ଛାତ୍ରଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲା ସରକାର, ବଢ଼ିବନି ଜେଏନୟୁର ହୋଷ୍ଟେଲ ଫିସ

ଜେଏନୟୁ ପ୍ରଶାସନ ହଷ୍ଟେଲରେ ଇଷ୍ଟେବଲିଶମେଣ୍ଟ ଚାର୍ଜେଜ, କ୍ରୋକରୀ ଓ ସମ୍ୱାଦପତ୍ର ଆଦିରେ କୌଣସି ଫିସ ବୃଦ୍ଧି କରି ନଥିଲା । କିନ୍ତୁ ରୁମ ରେଣ୍ଟରେ ମଧ୍ୟ ଭାରି ବୃଦ୍ଧି କରାଯାଇଥିଲା । 

ଛାତ୍ରଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲା ସରକାର, ବଢ଼ିବନି ଜେଏନୟୁର ହୋଷ୍ଟେଲ ଫିସ

ନୂଆଦିଲ୍ଲୀ: ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଆଗରେ ଶେଷରେ ମୁଣ୍ଡ ନୁଆଁଇଲେ ମୋଦି ସରକାର । ଜବାହାର ଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ(ଜେଏନୟୁ)ରେ ବର୍ଦ୍ଧିତ ହଷ୍ଟେଲ ଫିସକୁ ପ୍ରତ୍ୟାହାର କରିବାର ଘୋଷଣା କରିଛି ମାନବ ସମ୍ୱଳ ଓ ବିକାଶ ମନ୍ତ୍ରାଳୟ । ଏହାସହ ଗରିବ ଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏକ ଯୋଜନାର ପ୍ରସ୍ତାବ ରଖାଯାଇଛି । ଏହାର ସୂଚନା ଏଚଆରଡି ମନ୍ତ୍ରାଳୟ ତରଫରୁ ଟ୍ୱିଟ କରି ସୂଚନା ପ୍ରଦାନ କରାଯାଇଛି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଜେଏନୟୁ ପ୍ରଶାସନ ହଷ୍ଟେଲରେ ଇଷ୍ଟାବ୍ଲିଶମେଣ୍ଟ ଚାର୍ଜେସ, କ୍ରୋକରୀ ଓ ସମ୍ୱାଦପତ୍ର ଆଦିରେ କୌଣସି ଫିସ ବୃଦ୍ଧି କରି ନଥିଲା । କିନ୍ତୁ ରୁମ ରେଣ୍ଟରେ ମଧ୍ୟ ଭାରି ବୃଦ୍ଧି କରାଯାଇଥିଲା । ପ୍ରଥମେ ସିଙ୍ଗଲ ରୁମର ରେଣ୍ଟ ୨୦ ଟଙ୍କା ଥିଲା, ସେଥିରେ ବୃଦ୍ଧି କରି ପ୍ରଶାସନ ୬୦୦ ଟଙ୍କା କରି ଦେଇଥିଲା । ସେହିପରି ଡବଲ ସିଟରର ରେଣ୍ଟ ୧୦ ଟଙ୍କାରୁ ବୃଦ୍ଧି କରି ୩୦୦ ଟଙ୍କା କରାଯାଇଥିଲା । ଯାହା ପ୍ରଥମ ଅପେକ୍ଷା ଅଧିକ ଥିଲା ।

ଏହା ପୂର୍ବରୁ ଛାତ୍ରଙ୍କୁ କେବେ ମଧ୍ୟ କୌଣସି ସର୍ଭିସ ଚାର୍ଜ ବା ୟୁଟିଲିଟି ଚାର୍ଜେସ ପରି ପାଣି ଓ ବିଜୁଳିର ଟଙ୍କା ଦେବାକୁ ପଡୁ ନଥିଲା । ଜେଏନୟୁ ପ୍ରଶାସନ ତରଫରୁ ଏଥିରେ ମଧ୍ୟ ବୃଦ୍ଧି କରାଯାଇଥିଲା । ୟୁଟିଲିଟି ଚାର୍ଜେସ ଅର୍ଥାତ ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଇଥିବା ବିଲର ପ୍ରାବଧାନ କରାଯାଇଥିଲା । ତେଣୁ ଛାତ୍ରଙ୍କୁ ଏହାର ବ୍ୟବହାର ଅନୁସାରେ ଟଙ୍କା ଦେବାକୁ ପଡିଥାନ୍ତା । ଏହାସହ ସର୍ଭିସ ଚାର୍ଜେସ ଭାବେ ଆଇଏଚଏ କମିଟିକୁ ମାସରେ ୧୭୦୦ ଟଙ୍କା ଦେବାକୁ ପଡ଼ିଥାନ୍ତା । ଯାହା ନୂଆ ଭାବେ ସଂଯୋଗ କରାଯାଇଥିଲା । ଯାହାକୁ ନେଇ ଛାତ୍ରମାନେ ଦୀର୍ଘ ସମୟ ଧରି ବିରୋଧ ପ୍ରଦର୍ଶନ କରି ଆସୁଥିଲେ । ସୋମବାର ଜେଏନୟୁରେ ଦୀକ୍ଷାନ୍ତ ସମାରୋହ ଦିନ କ୍ୟାମ୍ପସ ବାହାରେ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଥିଲେ । ପରେ ପୋଲିସ ଓ ଛାତ୍ର ମୁହାଁମୁହିଁ ହୋଇଥିଲେ ।