ମହଙ୍ଗା ହେବ ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚ ଟିକଟ

୫ ଶହ ଟଙ୍କାରୁ ଅଧିକ ଟଙ୍କା ଟିକଟରେ ଗଣିବାକୁ ହେବ ୧୮ ପ୍ରତିଶତ ଜିଏସଟି

ମହଙ୍ଗା ହେବ ଭାରତ ୱେଷ୍ଟଇଣ୍ଡିଜ ମ୍ୟାଚ ଟିକଟ
file photo

ଭୁବନେଶ୍ୱର, ସରୋଜ ବେହେରା: ଆସନ୍ତା ଡିସେମ୍ବର ୨୨ରେ କଟକ ବାରବାଟି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଏକ ଦିବସୀୟ କ୍ରିକେଟ ମ୍ୟାଚ । କମିଶନରେଟ ପୋଲିସ ଓ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ କମିଶନରେଟ ମୁଖ୍ୟ କାର୍ଯ୍ୟାଳୟରେ ଏ ନେଇ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଚଳିତ କ୍ରିକେଟ ମ୍ୟାଚ କିନ୍ତୁ ଦର୍ଶକଙ୍କ ପକେଟକୁ ସାମାନ୍ୟ ଭାରି ପଡିପାରେ । କାରଣ ମ୍ୟାଚ ଦେଖିବା ପାଇଁ ଥିବା ଟିକଟ ପାଇଁ ଦେବାକୁ ପଡିବ ୧୮ ପ୍ରତିଶତ ଜିଏସଟି । ହେଲେ ଖେଳ ପ୍ରେମୀଙ୍କ ପାଇଁ ଏଥର ଉତ୍ତମ ଖାଇବା ଓ ପାନୀୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଓସିଏ କହିଛି । ସେପଟେ ହାଇ ସିକ୍ୟୁରିଟି ଜୋନ ଭିତରେ କ୍ରିକେଟ ଖେଳାଳିଙ୍କୁ ରଖାଯିବ ବୋଲି କହିଛନ୍ତି ପୋଲିସ କମିଶନର  ।

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପସ୍ତୁତ ହୋଇଛି କମିଶନରେଟ ପୋଲିସ । ଖେଳାଳୀଙ୍କ ଆଗମନଠାରୁ ମ୍ୟାଚ ସାରି ଖେଳାଳୀଙ୍କ ଯିବା ଯାଏ କିଭଳି ଶାନ୍ତିଶୃଙ୍ଖଳାର ସହ ସବୁ ସମାପନ ହେବ ତାହା ଉପରେ ଫୋକସ ରଖିଛି ପୋଲିସ । ଖେଳାଳୀମାନେ ଡିସେମ୍ବର ୧୯ ତାରିଖରେ ଆସିବା ପରେ ହୋଟେଲରେ ରହଣି ଓ ସେଠାରୁ ପ୍ରାକ୍ଟିସ ପାଇଁ କଟକ ଯିବା ବେଳେ ମଧ୍ୟ ସେଭଳି କୌଣସି ଅଡୁଆ ନ ହୁଏ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । କିଛି ବର୍ଷ ତଳେ ଷ୍ଟାଡିୟମରେ ହୋଇଥିବା ତିକ୍ତ ଅନୁଭୁତି ପରେ କିଭଳି ଲୋକେ ଶାନ୍ତିଶୃଙ୍ଖଳା ସହ ଖେଳକୁ ଉପଭୋଗ କରିବେ ତାହା ଉପରେ ନଜର ରଖାଯାଇଛି । ପାର୍କିଂ ପାଇଁ କଟକ ବାଲିଯାତ୍ରା ପଡିଆରେ ଲୋକଙ୍କୁ ସେମାନଙ୍କ ଗାଡି ପାର୍କ କରିବାକୁ କୁହାଯିବ । ନିରାପତ୍ତା ଦାୟିତ୍ୱରେ ଡିସିପି ଭୁବନେଶ୍ୱର, ଷ୍ଟାଡିୟମ ଶୃଙ୍ଖଳା ଦାୟିତ୍ୱରେ କଟକ ଡିସିପି, ଟ୍ରାଫିକ ଦାଇତ୍ୱ ରେ ରହିବେ ଟ୍ରାଫିକ ଡିସିପି । ହେଲେ ଗତ ବର୍ଷ ଭଳି ଯେଭଳି ଟିକଟ ବ୍ଲାକ ନ ହୁଏ ତାହା ଉପରେ ପୋଲିସ ନଜର ରଖିବ ବୋଲି କହିଛନ୍ତି ପୋଲିସ କମିଶନର ।

ହେଲେ ଏହି ମ୍ୟାଚ ଦର୍ଶକଙ୍କ ପକେଟ ପାଇଁ ଟିକିଏ ଭାରି ପଡିପାରେ । ୫ ଶହ ଟଙ୍କାରୁ ଅଧିକ ଟିକଟରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଦର୍ଶକମାନେ ଯେଭଳି ଖାଇବା, ପିଇବା ପାଇଁ ହଟହଟା ନ ହୁଅନ୍ତୁ ସେଥିପାଇଁ ବ୍ରାଣ୍ଡେଡ ହୋଟେଲ ମାନଙ୍କ ଷ୍ଟଲ ଲଗାଯିବ । ୫ରୁ ଅନଲାଇନ ଓ ୧୯ରୁ ଅଫଲାଇନ ଟିକଟ ବିକ୍ରି ହେବାକୁ ଥିବା ବେଳେ ୪୦୦୦୦ ଟିକଟ ଦର୍ଶକଙ୍କ ପାଇଁ ରହିଛି । ଭିଡ଼ ଏଡ଼ାଇବା ପାଇଁ ଅଧିକ କାଉଣ୍ଟର ଖୋଲାଯିବ । ବିଶ୍ୱକପ ହକି ମ୍ୟାଚଠାରୁ ମିଳିଥିବା ଅନୂଭତି ଅନୁସାରେ ସେଇ ସ୍ତରରେ ଆୟୋଜନ ପାଇଁ ଉଦ୍ୟମ ହେବ ।

ଟିକେଟ ଜାଲ ନ ହେବା ପାଇଁ ଟିକେଟ ଉପରେ ରହିବ କଟକ ଡିସିପିଙ୍କ ଦସ୍ତଖତ । ପାଣି, ଟଏଲେଟ, ଡ଼ଷ୍ଟବିନ ସମସ୍ୟା ହବନି । ଖାଦ୍ୟ ଦର ଉପରେ ରଖାଯିବ ନିୟନ୍ତ୍ରଣ । ବାରବାଟିରେ ପ୍ରବଳ ବିଶୃଙ୍ଖଳା ଯୋଗୁ ମ୍ୟାଚ ବାତିଲ ପରେ ଏହା ପ୍ରଥମ ମ୍ୟାଚ ହେବାକୁ ଯାଉଥିବାରୁ ପୁଲିସ ପାଇଁଏହା ବଡ ଆହ୍ୱାନ । ୨ ବର୍ଷ ତଳେ ମ୍ୟାଚ ଟିକେଟକୁ ନେଇ ବିଶୃଙ୍ଖଳା ହୋଇଥିଲା । ଥାର୍ଡ ପାର୍ଟି ରାଜ୍ୟ ବାହାରେ ଟିକଟ ତିଆରି କରିଥିଲା ।  ପୂର୍ବରୁ ଭିତରେ ଯେଉଁ ଭେଣ୍ଡରମାନେ ଖାଦ୍ୟ ଦ୍ରବ୍ୟ ବିକ୍ରି କରୁଥିଲେ ସେମାନେ ମନ ଇଛା ଦର ନେଉଥିଲେ । ଏଣୁ ଏଥର କେବଳ ବ୍ରାଣ୍ଡେଡ଼ ବିକାଳୀ ସ୍ଥାନ ପାଇବେ, ଧାର୍ଯ୍ୟ ଦର ହିଁ ନେବେ ଓ ଖାଦ୍ୟ ଗୁଣବତ୍ତା ବି ଉଚିତ ରହିବ। ଅଧିକା ଦର ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।