ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ !
Advertisement

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ !

ମହାରାଷ୍ଟ୍ରରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ . ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବିକଳ୍ପ ସରକାର ପାଇଁ ଶେଷ ସୁଯୋଗ ରହିଛି . ଯଦି ଏହି ସମୟ ଭିତରେ ବହୁମତ ଥିବା ନେଇ ଏନସିପି ସ୍ପଷ୍ଟ ଚିତ୍ର ରଖିନପାରେ, ତେବେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିଶ କରିବେ . ବିଶ୍ୱସ୍ତ ସୂତ୍ରରୁ ଏପରି କିଛି ସୂଚନା ଜଣାପଡିଛି .

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ । ଆଜି ସନ୍ଧ୍ୟା ସଢେ ୮ଟା ପରେ ଯେକୌଣସି ସମୟରେ ଏନେଇ ସୁପାରିଶ କରିପାରନ୍ତି ରାଜ୍ୟପାଳ ଭଗତ ସିଂହ କୋଶିଆରି । ବିକଳ୍ପ ସରକାର ଗଠନ ପାଇଁ ଏନସିପି ପାଖରେ ମାତ୍ର ଆଉ ଅଳ୍ପ କେଇ ଘଣ୍ଟାର ସମୟ ରହିଛି । ଯଦି ଏହି ଡେଡଲାଇନ ଭିତରେ ବହୁମତ ଥିବା ନେଇ ଏନସିପି ସ୍ପଷ୍ଟ ଚିତ୍ର ରଖିନପାରେ, ତେବେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ସୁପାରିଶ କରିବେ । ବିଶ୍ୱସ୍ତ ସୂତ୍ରରୁ ଏପରି କିଛି ସୂଚନା ଜଣାପଡିଛି । 

ଏପଟେ ଡେଡଲାଇନ ଭିତରେ ସବୁ କାମ ସାରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ଏନସିପି, ଶିବସେନା ଓ କଂଗ୍ରେସ । ଯଦିଓ ଏନସିପି ଓ ଶିବସେନା ସରକାର ଗଠନ ପାଇଁ ଗୋଡ ଟେକି ଅଛନ୍ତି, କଂଗ୍ରେସ ପକ୍ଷରୁ ସେହି ମାତ୍ରାରେ ତତ୍ପରତା ପ୍ରକାଶ ପାଉଥିବା ଜଣାପଡିଛି । ଆଉ ଏହାରି ଭିତରେ ଆଜି ଅପରାହ୍ନରେ ମୁମ୍ବାଇ ଯାଇ ଏନସିପି ନେତା ଶରଦ ପାୱାରଙ୍କୁ ଭେଟିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଅହମେଦ ପଟେଲ । ଏହା ପରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ସନ୍ଧ୍ୟାରେ ଏନସିପି ରାଜ୍ୟପାଳଙ୍କ ପାଖରେ ବହୁମତ ଥିବା ନେଇ ସ୍ପଷ୍ଟ ଚିତ୍ର ଦେବ । 

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଆମେ ଏନସିପି ମହ ମିଶି ନିର୍ବାଚନ ଲଢିଥିଲୁ । ତେଣୁ ନିଷ୍ପତ୍ତି ମଧ୍ୟ ଏକାସାଙ୍ଗରେ ନେବୁ । ବର୍ତ୍ତମାନ ଏନସିପି ସହ ଆଲୋଚନା ଚାଲିଛି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାର ଆଲୋଚନା କରି ଚୁଡାନ୍ତ ନିଷ୍ପତ୍ତି ନେବେ । 

ତେବେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରରେ ବିକଳ୍ପ ସରକାର ଗଠନରେ ଏତେ ବିଳମ୍ବ କାହିଁକି ? କାହା ପାଇଁ ସରକାର ଗଠନରେ ବିଳମ୍ବ ହେଉଛି ? ଏସବୁ ପ୍ରଶ୍ନ ଭିତରେ ଏକ ବଡ କଥା ସାମ୍ନାକୁ ଆସୁଛି । ସରକାର ଗଠନ ପାଇଁ ଶିବସେନା ଓ ଏନସିପି ପୁରା ତୟାର ଥିବା ବେଳେ କଂଗ୍ରେସର ମନ୍ଥରତା କାଳ ସାଜୁଛି । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ତେରଛା ବୟାନ ଏବଂ ଏନସିପି ନେତା ଅଜିତ ପାୱାରଙ୍କ ପ୍ରତିକ୍ରିୟା ଏମିତି କିଛି କହୁଛି । ହେଲେ ଆଜି କଂଗ୍ରେସ ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିବ ନିଶ୍ଚୟ । କାହିଁକିନା ନହେଲେ ଯେକୌଣସି ମୁହୂର୍ତ୍ତରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂଖ୍ୟା ସବୁଠୁ କମ । ହେଲେ ସମୟ ଅଧିକ ନେଉଛି କଂଗ୍ରେସ । ମାତ୍ର ୪୪ ଆସନ ପାଇଥିବା କଂଗ୍ରେସ ଯେ ଦିନେ ସରକାର ଗଠନ ପାଇଁ ଚୁଡାନ୍ତ ନିଷ୍ପତ୍ତି ନେବ, ବୋଧେ ଏହି କଥା କେହି  ସ୍ୱପ୍ନରେ ବି ଭାବିନଥିଲେ । ହେଲେ ବର୍ତ୍ତମାନର ସ୍ଥିତି କଂଗ୍ରେସର ଭୂମିକାକୁ ବଢାଇ ଦେଇଛି । ସମର୍ଥନ ପତ୍ର ପଠାଇବ ପଠାଇବ କହି ସମୟ ଗଡାଇ ଚାଲିଛି । ସରକାର ଗଠନ ପାଇଁ ବିଜେପି ହାତ ଟେକି ଦେବା ପରେ ପ୍ରଥମେ ଶିବସେନା ଏବଂ ପରେ ଏନସିପିକୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । 

ଗତକାଲି ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଶିବସେନାକୁ ଡେଡଲାଇନ ଦେଇଥିଲେ ରାଜ୍ୟପାଳ । ହେଲେ କଂଗ୍ରେସର ନିଷ୍ପତ୍ତି ନେବାରେ ମନ୍ଥରତା ଏବଂ କଂଗ୍ରେସର ନିଷ୍ପତ୍ତିକୁ ଏନସିପିର ଅପେକ୍ଷା ଯୋଗୁଁ ଏଥିରେ ସଫଳ ହୋଇନଥିଲା ଶିବସେନା । ପରେ ଏନସିପିକୁ ଆମନ୍ତ୍ରଣ ମିଳିଛି । ଆଜି ସନ୍ଧ୍ୟା ୮।୩୦ ଭିତରେ ରାଜ୍ୟପାଳଙ୍କ ସମ୍ମୁଖରେ ଦଳକୁ ସ୍ପଷ୍ଟ ଚିତ୍ର ଦେବାକୁ ପଡିବ । ସେପଟେ ଯଦି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୁଏ, ତେବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ଶିବସେନା . ବିଶ୍ୱସ୍ତ ସୂତ୍ରରୁ ଏହି ଖବର ମିଳିଛି ।