ଭାରରତକୁ ସ୍ୱାଧୀନତା ଦେବା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନେ ଦେଖିଥିଲେ କେତେ ସ୍ୱପ୍ନ । ଜୀବନ ଯୌବନକୁ ଜଳାଞ୍ଜଳି ଦେଇ ବ୍ରିଟିଶ ବିରୋଧରେ କରିଥିଲେ ସଂଗ୍ରାମ ।
Trending Photos
ଭଦ୍ରକ: ଭାରରତକୁ ସ୍ୱାଧୀନତା ଦେବା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନେ ଦେଖିଥିଲେ କେତେ ସ୍ୱପ୍ନ । ଜୀବନ ଯୌବନକୁ ଜଳାଞ୍ଜଳି ଦେଇ ବ୍ରିଟିଶ ବିରୋଧରେ କରିଥିଲେ ସଂଗ୍ରାମ । ଦେଶ ପାଇଁ ଫିରିଙ୍ଗି ଗୁଳିର ଅନେକ ସଂଗ୍ରାମୀ ହୋଇଛନ୍ତି ସହିଦ । ହେଲେ ଆଜି ବି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ବାସୁଦେବପୁର ବ୍ଲକର ସହିଦ ସ୍ମୃତି ପୀଠ । ସେହି ସହିଦ ପୀଠଟି ପର୍ଯ୍ୟଟନିସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ତାହା ଅଟକି ଯାଇଛି ସରକାରଙ୍କ ନାଲି ଫାଇଲ ତଳେ । କାଗଜ କଲମରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ହାତ ବାନ୍ଧି ବସିଯାଇଛି ସରକାର ।
ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ବର ମାସ ୨୮ତାରିଖ।ସେତେବେଳର ଅଭିଭକ୍ତ ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ବ୍ଲକର ଏହି ସଂଗ୍ରାମମାଟି ଇରମ ରକ୍ତରଞ୍ଜିତ ହୋଇଥିଲା । ସମୟ ଥିଲା ଅପରାହ୍ନ । ଏକତ୍ରିତ ହୋଇଥିଲେ ଅଢୁଆଁ, ସୁଦର୍ଶନପୁର, ଇରମ, ପଢ଼ୁଆଁ ଆଦି ୧୦ ପଞ୍ଚାୟତର ହଜାର ହଜାର ସଂଗ୍ରାମୀ । ଆପଣେଇ ନେଇଥିଲେ କର ବା ମର ନୀତି । ଇରମ ମେଳନ ପଡ଼ିଆର ସଭା ହେଉଥିବାର ଖବର ପାଇ ଛୁଟି ଆସିଥିଲେ ଫିରିଙ୍ଗି ଫୌଜ । ପହଞ୍ଚିଥିଲେ ଏବେ ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ସେତେ ବେଳର ଜମିଦାରଙ୍କ ଉଆସ । କେତେକ ସଂଗ୍ରାମୀ ଜଣେ ଚୌକିଦାରକୁ ଧରି ମାଡ଼ ମାରିବା ସହିତ ତାର ଡ୍ରେସ ଉପରେ କରିଥିଲେ ପଦାଘାତ । ଏଥିରେ ଉତକ୍ଷିପ୍ତ ହୋଇ ଫିରିଙ୍ଗି ଫୌଜ ମାନେ ଚାଲିଥିବା ପ୍ରଜାମେଳି ଉପରକୁ କରିଥିଲେ ଆଖିବୁଜା ଗୁଳି ଚାଳନା । ସେହି ସଭା ସ୍ଥଳରେ ଟଳି ପଡ଼ିଥିଲେ ୨୮ଜଣ ସଂଗ୍ରାମୀ । ଅନ୍ୟ ସଂଗ୍ରାମୀଙ୍କୁ ଧରି ନେଇ ବ୍ରିଟିଶ ମାନେ ପଠାଇ ଦେଇଥିଲେ ବାଲେଶ୍ୱର ଓ ବ୍ରହ୍ମପୁର ଜେଲକୁ । ଜେଲରେ ସେମାନଙ୍କୁ ଦିଆଯାଉଥିଲା ବିଭିନ୍ନ ପ୍ରକାର ନିର୍ଯ୍ୟାତନା । ଆଜିବି ଲୋକ ମାନଙ୍କ ମନରୁ ଲିଭି ନାହିଁ ସେଦିନର ଶୁଣିଥିବା ଲୋମହର୍ଷଣ କାରୀର ଦୃଶ୍ୟ ଓ ଜେଲରେ ଦିଆଯାଉଥିବା ଅକଥନୀୟ ଅତ୍ୟାଚାରର କଥା । ଏବେବି ଶୁଣିଲେ ସେଦିନର କଥା ଦେହରେ ଖେଳିଯାଏ ଅଜଣା ଶିହରଣ ।
ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରକ୍ତ ତୀର୍ଥ ଇରମର ତଥା ୨ୟ ଜାଲିଆଲାୱାନା ବାଗ ହତ୍ୟାକାଣ୍ଡର ଐତିହାସିକ ପୀଠ । ଯେଉଁଠି ଭାରତ ଛାଡ ଆନ୍ଦୋଳନର ମାହାତ୍ମାଗାନ୍ଧୀଙ୍କ ଡାକରାରେ ଏକତ୍ରିତ ହୋଇଥିଲେ ଅନେକ ସଂଗ୍ରାମୀ । ଲକ୍ଷ୍ୟଥିଲା ଅଂହିସା ଉପାୟରେ ଫିରିଙ୍ଗି ମାନଙ୍କୁ ଏ ଦେଶରୁ ତଡ଼ିବା । ତଡ଼ିବା ଆଗରୁ ଇରମ ମେଳନ ପଡ଼ିଆରେ କରିଥିଲେ ଏକ ପ୍ରଜାମେଳି । ବ୍ରିଟିଶ ମାନେ ଖବର ପାଇଥିଲେ ଏ ପ୍ରଜାମେଳି କରିବାର କାରଣ କ'ଣ । ଆଖିବୁଜା କରିଥିଲେ ସେହି ପ୍ରଜାମେଳି ଉପରକୁ ଗୁଳି । ସେହି ଗୁଳିରେ ସଭାରେ ଉପସ୍ଥିତ ଥିବା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୨୮ଜଣ ସହିଦ ହୋଇଥିବା ବେଳେ ଜଣେ କୋରାପୁଟ ଜେଲରେ ମୃତ୍ୟୁ ବରଣ କରିଥିଲେ । ଆଉ ୫୬ ଜଣ ହୋଇଥିଲେ ଗୁରୁତର । ସେମାନଙ୍କ ମଧ୍ୟରେ ଜଣେ ଥିଲେ ମହିଳା ସଂଗ୍ରାମୀ ପରୀ ବେୱା ମଧ୍ୟ ସାମିଲ ଥିଲେ । ସେହି ସହିଦ ମାନଙ୍କ ସ୍ମୃତିର ପୀଠ ଆଜି ଚିର ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଆଜି ଆମ୍ଭମାନଙ୍କୁ ନିଜର ରକ୍ତ ଦେଇ ସ୍ୱାଧୀନତା ଦେଇଥିଲେ ସେହି ପୀଠର ଅବସ୍ଥା ନକହିବା ଭଲ । ସେଥିପ୍ରତି ଦୃଷ୍ଟି ଅଛି ନା ସରକାରଙ୍କର ନା ଅଛି ସ୍ଥାନୀୟ ନେତୃ ବୃନ୍ଦଙ୍କର ।
ସ୍ୱାଧୀନତାର ୭୫ବର୍ଷ ବିତିଯାଇଥିଲେ ମଧ୍ୟ ଯେଉଁମାନେ ନିଜର ରକ୍ତ ଦେଇ ଅମକୁ ସ୍ୱାଧୀନତା ଦେଇଥିଲେ ସେମାନଙ୍କ ପୀଠ ଆଜି ହୋଇପଡ଼ିଛି ଶ୍ରୀହିନ ଅବସ୍ଥାରେ । କେତେ ଯେ ନେତା ମନ୍ତ୍ରୀ ଆସି ଗଲେଣି କେହି ବୁଝି ନାହାନ୍ତି ସହିଦଙ୍କ କଥା । ବହୁତ ଦିନର ଅପେକ୍ଷା ପରେ ଇରମକୁ ନାମକୁ ମାତ୍ର ମିଳିଛି ପର୍ଯ୍ୟଟନସ୍ଥଳୀର ମାନ୍ୟତା । ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀଙ୍କୁ ନେଇ ଗଠନ କରାଯାଇଛି ଟ୍ରଷ୍ଟ ବୋର୍ଡ । ହେଲେ ୨ ବର୍ଷରୁ ଅଧିକ ହେବ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଆଜି ବି ଉନ୍ନୟନ ମୂଳକ କାର୍ଯ୍ୟର ଚିଠା ରହିଯାଇଚି ସରକାରଙ୍କ ନାଲି ଫାଇଲ ତଳେ । ସହିଦ ମାନଙ୍କ ପୀଠ ଚାରିପଟେ ଲୋକ ମାନେ ବିଭିନ୍ନ ଅଳିଆ ଆର୍ବଜନା ପକାଉଛନ୍ତି । ଠିକ ସେପ୍ଟେମ୍ବର ମାସ ୨୮ତାରିଖ ଆସିଲେ ନେତା, ମନ୍ତ୍ରୀ ଓ ସ୍ଥାନୀୟ ପ୍ରଶାସନର ମନେ ପଡ଼ୁଛି ସହିଦଙ୍କ କଥା । ହେଲେ ଏଠାରେ ନେତା ମନ୍ତ୍ରୀଙ୍କ ସନ୍ଧ୍ୟାର ଭାଷଣ ସକାଳେ ପାଣି ଭଳି ମିଳେଇ ଯାଏ । ବିକାଶର ନାରା ଏଠି ପ୍ରହସନ ପାଲଟିଛି ।