ଦେବେଶ କୁମାର | ବିଶାଖାପାଟଣା ଓ ପୁନେ ପରେ ରାଞ୍ଚି ଦଖଲ ପାଇଁ ଟିମ୍ ଇଣ୍ଡିଆ ତୟାର । ଶନିବାର ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେଉଛି । ଏଥିପାଇଁ ଦୁଇ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ ମଇଦାନକୁ ଓହ୍ଲାଇବେ । କ୍ରିକେଟ୍ ମଇଦାନରେ ହେବ ଲଢ଼େଇ । ଭାରତର ପଲା ଭାରି ଥିବାବେଳେ ସମ୍ମାନ ରକ୍ଷା ପାଇଁ ସମସ୍ତ ବଳ ପ୍ରୟୋଗ କରିବ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା । ତେବେ, ଅନଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଦକ୍ଷିଣ ଆଫ୍ରିକା କିପରି ଉନ୍ନତ ପ୍ରଦର୍ଶନ କରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୂର୍ବରୁ ବିଶାଖାପାଟଣା ଓ ପୁନେରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବ୍ୟାଟିଂ ଓ ବୋଲିଂରେ କମାଲ କରିଛନ୍ତି ଭାରତୀୟ ଖେଳାଳି । ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ପୂଜାରା, ଅଧିନାୟକ କୋହଲି ଖେଳିଛନ୍ତି ବିରାଟ ଇନିଂସ । ସେମାନଙ୍କ ବ୍ୟାଟିଂକୁ ରୋକିବାରେ ଫେଲ୍ ମାରିଛି ଦକ୍ଷିଣ ଆଫ୍ରିକା । ସେହିପରି, ଅଶ୍ବିନ, ସାମି, ଉମେଶ ଯାଦବଙ୍କ ଘାତକ ବୋଲିଂରେ ବିପକ୍ଷ ଖେଳାଳି ଘାଇଲା ହୋଇଛନ୍ତି । ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ମଧ୍ୟ ଟିମ୍ ପାଇଁ ପ୍ଲସ୍ ପଏଣ୍ଟ ହୋଇଛି । ଗତ ୨ଟି ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଛି କୋହଲି ଆଣ୍ଡ କୋ । ସିରିଜ୍ ବିଜୟ ସହ ୨-୦ରେ ଅଗ୍ରଣୀ ରହିଛି ଟିମ୍ ଇଣ୍ଡିଆ । ତେବେ ରାଞ୍ଚି ପଡିଆରେ ଟସ୍ ର କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବନି ବୋଲି ପ୍ରକାଶ କରିଛନ୍ତି ପିଚ କ୍ୟୁରେଟର ।
ଅନ୍ୟପଟେ, ବିଶାଖାପାଟଣା ଟେଷ୍ଟରେ ଏଲଗାର ଓ ଡିକକ୍ ଶତକ ହାସଲ କରିଥିଲେ ସୁଦ୍ଧା ଦଳ ପରାସ୍ତ ହୋଇଥିଲା । ପୁନେ ଟେଷ୍ଟରେ କିନ୍ତୁ ଉଭୟ ଖେଳାଳି ଫେଲ୍ ମାରିଲେ । ଦ୍ୱିତୀୟ ଟେଷ୍ଟରେ ଡୁପ୍ଲେସିସ୍, କେଶବ ମହାରାଜ ଭଲ ବ୍ୟାଟିଂ କରିଥିବା ବେଳେ ଫର୍ମକୁ ଫେରିଥିଲେ ସ୍ପିଡଷ୍ଟର ରାବଡା । କୋହଲି ଓ ଅଗ୍ରୱାଲଙ୍କ ବଡ଼ ଇନିଂସ ଆଗରେ ସବୁ ପଡ଼ିଗଲା ଫିକା । ଏପରିକି ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କଲା ଦକ୍ଷିଣ ଆଫ୍ରିକା । ତେଣୁ ରାଞ୍ଚି ଟେଷ୍ଟରେ ଦଳକୁ ବିଜୟୀ କରାଇବା ସେମାନଙ୍କ ପାଇଁ କଷ୍ଟକର ହେବ । ଦଳକୁ ଜିତିବାକୁ ହେଲେ ସବୁ ଡିପାର୍ଟମେଣ୍ଟରେ ଟପ୍ ପରଫରମାନ୍ସ କରିବାକୁ ପଡ଼ିବ ।

୧୯୯୬-୯୭ରୁ ଘରୋଇ ମାଟିରେ ବେଶ୍ ଫାଇଦା ନେଇଛି ଟିମ୍ ଇଣ୍ଡିଆ । ଆଇସିସି ଟେଷ୍ଟ ଚାମ୍ପିଅନସିପର ଚଳିତ ସିରିଜକୁ ମିଶାଇ ଏଯାଏ ୭ ଥର ଭାରତ ଗସ୍ତରେ ଆସିଛି ଦକ୍ଷିଣ ଆଫ୍ରିକା । ସିରିଜ୍ କିନ୍ତୁ ବିଜୟୀ ହୋଇପାରିନି ଦଳ । ଭାରତ ୫ ଥର ସିରିଜ୍ ବିଜୟୀ ହୋଇଥିବା ବେଳେ ୨ ଥର ଡ୍ରରେ ଶେଷ ହୋଇଛି । ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ୨ ଥର ସିରିଜ୍ ବିଜୟୀ କରାଇଛନ୍ତି ଅଧିନାୟକ କୋହଲି ଓ ସଚିନ । ଗାଙ୍ଗୁଲି ଥରେ ମାତ୍ର ଭାରତକୁ ସିରିଜ୍ ଜିତାଇଛନ୍ତି । ଧୋନି ଓ କୁମ୍ବଲେଙ୍କ କ୍ୟାପ୍ଟେନସିପରେ ଡ୍ର ରହିଥିଲା ସିରିଜ୍ । ସେପଟେ, ୧୯୯୨ରୁ ଭାରତ ୭ ଥର ଦକ୍ଷିଣ ଆଫ୍ରିକା ଗସ୍ତ କରି ୬ ଥର ସିରିଜ୍ ହାରିଛି । ୨୦୧୦-୧୧ରେ ଧୋନିଙ୍କ ଅଧିନାୟକତ୍ୱରେ ସିରିଜ୍ ଡ୍ର ରହିଥିବା ବେଳେ ଏଯାଏ ଦକ୍ଷିଣ ଆଫ୍ରିକାରେ ସିରିଜ୍ ବିଜୟର ସ୍ୱାଦ ପାଇପାରିନ ଟିମ୍ ଇଣ୍ଡିଆ ।