ତୃତୀୟ ଷ୍ଟେଜରେ କେତେ କ୍ଷତି ସହିବ ଭାରତ, ଜାଣନ୍ତୁ

ଭାରତରେ ତୃତୀୟ ସ୍ତରରେ ପହଞ୍ଚିବ କି କୋରୋନା

ତୃତୀୟ ଷ୍ଟେଜରେ କେତେ କ୍ଷତି ସହିବ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରଭାବ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଜାପାନ ଓ ଚୀନ ପରେ ବର୍ତ୍ତମାନ ଦେଶରେ ତୃତୀୟ ଷ୍ଟେଜ ଆଡ଼କୁ କୋରୋନାର ସ୍ଥିତି ଗତି କରୁଛି। ତୃତୀୟ ଷ୍ଟେଜ ଅର୍ଥାତ ସାମୁହିକ ବା ଗୋଷ୍ଠୀଗତ ସଂକ୍ରମଣ। ତୃତୀୟ ଷ୍ଟେଜରେ ପହଞ୍ଚିଲେ ଏହା ଏକ ମହାମାରୀର ରୂପ ନେଇପାରେ। ଯେଉଁସ୍ତରରେ ଜାଣତରେ ହେଉ ଅବା ଅଜାଣତରେ ଦ୍ରୁତ ବେଗରେ ବ୍ୟାପିବାର ସମ୍ଭାବନା ଯଥେଷ୍ଟ ରହିଛି। 

ତେବେ ଭାରତରେ କୋରୋନା ସ୍ଥିତି ନେଇ ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚର ବୈଜ୍ଞାନିକମାନେ ଅନୁଧ୍ୟାନ ଚଳାଇଛନ୍ତି। ଆଇସିଏମଆର ଅନୁଯାୟୀ କୋରୋନା ଭାଇରସ ବ୍ୟାପିବାର ଚାରିଟି ସ୍ତର ବା ଷ୍ଟେଜ ରହିଛି। ଏହାର ତୃତୀୟ ଷ୍ଟେଜ ସାମୁଦାୟିକ ବା ଗୋଷ୍ଠୀ ସଂକ୍ରମଣ। ଏହାକୁ କମ୍ୟୁନିଟି ଟ୍ରାନସମିସନ ମଧ୍ୟ କୁହାଯାଏ। ଏହି ସ୍ତରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ତର। ଏଥିରେ ବ୍ୟାପକ ଭାବେ ବ୍ୟାପିଥାଏ। ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ସମାନ୍ତରାଳ ଭାବେ ବୃଦ୍ଧି ପାଇଥାଏ। ଏହି ସ୍ତରରେ କାହାଠାରୁ ଓ କିପରି ବ୍ୟାପିଲା, ସେନେଇ ଜାଣିବା କଷ୍ଟକର ହୋଇ ପଡ଼ିଥାଏ। 

ପ୍ରଥମ ଷ୍ଟେଜରେ କୋରୋନା ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଠାରୁ ସଂକ୍ରମିତ ହୋଇଥାଏ। ପରେ ଦ୍ୱିତୀୟ ସ୍ତରରେ ଦେଶ ମଧ୍ୟରେ ଥିବା ସଂକ୍ରମିତ ନାଗରିକଙ୍କ ଠାରୁ ଅନ୍ୟ ସୁସ୍ଥ ନାଗରିକଙ୍କୁ ସଂକ୍ରମିତ ହୋଇଥାଏ। ତେବେ ଏହି ଦୁଇଟି ସ୍ତରକୁ ଭାରତ ଅତିକ୍ରମ କରିଯାଇଥିବା ଜଣାପଡ଼ିଛି। 

ବୈଜ୍ଞାନିକମାନେ କହିଛନ୍ତି କି, ଭାରତରେ ଧିରେ ଧିରେ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଏହାକୁ ରୋକିବାକୁ ହେଲେ ଆମକୁ ଯଥେଷ୍ଟ ସତର୍କ ହେବାକୁ ହେବ। କାରଣ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଲେ ଦେଶରେ ମୃତକଙ୍କ ସଂଖ୍ୟା ହୁହୁ ହୋଇ ବଢିବ। କୋରୋନା ଚତୁର୍ଥ ପର୍ଯ୍ୟାୟ ହେଉଛି ମହାମାରୀ। ଏହି ପର୍ଯ୍ୟାୟରେ ଦେଶରେ ବ୍ୟାପକ ଭାବେ ମୃତ୍ୟୁ ସଂଖ୍ୟା ବଢିବ। ନିୟନ୍ତ୍ରଣ ବାହାରକୁ ଏହା ଚାଲିଯିବ। ଚୀନ ଓ ଇଟାଲିରେ ବର୍ତ୍ତମାନ ଏହି ଚତୁର୍ଥ ପର୍ଯ୍ୟାୟରେ କୋରୋନା ରହିଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି।