଏନସିପି ସହ ମିଶି ଶିବସେନା ସରକାର ଗଢେ, ସେମିତି ବି ବିଜେପି ସହ ସମ୍ପର୍କ ଗୋଟିଏ ପ୍ରକାର ଛିନ୍ନ ହେବ ନିଶ୍ଚିତ । ମୋଦି କ୍ୟାବିନେଟରୁ ଶିବସେନାର ମନ୍ତ୍ରୀ ବିଦା ବି ହେବେ । ଏହା କିଛି ନୂଆ କଥା ନୁହେଁ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଚାରଗତ ଦୃଷ୍ଟିରୁ ବିଜେପି ବ୍ୟତୀତ ଅନ୍ୟ ଦଳ ସହ ସରକାର ଗଢିବା ଶିବସେନା ପାଇଁ କାଠିକାର ପାଠ । ଏନସିପି, କଂଗ୍ରେସର ଆଦର୍ଶ ଠାରୁ ଶିବସେନାର ଆଦର୍ଶ ଭିତରେ ଆକାଶ ପାତାଳ ତଫାତ ରହିଛି । 

କେବଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଦର୍ଶକୁ ବଳି ଦେବ ଶିବସେନା ! ଯଦି ନୁହେଁ, ଏନସିପି ଏବଂ କଂଗ୍ରେସ ସମର୍ଥନରେ ସରକାର ଗଢି ନିଜ ଆଦର୍ଶକୁ ବଜାୟ ରଖିପାରିବ ତ ? ଏବେ ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜୁଛି ଶିବସେନା । ବିଜେପି ଠାରୁ ସମ୍ପର୍କ କାଟିବା ପୂର୍ବରୁ ବାରମ୍ବାର ଭାବିବାକୁ ପଡୁଛି । 

ଏକଥା ବି ଶିବସେନା ସନ୍ଦେହ କରୁଥାଇପାରେ , ଏନସିପି ଆଉ କଂଗ୍ରେସର ସମର୍ଥନ କେତେଦିନିଆ ? ଏମାନେ ଅଧାବାଟରେ ଧୋକା ଦେବେନି ତ ? ବିଜେପି ସହ ସମର୍କ କାଟି ଶିବସେନା ଯାହା ହରାଇବ, ଏନସିପି ଆଉ କଂଗ୍ରେସର ସମର୍ଥନରେ ତାହା ପାଇପାରିବ ତ ? ଦିନକ ପରେ ସରୁଛି ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ । ଖୁବଶୀଘ୍ର ଏତେସବୁ ପ୍ରଶ୍ନର ଉତ୍ତର ଉଦ୍ଧବଙ୍କୁ ଖୋଜିବାରୁ ପଡୁଛି ।  

ଏନସିପି ମୁଖପାତ୍ର ନୱାବ ମଲିକ ଯେଉଁ ଢଙ୍ଗରେ ଶିବସେନାକୁ ସମର୍ଥନ କଥା କହୁଛନ୍ତି, ତାହା ମଧ୍ୟ ଏସବୁ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଉଛି । ଯଦି ବିଜେପି ମୁଖ୍ୟମନ୍ତ୍ରୀ ପଦ ଶିବସେନା ହାତରେ ଦିଏ ଏବଂ ଉଭୟଙ୍କ ମଧ୍ୟରେ ମେଣ୍ଟ ହୁଏ, ତେବେ ଏଥିରୁ ବଳି ଆଉ ଭଲ ଖବର ନାହିଁ ବୋଲି କହିଛନ୍ତି ଏନସିପି ମୁଖପାତ୍ର । ତାଙ୍କ କହିବା କଥା ହେଲା, ଯଦି ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ବିଜେପି ମନାକରୁଛି, ତେବେ ଏକ ବିକଳ୍ପ ସରକାର ସମ୍ଭବ । ଆଉ ଏଥିପାଇଁ ପ୍ରଥମେ ବିଜେପି ସହ ସମସ୍ତ ସମ୍ପର୍କ ତୁଟାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । 

ତେବେ ଶିବସେନା କଣ ନିଷ୍ପତ୍ତି ନେଉଛି, ତାହା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାରି ଭିତରେ ଖୁବଶୀଘ୍ର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିବେ ବୋଲି ଜଣାପଡିଛି । ତେବେ ନୀତିନ-ଉଦ୍ଧବ ସାକ୍ଷାତ ପରେ ଏକ ସ୍ପଷ୍ଟ ଚିତ୍ର ଆସିପାରେ । ସେତେବେଳ ପର୍ଯ୍ୟନ୍ତ ବିଜେପି ନେତା ଶିବସେନାକୁ ନେଇ ମାପିଚୁପି ପ୍ରତିକ୍ରିୟା ରଖିବା ସ୍ୱାଭାବିକ କଥା ।