Trending Photos
ଯଯାତି ମହାନ୍ତି, ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅମ୍ଫାନ’ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ । ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଭିଡ଼ିଓ କନଫେରେନ୍ସିଂରେ ବାତ୍ୟା ପରର ସ୍ଥିତିର ସମୀକ୍ଷା କରିବା ସହ କ୍ଷୟକ୍ଷତି ଆକଳନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ୧୨ଟି ଜିଲ୍ଲାର ୮୯ବ୍ଲକର ପ୍ରାୟ ୪୫ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ପ୍ରାୟ ୧ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କୁ ୨୪ ଘଣ୍ଟାରେ ପ୍ରାଥମିକ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଦ୍ୟୁତ ସରବରାହ ସ୍ୱାଭାବିକ କରିବାକୁ ଶକ୍ତି ବିଭାଗର କର୍ମଚାରୀମାନେ କାମରେ ଲାଗିଛନ୍ତି । ଦିନ ଦୁଇଦିନ ମଧ୍ୟରେ ଏହା ସ୍ୱାଭାବିକ ହେବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।
ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଓଡ଼ିଶାରେ ଯେତିକି କ୍ଷତି କରିବାର ଆକଳନ ହୋଇଥିଲା, ତାଠାରୁ ଅପେକ୍ଷାକୃତ କମ୍ ପ୍ରଭାବ ପକାଇଥିଲେ ମଧ୍ୟ ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିଛି । ରାଜ୍ୟରେ ବାତ୍ୟାର ପରର ସ୍ଥିତି ସମୀକ୍ଷା କରିଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା । ବାତ୍ୟା ‘ଅମ୍ଫାନ’ ଯୋଗୁ ରାଜ୍ୟର ୮୯ଟି ବ୍ଲକ୍ ପ୍ରଭାବିତ ହୋଇଛି। ୧୫୦୦ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟା ‘ଅମ୍ଫାନ’ ସମୟରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
ବାତ୍ୟା ‘ଅମ୍ଫାନ’ରେ ରାଜ୍ୟର ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ଏଥିସହ ୨୧୦ଟି ମେଡିକାଲ ଟିମ୍ ଓ ୭୫ ପଶୁ ଡାକ୍ତରୀ ଟିମକୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଗମନାଗମନ ଆଜି ସୁଦ୍ଧା ସ୍ୱାଭାବିକ ହୋଇଯିବ। ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳମାନଙ୍କୁ ମଗାଯାଇଛି । ରିପୋର୍ଟ ଦେଲା ପରେ ତର୍ଜମା କରାଯିବ। କେଉଁଠି ଘର ଭାଙ୍ଗିଛି,କେଉଁଠି ଚାଷ ଜମି ନଷ୍ଟ ହୋଇଛି। ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବେ। ରିପୋର୍ଟ ଦେବା ପରେ ସହାୟତା ଯୋଗାଇ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
ଚାଷ ସହିତ ବିଦ୍ୟୁତ ସରବରାହ କ୍ଷେତ୍ରରେ ମଧ୍ୟ ଅନେକ କ୍ଷୟକ୍ଷତି ହୋଇଥିବାର ଜଣାପଡ଼ିଛି । ସେସୁ ଅଧିନରେ ୨୬ରୁ ୨୭ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ନେସ୍କୋ ଅଧିନରେ ୧୬ ଲକ୍ଷ ଏବଂ ସାଉଥ୍କୋ ଅଧିନରେ ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କାଲି ରାତି ଭିତରେ ସବୁ ଜରୁରୀ ସେବାକୁ ବିଦ୍ୟୁତ ସଂଯୋଗ କରାଯାଇଛି। ପ୍ରଥମ ଥର ପାଇଁ ସୂର୍ୟ୍ୟ ଉଦୟରୁ କାମ କରାଯାଇଛି। ନେସ୍କୋ କୁ ସବୁ ମାନବ ସମ୍ବଳ ଦିଆଯାଇଛି। ୧୫୮ଟି ଗ୍ୟାଙ୍ଗ କାମ କରୁଛି। ୨ ଦିନ ଭିତରେ ନେସ୍କୋ ଅଂଚଳର ୯୦ ପ୍ରତିଶତ ବିଦ୍ୟୁତ ସେବା ସ୍ୱାଭାବିକ ହେବ ବୋଲି ଶକ୍ତି ମନ୍ତ୍ରୀ କହିଥବବା ବେଳେ ବାକି ଜାଗାରେ ଏକ ସପ୍ତାହ ଭିତରେ ସ୍ୱାଭାବିକ ହେବ ।
ଅମ୍ଫାନ ବାତ୍ୟା ପରେ କ୍ଷୟକ୍ଷତି ଓ ସ୍ଥିତି ବାବଦରେ ଆଜି କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ସମୟରେ କୃଷି ସଚିବ, ପଞ୍ଚାୟତିରାଜ, ଶକ୍ତି ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।