ଆସୁଛି ଆଇପିଏଲ୍ ନିଲାମୀ

ନିଲାମୀ ପାଇଁ ଡ୍ର'କୁ ଆସିଥିବା ଏହି ୭୧ ଖେଳାଳିଙ୍କ ମଧ୍ୟରେ ଅନେକ ନାମୀଦାମୀ ଓ ବଡ଼ ଖେଳାଳି ରହିଛନ୍ତି । କ୍ରିସ୍ ଲିନ୍, ଜୟଦେବ ଉନାଦକଟ୍, ସାମ୍ କରନ୍, ଆଣ୍ଡ୍ର୍ୟୁ ଟାଏଙ୍କ ଭଳି ଖେଳାଳି ଏଥର ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ।

ଆସୁଛି ଆଇପିଏଲ୍ ନିଲାମୀ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ଆସନ୍ତାବର୍ଷ ଫଟାଫଟ୍ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ପୂର୍ବରୁ ହେବାକୁ ଯାଉଛି ଖେଳାଳିଙ୍କ ନିଲାମୀ । ଏବର୍ଷ ସବୁ ୮ଟିଯାକ ଫ୍ରାଞ୍ଚାଇଜି ସେମାନଙ୍କର ମୋଟ ୭୧ ଜଣ ଖେଳାଳିଙ୍କୁ ନିଲାମୀ ପାଇଁ ଛାଡ଼ିଛନ୍ତି । ଯେଉଁଥିରେ ଅନେକ ନାମୀଦାମୀ ଓ ବଡ଼ ଖେଳାଳି ରହିଛନ୍ତି । ଏଣୁ ଚଳିତ ବର୍ଷ ନିଲାମୀ ଖୁବ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ୧୯ ଡିସେମ୍ବରରେ କୋଲକାତାରେ ଆଇପିଏଲ୍ ନିଲାମୀ ଅନୁଷ୍ଠିତ ହେବ ।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଏଥର ନିଜ ପୁଲରୁ ୧୨ଟି ଖେଳାଳିଙ୍କୁ ନିଲାମୀକୁ ଛାଡ଼ିଛି । ଯାହା ସବୁ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଅଧିକ । ଏଣୁ ଆଶା କରାଯାଉଛି କି ବିଫଳ ହୋଇ ଆସୁଥିବା ଆରସିବି ଏଥର ନିଜ ଟିମରେ ବ୍ୟାପକ ପରିବର୍ତ୍ତନ କରିପାରେ । ସେହିପରି କେକେଆର୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟ ୧୧ଜଣ ଲେଖାଏଁ ଖେଳାଳିଙ୍କୁ ନିଲାମୀ ପାଇଁ ଛାଡ଼ିଛନ୍ତି । ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ୧୦, ଦିଲ୍ଲୀ କ୍ୟାପିଟାଲ୍ସ ୯, କିଙ୍ଗସ୍ ଏକାଦଶ ପଞ୍ଜାବ ୭, ଚେନ୍ନାଇ ସୁପର କିଙ୍ଗସ୍ ୬ ଓ ସନରାଇଜର୍ସ ହାଇଦ୍ରାବାଦ ୫ ଜଣ ଖେଳାଳିଙ୍କୁ ନିଲାମୀ ପାଇଁ ଛାଡ଼ିଛନ୍ତି ।

ନିଲାମୀ ପାଇଁ ଡ୍ର'କୁ ଆସିଥିବା ଏହି ୭୧ ଖେଳାଳିଙ୍କ ମଧ୍ୟରେ ଅନେକ ନାମୀଦାମୀ ଓ ବଡ଼ ଖେଳାଳି ରହିଛନ୍ତି । କ୍ରିସ୍ ଲିନ୍, ଜୟଦେବ ଉନାଦକଟ୍, ସାମ୍ କରନ୍, ଆଣ୍ଡ୍ର୍ୟୁ ଟାଏଙ୍କ ଭଳି ଖେଳାଳି ଏଥର ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ।

ଅନ୍ୟପକ୍ଷରେ ୩୫ ବିଦେଶୀ ଖେଳାଳିଙ୍କ ସହ ମୋଟ ୧୨୭ ଖେଳାଳିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜି ନିଜ ନିଜ ଟିମରେ ରଖିଛନ୍ତି । ଏମାନଙ୍କୁ ନିଲାମୀ ପାଇଁ ଛଡ଼ା ଯାଇନାହିଁ । ଯଦି ସବୁ ଫ୍ରାଞ୍ଚାଇଜିଙ୍କ ଉପରେ ନଜର ପକାଇବା, ତେବେ ଚେନ୍ନାଇ ସୁପର କିଙ୍ଗସ୍ ଏବେ ସବୁଠାରୁ ସ୍ଥିର ଓ ବାଲାନ୍ସ ସାଇଡ୍ ନଜର ଆସୁଛି । ନିଲାମୀକୁ ଯିବା ପୂର୍ବରୁ ସିଏସକେ ପାଖରେ ମୋଟ ୧୪.୬ କୋଟି ଟଙ୍କା ରହିଛି, ଯାହାକୁ ଖର୍ଚ୍ଚ କରି ଦଳ ଖେଳାଳି କିଣିପାରିବ । ଟିମ୍ ପାଖରେ ଏଥିପାଇଁ ଏବେ ୫ଟି ସ୍ଲଟ୍ ଖାଲି ପଡ଼ିଛି । ଅର୍ଥାତ୍ ଟିମ୍ ୫ ଜଣ ଖେଳାଳିଙ୍କୁ କିଣି ପାରିବ । ସେହିପରି ଦ୍ୱିତୀୟରେ ମୁମ୍ବାଇ ଇଣ୍ଡିଆନ୍ସ କିଛି ଜାଗାକୁ ଛାଡ଼ିଦେଲେ, ପ୍ରାୟ ବାଲାନ୍ସଡ୍ ସାଇଡ୍ ଲାଗୁଛି । ଟିମ୍ ୧୯ ତାରିଖ ନିଲାମୀରେ ଅତିବେଶୀରେ ୭ ଜଣ ଖେଳାଳିଙ୍କୁ କିଣିପାରିବ । ଦଳ ନିଜର ଓପନିଂ ସ୍ଲଟ୍ ଓ ମଧ୍ୟକ୍ରମ ବ୍ୟାଟିଂକୁ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିବ ।

କ୍ରିସ୍ ଲିନ୍ ଓ ରବିନ୍ ଉତ୍ଥପ୍ପାଙ୍କ ଭଳି ଖେଳାଳିଙ୍କୁ ଛାଡ଼ିଥିବା କେକେଆର୍ ବି ଏଥର ନିଜ ବ୍ୟାଟିଂକୁ ମଜବୁତ୍ କରିବାକୁ ଚେଷ୍ଟା କରିବ । କାର୍ଲୋସ୍ ବ୍ରେଥୱେଟ୍ ମଧ୍ୟ ଏଥର ଦଳରେ ରହିବେ ନାହିଁ । ଏଣୁ ତାଙ୍କର ରିପ୍ଲେସମେଣ୍ଟ ମଧ୍ୟ ଫ୍ରାଞ୍ଚାଇଜି ଏହି ନିଲାମୀରେ ଖୋଜିବ । ଦିଲ୍ଲୀ କ୍ୟାପିଟାଲ୍ସରେ ଶ୍ରେୟସ୍ ଅୟର୍, ରିଷଭ ପନ୍ଥ ଓ ପୃଥ୍ୱୀ ଶ'ଙ୍କ ଭଳି ଭାରତୀୟ ଯୁବ ଉଦୀୟମାନ ଖେଳାଳି ରହିଛନ୍ତି । ଦଳରେ ଶିଖର ଧୱନ୍ ମଧ୍ୟ ରହିଛନ୍ତି । ସେହିପରି ଏଥର ଆଜିଙ୍କ୍ୟ ରାହାଣେ ଓ ଆର୍. ଅଶ୍ୱିନ ମଧ୍ୟ ଡିସି ପକ୍ଷରୁ ଖେଳିବେ । ଯାହା ଦଳକୁ ଯୁବ ଖେଳାଳିଙ୍କ ସହ ଅଭିଜ୍ଞତାର ଛୁଙ୍କ ମଧ୍ୟ ପ୍ରଦାନ କରିବ । ତଥାପି ଦଳ ଏଥର ନିଲାମୀରେ କିଛି ବିଦେଶୀ ଖେଳାଳିଙ୍କୁ କିଣିବାକୁ ପ୍ରୟାସ କରିବ, ଯେଉଁମାନେ ଡିସିକୁ ଆହୁରି ମଜବୁତ୍ କରିବେ ।

ସନରାଇଜର୍ସ ହାଇଦ୍ରାବଦ୍ ପାଇଁ ଏଥର ସାକିଲ୍ ଅଲ୍ ହସନ୍ ବାସନ୍ଦାଦେଶ କାରଣରୁ ଖେଳିବେ ନାହିଁ । ଦୀପକ୍ ହୁଡ୍ଡା ଓ ୟୁସୁଫ୍ ପଠାନଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଦଳ ଛାଡ଼ି ଦେଇଛି । କିନ୍ତୁ ଦଳ ପାଖରେ ଟପ୍ ଅର୍ଡରରେ ଡେଭିଡ୍ ୱାର୍ଣ୍ଣର୍, ଜନି ବେୟାରଷ୍ଟୋ ଓ କେନ୍ ୱିଲିୟମସନଙ୍କ ଭଳି ଖେଳାଳି ରହିଛନ୍ତି । ଏଣୁ ଏସଆରଏଚ୍ ଏଥର ନିଜ ମିଡିଲ୍ ଅର୍ଡର୍ ଓ ଲୋୟର୍ ମିଡିଲ୍ ଅର୍ଡରକୁ ମଜବୁତ୍ କରିବାକୁ ଚେଷ୍ଟା କରିବ । ରାଜସ୍ଥାନ ରୟାଲ୍ସ ପାଖରେ ବେନ୍ ଷ୍ଟୋକ୍ସ, ଷ୍ଟିଭ୍ ସ୍ମିଥ୍, ଜୋସ୍ ବଟଲରଙ୍କ ଭଳି ଖେଳାଳି ରହିଛନ୍ତି । ଏଣୁ ଦଳ ଏଥର ନିଲାମୀରେ ଭାରତୀୟ ଯୁବ ଖେଳାଳିଙ୍କୁ କିଣିବାକୁ ଚେଷ୍ଟା କରିବ, ଯେଉଁମାନେ ଦଳରେ ଭାରତୀୟ ନ୍ୟୁକ୍ଲିୟସକୁ ଆହୁରି ମଜବୁତ୍ କରିବେ । କିଙ୍ଗ୍ସ ଏକାଦଶ ପଞ୍ଜାବ ପାଖରେ ୪୨.୭ କୋଟି ଟଙ୍କାର ବଜେଟ୍ ରହିଛି, ଖେଳାଳିଙ୍କୁ କିଣିବାକୁ ଓ ଦଳରେ ଅନେକ ସ୍ଲଟ୍ ମଧ୍ୟ ଖାଲି ରହିଛି । ଦଳ ଡେଭିଡ୍ ମିଲର୍, ସାମ୍ କରନ୍, ଆଣ୍ଡ୍ର୍ୟୁ ଟାଏଙ୍କ ଭଳି ଖେଳାଳିଙ୍କୁ ଛାଡ଼ିଛି । ଏଣୁ ପ୍ରାଞ୍ଚାଇଜି ନୂଆ କରି ଅନେକ ଖେଳାଳିଙ୍କୁ କିଣି ଦଳକୁ ଆଉ ଥରେ ଗଢ଼ିବାକୁ ଚେଷ୍ଟା କରିବ ।