)
ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ ସମୟରେ କୋରୋନା ସହିତ ଲଢେଇ ଜାରି ରଖିଛି । ଏତିକି ବେଳେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଇନ୍ଦୋର ସହରରେ କୋରୋନା ସନ୍ଦିଗ୍ଧଙ୍କୁ ଯାଞ୍ଚ ପାଇଁ ଯାଇଥିବା କିଛି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଗୋଷ୍ଠୀଗତ ଭାବେ ଆକ୍ରମଣ କରିଥିବା ଜଣାପଡ଼ିଛି । ତେବେ ଏହି ଘଟଣା ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ବୁଧବାର ଇନ୍ଦୋରରେ ରହୁଥିବା ଜଣେ ମହିଳାଙ୍କର କୋରୋନା ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପହଞ୍ଚିଥିଲା । ତେବେ ଏହି ଟିମ ଉକ୍ତ ମହିଳାଙ୍କ ଘରେ ପହଞ୍ଚିବା କ୍ଷଣି ହିଁ ସ୍ଥାନୀୟ ଲୋକମାନେ ଏକଜୁଟ ହୋଇ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରକୁ ଢେଲା ମାଡ଼ କରିଥିଲେ । ଏଥିରେ ଉକ୍ତ ସ୍ୱାସ୍ଥ୍ୟକର୍ମୀମାନେ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଆକ୍ରମଣ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ତେବେ ସେଠାରେ କୌଣସି କୋରୋନା ଆକ୍ରାନ୍ତ ରହୁନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।
ତେବେ ଉକ୍ତ ଘଟଣା ସମ୍ପର୍କରେ ମହିଳା ଡାକ୍ତର ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କୁ ସ୍କ୍ରିନିଂ ପାଇଁ ସେଠାକୁ ପଠାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ମୁତାବକ ଆମେମାନେ ସେଠାକୁ ବିଗତ ୩ ଦିନ ଧରି ଯାଉଥିଲେ । ଆମମାନଙ୍କୁ ଜଣେ କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ସେଠାକାର ବ୍ୟକ୍ତି ସମ୍ପର୍କରେ ସୂଚନା ରହିଥିଲା । ଫଳରେ ଆମମାନଙ୍କୁ ସେଠାକୁ ଯିବାକୁ ହୋଇଥିଲା । ତେବେ ସେଠାରେ ଆମେ ପଚରା ଉଚୁରା ଆରମ୍ଭ କରିବା କ୍ଷଣି ହିଁ ସ୍ଥାନୀୟ ଲୋକମାନେ ପଥର ମାଡ଼ କରିବା ଆରମ୍ଭ କରିଦେଇଥିଲେ । ଆମମାନଙ୍କ ସହିତ ତିନି ଜଣ ଆଶାକର୍ମୀ ଓ ଏଏନଏମ ଡାକ୍ତର ମଧ୍ୟ ଯାଇଥିବା ଉକ୍ତ ମହିଳା ଡାକ୍ତର ସୂଚନା ଦେଇଛନ୍ତି ।
ତେବେ ଏହି ଆକ୍ରମଣ ସମୟର ଏକ ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାଞ୍ଚ ପରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଏହା ପୂର୍ବରୁ ମଧ୍ୟ ବିହାର ସମେତ ଏକାଧିକ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି ।