ବେଆଇନ ଭାବେ ଚାଲୁଛି ପଥର ଖଣି...କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର...ଜଙ୍ଗଲ କାଟି ପଦା କରୁଛନ୍ତି ମାଫିଆ...ସ୍ପଷ୍ଟ ଦିବାଲୋକରେ କଟାଯାଉଛି ପଥର...ପଥର ମାଫିଆଙ୍କ ଭୟରେ ଲୋକ ମୁହଁ ଖୋଲୁନାହାଁନ୍ତି...ପ୍ରଶାସନ ହାତବାନ୍ଧି ବସିଛି...
Trending Photos
ସଦାଶିବ ସେଠୀ, କାମାକ୍ଷାନଗର: ଢେଙ୍କାନାଳ କଙ୍କଡାହାଡ ଅଞ୍ଚଳର ୫ଟି ସ୍ଥାନରେ ଚାଲିଛି ବେଆଇନ ପଥର ଖଣି । ଗଡପଳାଶୁଣି, କରଗଳା, ଜରଡା, ବାହାଡାପାଳ ,ଖଜୁରିଆରେ ଚାଲିଛି ବେଆଇନ ପଥର ଖଣି। ବେଆଇନ ଭାବେ ଏହି ମଙ୍କଡା ପଥର ଖଣି ଚାଲୁଛି । ଘଞ୍ଚ ଜଙ୍ଗଲକୁ କାଟି ପଦା କରି ସାରିଲେଣି ପଥର ମାଫିଆ । ବର୍ଷ ବର୍ଷ ଧରି ଚାଲୁଥିଲେ ମଧ୍ୟ ଏଥି ପ୍ରତି ପ୍ରଶାସନର ନିଘା ନାହିଁ। ବିନା ଲିଜରେ ମାଙ୍କଡା ପଥର କାଟି ଚାଲାଣ କରାଯାଉଥିବା ଅଭିଯୋଗ ଆସିଛି ।
କେତେକ ଖାଦାନ ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଆଉ କେତେକ ଖାଦାନ କାର୍ଯ୍ୟକ୍ଷମ ରହିଛି । ଖାଦାନରୁ ପ୍ରଚୁର ପରିମାଣର ପଥର କଟା ଯାଇ ବେଧଡକ ଭାବେ ଦିନ ଦ୍ୱିପ୍ରହରରେ ଚାଲାଣ କରାଯାଉଛି । ପଥର ମାଫିଆମାନେ ଦିନ ରାତି ପଥର କାଟି ମୋଟା ଅଙ୍କର ମୁନାଫା କମାଉଛନ୍ତି । ଏମିତିକ ପଥର ମାଫିଆଙ୍କ ଧମକ ଯୋଗୁଁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ମୁହଁ ଖୋଲୁନାହାନ୍ତି । କେହି ଯଦି ଏ ବିଷୟରେ କିଛି କହୁଛନ୍ତି ତାହେଲେ ସେମାନଙ୍କୁ ଧମକ ମିଳିୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଜିଲ୍ଲାର ଉଭୟ କାମାକ୍ଷାନଗର ପୂର୍ବାଞ୍ଚଳ ଓ ମହାବିରରୋଡ ରେଞ୍ଜ ଅଧିନରେ ଥିବା ଜଙ୍ଗଲ ଜମିରେ ଚାଲୁଛି ବେଆଇନ ପଥର ଖଣି । ଜଙ୍ଗଲ କିସମ ଜମିରୁ ବେଆଇନ ଭାବେ ଦୀର୍ଘ ବର୍ଷ ଧରି ପଥର ଖଣି ଚାଲୁଛି । ପ୍ରଶାସନର କୋହଳ ମନୋଭାବ ହେତୁ ମାଫିଆ ମାନେ ଦିନ ଏବଂ ରାତିରେ ପଥର କାଟି ମୁନାଫା କମାଉଛନ୍ତି। ପଥର ଖଣି ଯୋଗୁଁ ପ୍ରାକୃତିକ ପରିବେଶ ନଷ୍ଟ ହେଉଛି । ଏଥି ସହିତ ବର୍ଷା ଦିନେ ଏହି ସବୁ ଜାଗା ମରଣାଯନ୍ତା ପାଲଟୁଛି । ଖାଲ ମାନଙ୍କରେ ପାଣି ଜମି ରହୁଥିବାରୁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କେବଳ ଏତିକି ନୁହେଁ, ଏଥିପାଇଁ ହାତୀମାନଙ୍କ ଗତିପଥ ବଦଳିଯାଉଛି । ଯାହା ଫଳରେ ସେମାନେ ଏବେ ଜନବସତି ମୁହାଁ ହେଉଛନ୍ତି । ବିଗତ ବର୍ଷ ଗୁଡିକରେ ଏହି ବେଆଇନ ପଥର ଖଣି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ବେଳେ ବିଭାଗୀୟ ଅଧିକାରୀ ମାଫିଆଙ୍କ ଠାରୁ ମୋଟା ଅର୍ଥ ନେଇ ଚୂପ ବସିଥିବା ଅଭିଯୋଗ ହେଊଛି । ଏସମ୍ପର୍କରେ ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ ଚିରାଚରିତ ଉତ୍ତର ରଖିଛନ୍ତି । ବର୍ଷାଋତୁ ଯୋଗୁଁ କଟା ବନ୍ଦ ଥିଲା। ଏବେ ଘଟଣା ସମ୍ପର୍କରେ ଅବଗତ ଥିବା କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ । ଅଞ୍ଚଳରେ ପୁଣିଥରେ ରେଡ୍ କରିବେ ବୋଲି ସେ କହିଛନ୍ତି ।
ବେଆଇନ ପଥର ଖଣି ଯୋଗୁଁ ସରକାରଙ୍କ ରାଜସ୍ୟ ବର୍ଷକୁ କୋଟି କୋଟି ଟଙ୍କା କ୍ଷତି ହେଉଛି । ଏହାର ସିଧାସଳଖ ଲାଭ ଉଠାଉଛନ୍ତି ମାଫିଆ। ଏପରି ସ୍ଥଳେ ବିଭାଗୀୟ ଅଧିକାରୀ ଏହି ଚୋରା ପଥର ଖାଦାନ ଉପରେ ଚଢାଉ କରି ବେଆଇନ ଭାବେ ଚାଲୁଥିବା ଖାଦାନକୁ ବନ୍ଦ କରିବାକୁ ଦାବି ହେଉଛି ।
ଆହୁରି ପଢନ୍ତୁ; ପୋଲିସର ଜୋତାକୁ କିସ୍ କଲେ ସାଂସଦ