ଦିବ୍ୟାଙ୍ଗଙ୍କ ସମସ୍ୟା ପାଇଁ ଲଢୁଛନ୍ତି ଜଣେ ଦିବ୍ୟାଙ୍ଗ

 ପିଲାଟି ଦିନରୁ ନିଜକୁ ସକ୍ଷମ କରିବାରେ ପ୍ରଚେଷ୍ଟା କରି ଆଜି ସମାଜରେ ଅନ୍ୟ ମାନଙ୍କ ପାଇଁଉଦାହରଣ ପାଲଟିଛନ୍ତି । 

ଦିବ୍ୟାଙ୍ଗଙ୍କ ସମସ୍ୟା ପାଇଁ ଲଢୁଛନ୍ତି ଜଣେ ଦିବ୍ୟାଙ୍ଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଘଣ୍ଟେଶ୍ବର ଅଞ୍ଚଳର ଦିବ୍ୟାଙ୍ଗ ଜଗନ୍ନାଥ ସାହୁ ।  ତାଙ୍କର ଦୁଇ ହାତ ନାହିଁ  କିନ୍ତୁ ସେ ନିଜର ସମସ୍ତ କାର୍ଯ୍ୟ ଗୋଡରେ କରିବାରେ ସକ୍ଷମ । ଜଗନ୍ନାଥ ନିଜ ଗୋଡ଼ ସାହାଯ୍ୟରେ ଲେଖିବା  କାମ କରିଥାନ୍ତି । ସ୍ନାତକ  ପାସ ପରେ ଏବେ ସେ, ଶ୍ରମଅଧିକାରୀ କାର୍ଯ୍ୟାଳୟରେ ଠିକା ପିଅନ ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ଏତିକିରେ ଅଟକି ଯାଇନି ଜଗନ୍ନାଥଙ୍କର ମନବଳ । ଏକ ଦିବ୍ୟାଙ୍ଗ ଭାବେ ନିଜର ସମସ୍ୟାକୁ ଅନୁଭବ କରି ସମାଜର ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଦାବି କରି ଆସୁଛନ୍ତି ।

ରେଳରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବଗି ରହିଥିଲେ ମଧ୍ୟ ଷ୍ଟେସନ ତରଫରୁ ଆଗୁଆ ସୂଚନା ନ ଦେବା ଓ ଷ୍ଟେସନରେ କମ ସମୟ ପାଇଁ ରେଳ ରହିବା ଦ୍ୱାରା ଦିବ୍ୟାଙ୍ଗ ମାନେ ଏହାର ସଠିକ ଉପଯୋଗ କରିପାରୁ ନଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ଜଗନ୍ନାଥ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରେରଣ କରିଥିଲେ । ଏହାର କୌଣସି ଉତ୍ତର ନ ମିଳିବାରୁ ପୁଣି ଥରେ ଭଦ୍ରକ ଷ୍ଟେସନ ମ୍ୟାନେଜରଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।  ଏହାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆମରଣ ଅନଶନକୁ ଓହ୍ଲାଇବେ ବୋଲି ଜଗନ୍ନାଥ ଚେତାବନୀ ଦେଇଛନ୍ତି ।