)
ଅଜୟ ନାଥ, ସମ୍ବଲପୁର: ଆଜି ମହାଶିବରାତ୍ରି। ଉତ୍ସବ ମୁଖର ଦେଶ। କିନ୍ତୁ ଏଥର ସମ୍ବଲପୁର ହୁମା ବକ୍ର ମନ୍ଦିରରେ ହେଉନି ଜାଗର ଯାତ୍ରା। ଧୀରେଧୀରେ କୋରୋନାର ପ୍ରକୋପ କମି କମି ଚାଲିଥିବା ବେଳେ ସମସ୍ତ ସ୍ଥିତି ସ୍ଵାଭାବିକ ହେବାରେ ଲାଗିଛି। କିନ୍ତୁ ଏଥର ପ୍ରଭୁ ବିମଲେଶ୍ୱରଙ୍କର ପୀଠ ହୁମାଠାରେ କୋଭିଡ କଟକଣା ପାଇଁ ଜିଲ୍ଲା ପ୍ରଶାସନ, ଟ୍ରଷ୍ଟ ବୋର୍ଡ ତଥା ପୂଜକ ସମ୍ପ୍ରଦାୟ ପକ୍ଷରୁ ଜାଗର ବନ୍ଦ କରି ଦିଆ ଯାଇଥିବା କାରଣରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
କୋରୋନା ସଂକ୍ରମଣ ଓ କୋଭିଡ଼ ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ସମ୍ପ୍ରଦାୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥର ପ୍ରସିଦ୍ଧ ହୁମା ବ୍ରକ ମନ୍ଦିରରେ ଶିବରାତ୍ରି ମେଳାକୁ ବନ୍ଦ କରିଦିଆଯାଇଛି । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ପୂର୍ବ ପରି ଜାରି ରହିବ। ଜିଲ୍ଲା ପ୍ରଶାସନ ଓ ହୁମା ମନ୍ଦିର ଯାତ୍ରା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।
ଶିବରାତ୍ରି ସମୟରେ ସେବାୟତମାନେ ପୂର୍ବଭଳି ମନ୍ଦିରରେ ବାବା ବିମଳେଶ୍ବରଙ୍କ ପୂଜାର୍ଚ୍ଚନା ଜାରି ରଖିବେ। ମାର୍ଚ୍ଚ ୧୧ ରୁ ୧୭ ଯାଏଁ ଭକ୍ତମାନେ ମନ୍ଦିର ପ୍ରବେଶ ଓ ଦର୍ଶନକୁ ନିଷେଧ କରାଯାଇଛି। ଏଥିସହ ମନ୍ଦିର ଟ୍ରଷ୍ଟ ସଭ୍ୟ, ସେବାୟତ ବ୍ୟତୀତ ଅନ୍ୟ କେହି ମନ୍ଦିର ପ୍ରବେଶ କରିପାରିବେ ନାହିଁ ବୋଲି କମିଟି ଓ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କୋରୋନା ରହିଛି ଆଉ ରହିବ। କିନ୍ତୁ ସବୁ ଆଡେ ସବୁ କିଛି କୋରୋନା କଟକଣା ନିର୍ଦେଶକୁ ପାଳନ ପୂର୍ବକ ଖୋଲା ଯାଇଥିବା ବେଳେ ଏଇଠି କାହିଁକି ଏହି ବ୍ୟତିକ୍ରମ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଯେମିତି ସବୁ ମନ୍ଦିର ମସଜିଦ, ଗୀର୍ଜା ଘର ସରକାରୀ କଟକଣା କୁ ପାଳନ କରାଯାଇ ଖୋଲଛି। ସେହିଭଳି ଭାବରେ ଏହି ବିଶ୍ଵ ପ୍ରସିଦ୍ଧ ବକ୍ର ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲେ ଅସୁବିଧା କଣ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ରେଙ୍ଗାଲି ବିଧାୟକ ନାଉରି ନାୟକ।
ସାଧାରଣ ଭକ୍ତଙ୍କର ଆବେଗ କୁ ଦୃଷ୍ଟିରେ ରଖି ସରକାର ଏ ବାବଦରେ ଚିନ୍ତା କରିବାର ଆବଶ୍ୟକତା ରହିଥିଲା। ଯେଉଁଠି ଅନ୍ୟ ମନ୍ଦିରମାନଙ୍କୁ ଧାଡି ଦର୍ଶନର ବ୍ୟବସ୍ଥା ରହିଥିବା ବେଳେ ବାବା ବିମଳେଶ୍ୱରଙ୍କର ଦର୍ଶନକୁ କାହିଁକି ବାରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।