'ଅଜିତ ପାୱାର ଭୁଲ କରିଦେଲେ'
Advertisement

'ଅଜିତ ପାୱାର ଭୁଲ କରିଦେଲେ'

ଭୁଲ ନିଷ୍ପତ୍ତି ନେଲେ 'ପାୱାର' ପୁତୁରା ! ଜୀବନରେ ସବୁଠୁ ବଡ ଭୁଲ କାମ କଲେ ଅଜିତ ପାୱାର । ଏହି ବୟସରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପଛପଟେ ଏହା ଛୁରାମାଡ ସଦୃଶ୍ୟ । କେବଳ ଅଜିତ ପାୱାର ନୁହେଁ, ବିଜେପି ମଧ୍ୟ ଭୁଲ ପଦକ୍ଷେପ ନେଇଛି । ଆଜି ଏଭଳି କିଛି ମତ ରଖିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଭୁଲ ନିଷ୍ପତ୍ତି ନେଲେ 'ପାୱାର' ପୁତୁରା ! ଜୀବନରେ ସବୁଠୁ ବଡ ଭୁଲ କାମ କଲେ ଅଜିତ ପାୱାର । ଏହି ବୟସରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପଛପଟେ ଏହା ଛୁରାମାଡ ସଦୃଶ୍ୟ । କେବଳ ଅଜିତ ପାୱାର ନୁହେଁ, ବିଜେପି ମଧ୍ୟ ଭୁଲ ପଦକ୍ଷେପ ନେଇଛି । ଆଜି ଏଭଳି କିଛି ମତ ରଖିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । 

ସଞ୍ଜୟ କହିଛନ୍ତି, ଶିବସେନା ପାଖରେ ଏବେ ୧୬୫ ବିଧାୟକଙ୍କ ସମର୍ଥନ ରହିଛି । ଏବେ ଶିବସେନା, ଏନସିପି ଏବଂ କଂଗ୍ରେସ ସରକାର ଗଢିବାକୁ ସକ୍ଷମ । ଶରଦ ପାୱାର ଜଣେ ଜାତୀୟ ସ୍ତରର ନେତା । ଯଦି ବିଜେପି ସରକାର ଗଠନ ପାଇଁ ଉଦ୍ୟମ କରିବ, ତାହା କେବେବି ସମ୍ଭବ ହେବନାହିଁ ବୋଲି କହିଛନ୍ତି ସଞ୍ଜୟ । 

ସେ ଆହୁରି ମଧ୍ୟ କହିଛନ୍ତି, ''ଗତକାଲି ରାଜଭବନରେ ଅଜିତ ପାୱାର ଜାଲ କାଗଜପତ୍ର ଦେଖାଇଥିଲେ । ରାଜ୍ୟପାଳ ମଧ୍ୟ ଏହାକୁ ଗ୍ରହଣ କରିନେଇଥିଲେ । ମାତ୍ର ଯଦି ଆଜି ବି ଆମକୁ ରାଜ୍ୟପାଳ ସରକାର ଗଠନ ପାଇଁ ଡାକିବେ, ଆମେ ବହୁମତ ପ୍ରମାଣ କରିପାରିବୁ । ୪୯ ଏନସିପି ବିଧାୟକ ଏବେ ଆମ ସହ ଅଛନ୍ତି ।''

ସେପଟେ ଶିବସେନା, ଏନସିପି ଏବଂ କଂଗ୍ରେସ ଶତ ପ୍ରତିଶତ ସରକାର ଗଢିବେ ବୋଲି ଦାବି କରିଛନ୍ତି ଏନସିପି ନେତା ଛଗନ ଭୁଜବଲ । ଏନସିପିର ୪୯/୫୦ ବିଧାୟକ ଏବେ ଦଳ ସହ ଅଛନ୍ତି । ଆହୁରି ୧/୨ ଜଣ ଫେରୁଛନ୍ତି । ସମସ୍ତ ବିଧାୟକଙ୍କୁ ଏକାଠି ରଖାଯାଇଛି । ଆମେ ହିଁ ସରକାର ଗଢିବୁ ବୋଲି କହିଛନ୍ତି ଛଗନ । 

ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କୁ ହାତେଇ ସରକାର ଗଢିବାରେ ସଫଳ ହୋଇଛି ବିଜେପି । କେହି କିଛି ଜାଣିବା ପୂର୍ବରୁ ଶନିବାର ସକାଳୁ ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଭଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ତେବେ ଏଥିରେ ଏନସିପିର କୌଣସି ସମ୍ପୃକ୍ତି ନାହିଁ ବୋଲି ଶରଦ ପାୱାର ସ୍ପଷ୍ଟ କରିବା ପରେ ଆହୁରି ରୋଚକୀୟ ମୋଡ ନେଉଛି ମହାରାଷ୍ଟ୍ର ରାଜନୀତି । ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । 

ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍‌ସିପି ଶନିବାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି । ସୁପ୍ରିମ୍‌କୋର୍ଟ ଜରୁରୀକାଳୀନ ଭାବେ ଆଜି ୧୧।୩୦ରେ ଏହି ଆବେଦନ ଉପରେ ଶୁଣାଣି କରିବେ । ସେହିପରି ତୁରନ୍ତ ଫ୍ଲୋର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।