'ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିବୁ, ନ ସୁଧୁରିଲେ ଭିତରକୁ ପଶିବୁ'

ପାକ୍ ଉପରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ନେଇ ଜମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ବଡ ବୟାନ । ଆତଙ୍କୀ କ୍ୟାମ୍ପକୁ ଆମେ ଧ୍ୱଂସ କରିଦେବୁ କହିଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।

'ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରିବୁ, ନ ସୁଧୁରିଲେ ଭିତରକୁ ପଶିବୁ'
J&K Governor Satya Pal Malik

ଶ୍ରୀନଗର: ପାକ୍ ଉପରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ନେଇ ଜମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ବଡ ବୟାନ । ଆତଙ୍କୀ କ୍ୟାମ୍ପକୁ ଆମେ ଧ୍ୱଂସ କରିଦେବୁ କହିଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଆଉ ଏହାପରେ ବି ଯଦି ପାକିସ୍ତାନ ନ ସୁଧୁରେ, ତେବେ ଆହୁରି କଠୋର ପଦକ୍ଷେପ ନିଆଯିବ ବୋଲି ସେ ଚେତାଇ ଦେଇଛନ୍ତି । 

ରବିବାର ପାକ୍କୁ କଡା ଜବାବ ଦେବା ପାଇଁ ଭାରତୀୟ ସେନା ଆର୍ଟିଲାରୀ ଗନର ବ୍ୟବହାର କରିଥିଲା । ଆଉ ଏହା ଉପରେ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଆମେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଦେବୁ । ଗୋଟିଏ ବି ଆତଙ୍କୀ ଆଡ୍ଡାକୁ ଛଡାଯିବ ନାହିଁ । ଆଉ ଏହା ପରେ ଯଦି ପାକିସ୍ତାନ ନ ସୁଧୁରେ, ତେବେ ଭିତରକୁ ପଶିବୁ ବୋଲି କହିଛନ୍ତି ସେ । ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରିଆସୁଥିବା ପାକ୍ ସେନାକୁ ଏଭଳି କିଛି କହି ଚେତାଇ ଦେଇଛନ୍ତି ଜମ୍ମୁ କାଶ୍ମୀର ରାଜ୍ୟପାଳ । 

କହିରଖୁଛୁ, ରବିବାର ପାକିସ୍ତାନକୁ କଡା ଜବାବ ଦେଇଥିଲା ବାରମ୍ବାର ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରୁଥିବା ବେଳେ, ଭାରତ ଦେଇଥିଲା ମୁହଁତୋଡ ଜବାବ । ପାକ୍ ଅଧିକୃତ କାଶ୍ମୀର(ପିଓକେ) ସ୍ଥିତ ଆତଙ୍କୀ ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା ଭାରତୀୟ ଯବାନ । ଏହି ଆକ୍ରମଣ ପାଇଁ ସେନା ଆର୍ଟିଲାରୀ ଗନର ବ୍ୟବହାର କରିଥିଲା । ସେନାର ଏହି କାର୍ଯ୍ୟାନୁଷ୍ଠାନରେ ବହୁ ଆତଙ୍କୀ କ୍ୟାମ୍ପ ଧ୍ୱଂସ ହେବା ସହ ୬ ଜଣ ପାକିସ୍ତାନୀ ସେନା ଏବଂ ବହୁ ଆତଙ୍କବାଦୀ ନିହତ ହୋଇଥିଲେ । 

ଏବେ ପାକିସ୍ତାନ ସତ୍ୟତା ଲୁଚାଇବାରେ ଲାଗିପଡିଛି । ଭାରତୀୟ ସେନା ଦ୍ୱାରା ପିଓକେରେ କରାଯାଇଥିବା ବଡ଼ କାର୍ଯ୍ୟାନୁଷ୍ଠାନକୁ ଲୁଚାଇବାକୁ ପ୍ରୟାସ କରୁଛି ପାକିସ୍ତାନର ସେନା ଓ ମିଡିଆ । ଭାରତ ତରଫରୁ କରାଯାଇଥିବା ପାଲଟା ଆକ୍ରମଣରେ ପିଓକରେ ବହୁ ଆତଙ୍କୀ କ୍ୟାମ୍ପ ଧ୍ୱସ୍ତ ହୋଇଥିଲା । ଅନ୍ୟପକ୍ଷେ ପାକ୍ ସେନା ଏହାକୁ ଅସ୍ୱୀକାର କରିଛି । ସେନାର ପ୍ରବକ୍ତା ଆସିଫ ଗଫୁର ରବିବାରରୁ ହିଁ ଭାରତ ବିରୋଧରେ ଟ୍ୱିଟ କରୁଛନ୍ତି । ସେ ଦାବି କରିଛନ୍ତି ଯେ, ଭାରତ ଯେଉଁ ଆତଙ୍କୀ କ୍ୟାମ୍ପ ଧ୍ୱଂସ କରିବା କଥା କହୁଛି, ସେଥିରେ କୌଣସି ସତ୍ୟତା ନାହିଁ । ପିଓକେରେ ଏପରି କୌଣସି କ୍ୟାମ୍ପର ଅସ୍ତିତ୍ୱ ହିଁ ନାହିଁ । ଏତିକି ନୁହଁ ସେ ବିଦେଶୀ ମିଡିଆକୁ ଏହାର ନିରୀକ୍ଷଣ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି । 

ପାକିସ୍ତାନ ସେନାର ମିଛ ସହ ସେଠାକାର ଗଣମାଧ୍ୟମ ମଧ୍ୟ ସାଥ୍ ଦେଉଛି । ସେନା ପ୍ରମୁଖ ବିପିନ ରାଓତ କହିଛନ୍ତି ଯେ, ଭାରତର ଆକ୍ରମଣରେ ୫-୬ ପାକ୍ ସେନା ନିହତ ହୋଇଛନ୍ତି । କିନ୍ତୁ ସେଠାକାର ମିଡିଆ ଏହାକୁ ଲୁଚାଉଛି । ଆଉ କ୍ରମାଗତ ଦାବି କରୁଛି ଯେ, ପାକିସ୍ତାନର ଆକ୍ରମଣରେ ଭାରତରେ ବହୁତ କ୍ଷତି ହୋଇଛି । ଯେଉଁଥିରେ କୌଣସି ସତ୍ୟତା ନାହିଁ । ଏତିକି ନୁହଁ ସେଠାକାର ମିଡିଆ ଫେକ୍ ଫଟୋକୁ ଭାଇରାଲ କରୁଛି । ରବିବାର ୨୦୧୪ରେ ଭାରତରେ ହୋଇଥିବା ନକ୍ସଲ ଆକ୍ରମଣର ଏକ ଫଟୋକୁ ପାକ୍ ମିଡିଆ  ଦେଖାଇ ଲୋକଙ୍କୁ ଧୁଆଁ ବୁଲାଉଛି ।   

ଆପଣଙ୍କୁ ଏଠାରେ କହି ରଖୁଛୁ , ରବିବାର ପାକିସ୍ତାନ ଜମ୍ମୁ କାଶ୍ମୀରର କୁପୱାଡା ସ୍ଥିତ ତଙ୍ଗାଧର ସେକ୍ଟରରେ ଅସ୍ତ୍ର ବିରତି ଉଲଙ୍ଘନ କରିଥିଲା ।  ଏଥିରେ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ ।  ଏହା ବ୍ୟତୀତ ୧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।  ଆଉ ଏହାପରେ ମୁହଁତୋଡ ଜବାବ ଦେଇଥିଲା ଭାରତ ।