ୱିକେଟ କିପର୍ ସମସ୍ୟାରୁ ବାହାରିପାରୁ ନାହିଁ ଭାରତ

ମହେନ୍ଦ୍ର ସିଂ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେବାର ବିତିଗଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ଉଇକେଟ କିପର ଚୟନ କରିବା ସମସ୍ୟାରୁ ବାହାରିପାରୁନି ଭାରତୀୟ ଦଳ

ୱିକେଟ କିପର୍ ସମସ୍ୟାରୁ ବାହାରିପାରୁ ନାହିଁ ଭାରତ
ସୌଜନ୍ୟ: ସୋସିଆଲ ମିଡିଆ

ଗୌରଭ ସାମଲ, ଭୁବନେଶ୍ୱର: ମହେନ୍ଦ୍ର ସିଂ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେବାର ବିତିଗଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ୱିକେଟ କିପର ଚୟନ କରିବା ସମସ୍ୟାରୁ ବାହାରିପାରୁନି ଭାରତୀୟ ଦଳ । ଚଳିତ ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳାରେ ରିଦ୍ଧିମାନ ସାହା ଦଳର ଭାର ସମ୍ଭାଳୁଥିବା ବେଳେ ଋଷଭ ପନ୍ଥଙ୍କୁ ତାଙ୍କର ଡେପୁଟି ଭାବେ ରଖାଯାଇଛି ।

ଧୋନୀ ଅବସର ନେବା ପରେ ବେଙ୍ଗଲ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହାଙ୍କୁ ଦଳରେ ସାମିଲ କରାଯାଇଥିଲା । ଗତ ବର୍ଷ ସାହାଙ୍କ କାନ୍ଧରେ ଆଘାତ ଲାଗିବା କାରଣରୁ ତାଙ୍କ ଜାଗାରେ ଦିଲ୍ଲୀର ବାମହାତି ଉଇକେଟ-କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥଙ୍କୁ ଦଳରେ ଜାଗା ମିଳିଥିଲା । ଇଂଲଣ୍ଡ ବିପକ୍ଷରେ କ୍ୟାରିୟାର ଆରମ୍ଭ କରିଥିବା ପନ୍ଥ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରି ଚର୍ଚ୍ଚାରେ ଆସିଥିଲେ । ଏହା ପରେ କିନ୍ତୁ ପନ୍ଥଙ୍କ ପ୍ରଦର୍ଶନରେ ଅବନତୀ ଦେଖିବାକୁ ମିଳିଥିଲା । ତାଙ୍କ ଟେମ୍ପରାମେଣ୍ଟ ଏବଂ ୱିକେଟ କିପିଙ୍ଗକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା ।

ଗତ ୱେଷ୍ଟ-ଇଣ୍ଡିଜ ଶୃଙ୍ଖଳାରେ ରିଦ୍ଧିମାନ ଶାହ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କୁ ୧୧ ଜଣଙ୍କ ଭିତରେ ସ୍ଥାନ ମିଳି ନ ଥିଲା । ଦକ୍ଷିଣ-ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାଠାରୁ ତାଙ୍କୁ ଦଳର ଭାର ସମ୍ଭାଳିବାକୁ ଦିଅଯାଇଛି । ଭାରତୀୟ ଟପ ଅର୍ଡର ଲଗାତାର ଭଲ ପ୍ରଦର୍ଶନ କରି ରନ ସଂଗ୍ରହ କରୁଥିବା ବେଳେ ଶାହଙ୍କୁ ଚାରୋଟି ମ୍ୟାଚରେ ତିନି ଥର ବ୍ୟାଟିଂ କରିବାକୁ ସୁଯୋଗ ମିଳିଛି । ତିନୋଟି ଇଂନିଙ୍ଗସରେ ଶାହଙ୍କ ୨୧,୨୪ ଓ ୧୨ ରନ ଦଳର ଖାତାରେ ଯୋଡି ପାରିଛନ୍ତି ।

ନିଜ ଉଇକେଟ-କିପିଙ୍ଗ ଟେକନିକ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଶାହଙ୍କୁ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଭାରତର ଶ୍ରେଷ୍ଠ ଉଇକେଟ କିପର ବୋଲି କହିଛନ୍ତି । ଆଗକୁ ବିଦେଶୀ ଶୃଙ୍ଖଳା ଆସୁଥିବାବେଳେ ଦଳରେ ଦକ୍ଷ ଉଇକେଟ-କିପର ବ୍ୟାଟ୍ସମ୍ୟାନ ପାଇଁ ଚୟନ କମିଟି ନୂଆ ମୁହଁକୁ ସାମିଲ କରିବା ପାଇଁ ପଛାଇ ନ ପାରନ୍ତି । ସଞ୍ଜୁ ସମ୍ପସନ ଓ ଈଶାନ କିଷନଙ୍କ ଭଳି ପ୍ରତିଭା ଦଳରେ ନିଜର ଛାପ ଛାଡିବା ପାଇଁ ଅପେକ୍ଷାରେ ଅଛନ୍ତି । ଶାହ ଏବଂ ପନ୍ଥଙ୍କୁ ଦଳରେ ନିଜର ସ୍ଥାନ ବଜାୟ ରଖିବାକୁ ହେଲେ ଅଧିକ କସରତ କରିବାକୁ ହେବ ବୋଲି ପୂର୍ବତନ ଖେଳାଳୀ ମାନେ କହିଛନ୍ତି ।