କୋରୋନା ଲଢ଼େଇର ସାହସୀ ପ୍ରଧାନମନ୍ତ୍ରୀ, ଡାକ୍ତରୀ ପେଶାକୁ ଲେଉଟିଲେ ଲିଓ ଭାରାଦକର

ଏବେ ଆୟରଲ୍ୟାଣ୍ଡରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି । ସେହିପରି ମୃତକଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି । 

କୋରୋନା ଲଢ଼େଇର ସାହସୀ ପ୍ରଧାନମନ୍ତ୍ରୀ, ଡାକ୍ତରୀ ପେଶାକୁ ଲେଉଟିଲେ ଲିଓ ଭାରାଦକର
ଫାଇଲ ଫଟୋ

ଡବଲିନ: ଆଜି ସିନା ପ୍ରଧାନମନ୍ତ୍ରୀ, ଦିନେ ୭ ବର୍ଷ ପର୍ଯ୍ୟନ୍ତ ଡାକ୍ତର ଥିଲେ ସେ । ଜୁନିୟର ଡାକ୍ତର ଭାବେ ରୋଗୀଙ୍କ ସେବା କରୁଥିଲେ । ଆଉ ଆଜି ସମଗ୍ର ବିଶ୍ୱକୁ ଯେତେବେଳେ କିଲର କୋରୋନା ମାଡ଼ି ବସିଛି, ସେତେବେଳେ ପ୍ରଧାନମନ୍ତ୍ରୀ ପଦରେ ରହି କେବଳ ନିର୍ଦ୍ଦେଶ ବା କିପରି ଦେଇଥାନ୍ତେ ? ଦିନେ ଯେଉଁ ରୋଗୀଙ୍କ ପାଇଁ ସେ ଭଗବାନ ଥିଲେ, ଆଜି କିପରି ତାଙ୍କଠୁ ଦୂରେଇ ରହିପାରିଥାନ୍ତେ ? ଯେଉଁଥିପାଇଁ ତ ପୁଣିଥରେ ନିଜ ପେଶାକୁ ସପ୍ତାହେ ପାଇଁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭାରାଦକର । 

ଏବେ ଆୟରଲ୍ୟାଣ୍ଡରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି । ସେହିପରି ମୃତକଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଛି । ଆଉ ଏଭଳି ସ୍ଥିତିରେ କେବଳ ପ୍ରଧାନମନ୍ତ୍ରୀ ପଦରେ ରହି ନିର୍ଦ୍ଦେଶ ଦେବାକୁ ଉଚିତ ମନେକରିନାହାଁନ୍ତି ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭାରାଦକର । ସପ୍ତାହେ ପାଇଁ ନିଜ ପେଶାକୁ ଫେରିବାରୁ ଡାକ୍ତର ଭାବେ ପଞ୍ଜୀକୃତ କରିଛନ୍ତି । ଦୀର୍ଘ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେ କୋରୋନା ରୋଗୀଙ୍କ ଚିକିତ୍ସା କରିବେ । 

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୭ ବର୍ଷ ପର୍ଯ୍ୟନ୍ତ ଡାକ୍ତର ଥିଲେ ଲିଓ ଭାରାଦକର । ଡବଲିନର ସେଣ୍ଟ ଜେମ୍ସ ହସ୍ପିଟାଲ ଏବଂ କୋନୋଲୀ ହସ୍ପିଟାଲରେ ସେ ଜଣେ ଜୁନିୟର ଡାକ୍ତର ଭାବେ କାମ କରୁଥିଲେ । ଆଉ ଆଜି ନିଜର ଏହି ଡାକ୍ତରୀ ବିଦ୍ୟାକୁ ସଠିକ କାମରେ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ । କୋରୋନା ଲଢ଼େଇରେ ଏହି ସାହସୀ ପ୍ରଧାନମନ୍ତ୍ରୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ ।