ଇସ୍ରୋ ପକ୍ଷରୁ ଜହ୍ନକୁ ଯିବାକୁ ଥିବା ମହାକାଶଚାରୀ ଖାଇବେ କ'ଣ ?
Advertisement

ଇସ୍ରୋ ପକ୍ଷରୁ ଜହ୍ନକୁ ଯିବାକୁ ଥିବା ମହାକାଶଚାରୀ ଖାଇବେ କ'ଣ ?

କର୍ଣ୍ଣାଟକର ମହୀଶୂର ଲାବୋରଟୋରୀରେ ପ୍ରସ୍ତୁତ ହେଲା ଏହିସବୁ ଖାଦ୍ୟ...

ଫାଇଲ ଫଟୋ

ତପନ କୁମାର କର, ନୂଆଦିଲ୍ଲୀ: ଭାରତ ନିଜର ଗଗନଯାନ ମହାକାଶକୁ ପ୍ରେରଣ କରିବାକୁ ଜୋରଦାର ପ୍ରସ୍ତୁତି କରିଚାଲିଛି । ଚନ୍ଦ୍ରଯାନ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅତି ଶୀଘ୍ର ଏହାର ପ୍ରଥମ ଗଗନଯାନ ମହାକାଶକୁ ପଠାଇବ । ଗଗନଯାନରେ ମହାକାଶ ଯାତ୍ରୀଙ୍କୁ ପଠାଯିବା ସହିତ ସୁରକ୍ଷିତ ଭାବରେ ସେମାନଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବା ଲାଗି ଇସ୍ରୋ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ଇସ୍ରୋ ଦେଶରୁ ୪ ଜଣଙ୍କୁ ଚୟନ କରିଛି, ଯେଉଁମାନେ ଏହି ମିଶନରେ ସାମିଲ ହେବେ । 

ମହାକାଶ ଯାତ୍ରୀ ଖାଇବ କ'ଣ ?

ଚଳିତ ମାସ ୩ୟ ସପ୍ତାହରେ ଏମାନଙ୍କୁ ପ୍ରଶିକ୍ଷଣ ପାଇଁ ରୁଷ୍ ପଠାଯିବ ବୋଲି ସୂଚନା ରହିଥିଲା । ତେବେ ଏହି ମିଶନର ଏକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ତହା ହେଉଛି ମହାକାଶ ଯାତ୍ରୀମାନେ ମିଶନରେ ଯିବା ସମୟରେ ମହାକାଶରେ କଣ ଖାଇବେ ତାହା ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚିନ୍ତ । ମହାକାଶ ଯାତ୍ରୀଙ୍କୁ ଖାଦ୍ୟ କେଉଁଠୁ ମିଳିବ ? ମାସ ମାସ ଧରି ଚାଲିବାକୁ ଥିବା ଏହି ମିଶନରେ ମହାକାଶ ଯାତ୍ରୀମାନେ କ'ଣ ଖାଇ ସେଠାରେ ବଞ୍ଚିବେ ? ତେବେ ଇସ୍ରୋ ମହାକାଶ ଯାତ୍ରୀଙ୍କ ପାଇଁ ୨୨ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ମହୀଶୂର ସ୍ଥିତ ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ପ୍ରୟୋଗଶାଳା ବା (ଡିଏଫଆରଏଲ) ଏହି ଖାଦ୍ୟ ପ୍ରସ୍ତୁତ କରି ତାହାର ସାମ୍ପୁଲ ଇସ୍ରୋ ନିକଟକୁ ଯାଞ୍ଚ ପାଇଁ ପଠାଇଛି । ଏସବୁ ଖାଦ୍ୟ ମଧ୍ୟରେ ରହିଛି ହାଲ୍‌କା ଖାଦ୍ୟ, ଅଧିକ ଶକ୍ତି ଉତ୍ପନ୍ନକାରୀ ଫୁଡ , ଡ୍ରାଏ ଫ୍ରୁଟ୍‌ସ ଏବଂ ଫଳ ।

ଚିକେନ ତରକାରୀ ଖାଇବେ ମହାକାଶ ଯାତ୍ରୀ

ଡିଆରଏଫଏଲର ଡା. ଅନୀଲ ଦତ୍ତ ସେମୱାଲ କହିଛନ୍ତି ଯେ, ଖାଦ୍ୟ ଗରମ କରିବା ଲାଗି ମହାକାଶ ଯାତ୍ରୀଙ୍କୁ ଏକ ଉପକରଣ ବି ଦିଆଯିବ । ଏହି ଉପକରଣରେ ପ୍ରାୟ ୯୨ ୱାଟ୍‌ ବିଦ୍ୟୁତ୍‌ ଶକ୍ତିର ବ୍ୟବହାରରେ ଖାଦ୍ୟ ଗରମ କରାଯାଇ ପାରିବ । ଏହି ଉପକରଣଟି ଖାଦ୍ୟକୁ ୭୦ରୁ ୭୫ ଡିଗ୍ରୀ ମଧ୍ୟରେ ଗରମ କରିବ । ଖାଦ୍ୟ ସ୍ୱାସ୍ଥ୍ୟକର ଏବଂ ଏହା ଏକ ବର୍ଷ ପର୍ଯ୍ୟନ୍ତ ରହିପାରିବ । ଡା. ଦତ୍ତଙ୍କ ଅନୁସାରେ, ଇସ୍ରୋ ମଟନ କିମ୍ବା ଚିକେନ ପ୍ରସ୍ତୁତ କରିବାକୁ ଚାହୁଁଥିଲା ଏବଂ ଆମେ ଚିକେନ ତରକାରୀ ଏବଂ ବିରିୟାନୀ ତିଆରି କରି ଦେଇଛୁ । ମହାକାଶ ଯାତ୍ରୀମାନେ କେବଳ ପ୍ୟାକେଟ୍‌କୁ ଖୋଲି ତାହାକୁ ଗରମ କରି ଖାଇପାରିବେ । ସପୁରୀ ଏବଂ ପଣସ ମଧ୍ୟ ମହାକାଶ ଯାତ୍ରୀଙ୍କୁ ଦିଆଯିବ । ଏହା ଜଳଖିଆ ପାଇଁ ଉପଯୁକ୍ତ ବିକଳ୍ପ । ସମସ୍ତ ଖାଦ୍ୟ ରେଡିମେଡ୍‌ ଓ ସମ୍ବର ସହିତ ଇଡ୍‌ଲୀ ବି ପ୍ରସ୍ତୁତ କରାଯାଇପାରିଛି । ଏଥିରେ କେବଳ ପାଣି ପକାଇ ଖିଆଯାଇ ପାରିବ । 

ପ୍ୟାକେଟ ଖୋଲିଲେ ୨୪ ଘଣ୍ଟା ମଧ୍ୟରେ ଖାଇବାକୁ ପଡ଼ିବ

କିନ୍ତୁ ଥରେ ପ୍ୟାକେଟ ଖୋଲିଲା ପରେ ତାହାକୁ ୨୪ ଘଣ୍ଟା ମଧ୍ୟରେ ଖାଇବାକୁ ପଡ଼ିବ । ଖାଦ୍ୟକୁ ଅଧା ଖାଇ ରଖାଯାଇ ପାରିବ ନାହିଁ । ପ୍ୟାକେଟ୍‌ ଖୋଲିବା ପରେ ତାହା ସାଧାରଣ ଖାଦ୍ୟ ଭଳି ହୋଇଯାଇଥାଏ । ସୂଚନା ଅନୁସାର ଡିଏଫଆରଏଲରେ ମହାକାଶ ଅଭିଯାନ ଲାଗି ପ୍ରସ୍ତୁତ ହେଉଥିବା ସମସ୍ତ ଖାଦ୍ୟ ନାସା ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ଆଧାରରେ ପ୍ରସ୍ତୁତ ହେଉଛି । ଡିଏଫଆରଏଲ ୧୯୮୪ରେ ମହାକାଶ ଯାଇଥିବା ପ୍ରଥମ ଭାରତୀୟ ରାକେଶ ଶର୍ମାଙ୍କ ପାଇଁ ବି ଖାଦ୍ୟ ପ୍ରସ୍ତୁତ କରିଥିଲା । ତେବେ ମହାକାଶ ଯାଉଥିବା ଖାଦ୍ୟପଦାର୍ଥ ସିଆଚିନରେ ଯବାନଙ୍କୁ ଦିଆଯାଉଥିବା ଖାଦ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

ଆହୁରି ପଢ଼ନ୍ତୁ; ଇଣ୍ଟେଲକଚ୍ୟୁଆଲ ଫ୍ୟାକ୍ଟ୍ରିରେ ଆତଙ୍କରାଜ