କାମ କରୁନି କଟକଣା: ଘର ଆଗରେ ତାଳ ଫୋଟକା, ଭିତରେ ତିଆରି ହେଉଛି ସୁତୁଲି ବୋମା

କଟକଣା ସତ୍ତ୍ୱେ ଚାଲିଛି ବେଆଇନ ବାଣ ତିଆରି। ଅଳ୍ପସଂଖ୍ୟକ ବାଣ ପ୍ରସ୍ତୁତ ପାଇଁ ମିଳିଛି ଲାଇସେନ୍ସ । ହେଲେ ପ୍ରସ୍ତୁତ ହେଉଛି ବଡ ବଡ ବାଣ ।

କାମ କରୁନି କଟକଣା: ଘର ଆଗରେ ତାଳ ଫୋଟକା, ଭିତରେ ତିଆରି ହେଉଛି ସୁତୁଲି ବୋମା
କଟକଣା ସତ୍ତ୍ୱେ ଚାଲିଛି ବେଆଇନ ବାଣ ତିଆରି

ସୁଚିତ୍ରା ସେଣ୍ଢ, ପୁରୀ: ଆସୁଛି ଆଲୋକର ପର୍ବ ଦୀପାବଳି ।  ଦୀପାବଳିରେ ବାଣ ଫୁଟାଇବାର ରହିଛି ପରମ୍ପରା । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ବାଣ ଫୁଟାଇ ଦୀପ ଲଗାଇ ଆଲୋକର ପର୍ବକୁ ପାଳନ କରନ୍ତି । କିନ୍ତୁ କମ୍ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ଫୁଟାଇବା ନିୟମ ରହିଥିବା ବେଳେ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ବ୍ୟବହାର ଉପରେ କଟକଣା ଲାଗିଛି । ଏଥିପାଇଁ ପୋଲିସ ପ୍ରଶସାନ ପକ୍ଷରୁ ଲୋକଙ୍କୁ ସତର୍କ କରଯାଉଛି । ଏତେ ସବୁ ହେଲାପରେ ବି ବେଆଇନ ଭାବେ ତିଆରି ହେଉଛି ବାଣ ।  ଜୀ ଓଡ଼ିଶା ଟିମ୍ ଛାନଭିନ କରି ଜାଣିବାକୁ ପାଇଛି, ପୁରା ଘଟଣା । 

ଦୀପାବଳିକୁ ଆଖିରେ ରଖି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସୀମାନ୍ତ ଗାଁ ଗୋଲାପଡ଼ାର ବାମ କରିଗର ଲାଗିଛନ୍ତି ବାଣ ତିଆରିରେ । କେତେକ କାରିଗର ବେଆଇନ ବାଣ ପ୍ରସ୍ତୁତି କରୁଥିବା ଜଣାପଡିଛି । ଆମ ଟିମ୍  ପୁରା ଛାନଭିନ୍ କରି ବେଆଇନ ଭାବେ ବାଣ ତିଆରି ହେଉଥିବା ଜାଣିବାକୁ ପାଇଛି । ବାଣ କରିଗରମାନେ  ଅଳ୍ପସଂଖ୍ୟକ ବାଣ ପ୍ରସ୍ତୁତ ପାଇଁ ଲାଇସେନ୍ସ କରି ବେଆଇନ ଭାବେ ସୁତୁଲି ବୋମା, ବାଡ଼ିଆ ବାଣ ଆଦି ତିଆରି କରୁଛନ୍ତି । 

 କିଏ ତାଳପତ୍ରକୁ ମୋଡ଼ି ତାଳଫୋଟକା ତିଆରି କରିବାରେ ବ୍ୟସ୍ତ ତ ପୁଣି କିଏ କୁମ୍ପି ଘଡ଼ିରେ ବାରୁଦ ଭର୍ତ୍ତି କରି କୁମ୍ପି ବାଣ ତିଆରି କରିବାରେ ବ୍ୟସ୍ତ । ଦୀପାବଳିକୁ ଆଖି ଆଗରେ ରଖି ଏମାନେ ଆରମ୍ଭ କରି ଦେଲେଣି କାମ ।  ଆମେ କହୁଛୁ  ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାନ୍ତ ଜଟଣୀ ନିକଟସ୍ଥ ଗୋଲାପଡ଼ା ଗାଁର କଥା । ଦୀପାବଳି ପାଇଁ କାରିଗରମାନେ ଲାଗି ପଡ଼ିଛନ୍ତି ନିଜ ନିଜ କାମରେ।  ନିୟମ ମୁତାବକ ବାଣ ତିଆରି  ପାଇଁ ଲାଇସେନ୍ସ ଆଣି ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ ପ୍ରସ୍ତୁତ କରୁଛନ୍ତି କାରିଗର । ବିଶେଷ କରି ସୁତୁଲି ବୋମା, କାଗଜ ବୋମା ଓ ବାଡ଼ିଆ ବାଣ ତିଆରି ଉପରେ ସମ୍ପୂର୍ଣ୍ଣ କଟକଣା ଥିବା ବେଳେ, ଅର୍ଥଲୋଭରେ ବେଆଇନ ଭାବେ ଲୁଚାଛପାରେ ଚାଲିଛି ବାଣ ପ୍ରସ୍ତୁତି । ଦେଶୀ ବାଣର ଅଧିକ ଚାହିଦା ଥିବାରୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ୱର ଓ କଟକ ଆଦି ଅଞ୍ଚଳରୁ ଅନେକ ଗ୍ରାହକ ଦୀପାବଳି ସମୟରେ ଏହି ଗାଁକୁ ବାଣ ପାଇଁ ଆସିଥାନ୍ତି ।

ଗୋଟେ ପଟେ ଦେଶୀ ବାଣର ଚାହିଦା ଅଧିକ ଥିବା ବେଳେ ଅନ୍ୟପଟେ କଞ୍ଚା ମାଲର ଅଧିକ ଦାମ ।  ତା ସାଙ୍ଗକୁ ସରକାରଙ୍କ ବିଭିନ୍ନ ପ୍ରକାର କଟକଣାକୁ ନଜରରେ ରଖି ବହୁ ସତର୍କତାର ସହ ବାଣ ତିଆରି କରୁଛନ୍ତି ବାଣ କାରିଗର । ଗୋଟିଏ ଦୁଇଟି ଅଗ୍ନି ନିର୍ବାପକ ଯନ୍ତ୍ର ରଖି ଘଡ଼ି, ଗଡ଼ମ୍ବା, ଶୂନ୍ୟ ଫୋଟକା, ତାଳ ଫୋଟକା, ହାବେଳି, ରକେଟ  କମ ପ୍ରଦୂଷଣ ଓ କମ୍ ଶ୍ରଦ୍ଧ ସୃଷ୍ଟି କରୁଥିବା ବାଣକୁ  ଘରର ଆଗପଟେ ପ୍ରସ୍ତୁତ କରୁଥିବା ବେଳେ  ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ବେଆଇନ ବାଣକୁ   ଘରର ପଛପଟେ ତିଆରି କରଯାଉଛି ।  ସେପଟେ ପୋଲିସ ସବୁ ଜାଣି ଅଜଣା ହେଉଥିବା ଗ୍ରାମାବାସୀ କହିଛନ୍ତି ।

ଦୀପାବଳିକୁ ଆଉ ଅଳ୍ପ ଦିନ ଥିବା ବେଳେ, ଅଧିକ ରୋଜଗାର ଆଶାରେ କାରିଗରମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ ବାଣ ପ୍ରସ୍ତୁତ କରୁଛନ୍ତି । ତେବେ  ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି । କାହିଁକିନା ବିଗତ ଦିନରେ ବାଣ ଗୋଦାମ ଓ କାରଖାନାରେ ବିସ୍ଫୋରଣ ହୋଇ ବହୁ ଧନ ଜୀବନ ଯାଇଥିବାର ନଜିର ରହିଛି । ଯଦି ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଏ, ତେବେ ବେଆଇନ ବାଣ କାରିଗର ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବେ  ।