ଅଯୋଧ୍ୟା ଉପରେ ଆସିଥିବା ରାୟକୁ ସମସ୍ତେ ସ୍ୱୀକାର କରନ୍ତୁ: ଇମାମ ବୁଖାରୀ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଯାହା ପରେ ସାରା ଦେଶରୁ ବିଭିନ୍ନ ବ୍ୟକ୍ତିଗଣ ନିଜ ନିଜ ମତ ପ୍ରକାଶ କରୁଛନ୍ତି । ଏହି କ୍ରମରେ ଦିଲ୍ଲୀ ସ୍ଥିତି ଜାମା ମସଜିଦର ଶାହୀ ଇମାମ ଅହମଦ ବୁଖାରୀ ମଧ୍ୟ ଅଯୋଧ୍ୟା ରାୟ ଉପରେ ନିଜ ମତ ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଅଯୋଧ୍ୟା ଉପରେ ଆସିଥିବା ରାୟକୁ ସମସ୍ତେ ସ୍ୱୀକାର କରନ୍ତୁ: ଇମାମ ବୁଖାରୀ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଯାହା ପରେ ସାରା ଦେଶରୁ ବିଭିନ୍ନ ବ୍ୟକ୍ତିଗଣ ନିଜ ନିଜ ମତ ପ୍ରକାଶ କରୁଛନ୍ତି । ଏହି କ୍ରମରେ ଦିଲ୍ଲୀ ସ୍ଥିତି ଜାମା ମସଜିଦର ଶାହୀ ଇମାମ ଅହମଦ ବୁଖାରୀ ମଧ୍ୟ ଅଯୋଧ୍ୟା ରାୟ ଉପରେ ନିଜ ମତ ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଆମେ ସର୍ବଦା କହି ଆସୁଛୁ ସୁପ୍ରିମକୋର୍ଟର ରାୟକୁ ସ୍ୱୀକାର କରିବୁ । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟର ଏହି ରାୟ ଆସିବା ପରେ ଏହା ଉପରେ ପୁନର୍ବିଚାର ଯାଚିକା ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତେ ଏହି ରାୟକୁ ସ୍ୱୀକାର କରନ୍ତୁ ଓ ଶାନ୍ତି ବଜାୟ ରଖନ୍ତୁ ବୋଲି ବୁଖାରୀ କହିଛନ୍ତି । ଏହାସହ ସେ ଆଶା ବ୍ୟକ୍ତ କରିଛନ୍ତି ଯେ ଦେଶ ଉନ୍ନତି ପଥରେ ଆଗକୁ ବଢିବ ।

ସେହିପରି ପ୍ରଥମେ ଶୁଣାଯାଉଥିଲା ଯେ, ସୁନ୍ନି ୱକଫ ବୋର୍ଡ ରାୟକୁ ଚ୍ୟାଲେଞ୍ଜ କରିବ । କିନ୍ତୁ ପରେ ଉତ୍ତର ପ୍ରଦେଶ ସୁନ୍ନି ବୋର୍ଡର ଚେୟାରମ୍ୟାନ ଫାରୁକୀ ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ ସେମାନେ ସୁପ୍ରିମକୋର୍ଟଙ୍କ ରାୟ  ବିରୋଧରେ ଚ୍ୟାଲେଞ୍ଜ କରିବ ନାହିଁ ।

ଅନ୍ୟପକ୍ଷେ ଆଜି ରାୟ ଶୁଣାଣି ବେଳେ ସୁପ୍ରିମକୋର୍ଟ ରାମଲଲା ବିରାଜମାନଙ୍କୁ ବିବାଦୀୟ ୨.୭୭ ଏକର ଜମି ଉପରେ ମାଲିକାନ ଅଧିକାର ପ୍ରଦାନ କରିଥିଲେ ।   ନିର୍ମୋହୀ ଅଖାଡ଼େର ଦାବିକୁ ଖାରଜ କରି ଦେଇଥିଲେ । ଏହାସହ ସୁନ୍ନି ୱକଫ ବୋର୍ଡକୁ ମସଜିଦ ନିର୍ମାଣ କରିବା ପାଇଁ ୫ ଏକର ବିକଳ୍ପ ଜମି ଦେବାର ଆଦେଶ ଦେଇଛନ୍ତି କୋର୍ଟ । ଏହି ବିକଳ୍ପ ଜମି କେନ୍ଦ୍ର ସରକାର ଓ ଯୋଗୀ ସରକାର ଅଯୋଧ୍ୟାରେ ଦେବେ । ରାମଜନ୍ମଭୂମି ନ୍ୟାସକୁ ମଧ୍ୟ ଜମିର ମାଲିକାନ ଅଧିକାର ମିଳି ନାହିଁ । ନିଜ ରାୟରେ କୋର୍ଟ କହିଛନ୍ତି ଯେ ବିବାଦୀୟ ଜମିର ବାହ୍ୟ ଓ ଆଭ୍ୟନ୍ତରୀଣ ଅଂଶ ଉପରେ ରାମଲଲାଙ୍କ ଅଧିକାର ରହିଛି । ଏଥିପାଇଁ ଏକ ଟ୍ରଷ୍ଟ ଗଠନ କରାଯାଉ ।

ଏହାସହ ନିଜ ଅଧ ଘଣ୍ଟାର ରାୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ପ୍ରତ୍ନତତ୍ତ୍ୱର ରିପୋର୍ଟ ଆଧାରରେ ଦ୍ୱାଦଶ ଶତାବ୍ଦୀରେ ଏଠାରେ ମନ୍ଦିର ଥିଲା ବୋଲି କହିଛନ୍ତି ଅଦାଲତ । ତେବେ ମନ୍ଦିର ଭାଙ୍ଗି ମସଜିତ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ । ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି । ହିନ୍ଦୁମାନଙ୍କ ଏହି ବିଶ୍ୱାସ ରହିଛି । ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇପାରିବନି । ମାତ୍ର କୌଣସି ଆସ୍ଥା ଓ ବିଶ୍ୱାସକୁ ନେଇ କୋର୍ଟ ରାୟ ଦେବେ ନାହିଁ ବୋଲି କହିଥିଲେ ଜଷ୍ଟିସ ଗୋଗୋଇ ।