ବଡ଼ ଆନ୍ଦୋଳନର ପ୍ରସ୍ତୁତିରେ ଜେଏନୟୁ ଛାତ୍ର, ଜାଣନ୍ତୁ କାହା ଠାରୁ ମିଳୁଛି ସମର୍ଥନ

ଜବାବହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ(ଜେଏନୟୁ)ରେ ଫିସ ବୃଦ୍ଧିକୁ ନେଇ ମହାଭାରତ । ଛାତ୍ରମାନ ଏହା ବିରୋଧରେ ଜୋରଦାର କରିଛନ୍ତି ପ୍ରଦର୍ଶନ ।

ବଡ଼ ଆନ୍ଦୋଳନର ପ୍ରସ୍ତୁତିରେ ଜେଏନୟୁ ଛାତ୍ର, ଜାଣନ୍ତୁ କାହା ଠାରୁ ମିଳୁଛି ସମର୍ଥନ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଜବାବହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ(ଜେଏନୟୁ)ରେ ଫିସ ବୃଦ୍ଧିକୁ ନେଇ ମହାଭାରତ । ଛାତ୍ରମାନ ଏହା ବିରୋଧରେ ଜୋରଦାର କରିଛନ୍ତି ପ୍ରଦର୍ଶନ । ବର୍ତ୍ତମାନ ଯାଏ ଏହି ବିବାଦର ହୋଇନାହିଁ ଅବସାନ । ଏବେ ଛାତ୍ରଙ୍କ ସମର୍ଥନରେ ଆଗେଇ ଆସିଛି ଜେଏନୟୁ ଶିକ୍ଷକ ସଂଘ । ଏହା ବ୍ୟତୀତ ବିଶ୍ୱ ଭାରତୀ ବିଶ୍ୱ ବିଦ୍ୟାଳୟର ଛାତ୍ର ଓ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ମିଳୁଛି ସମର୍ଥନ । ସୋମବାର ଜେଏନୟୁରେ ଦୀକ୍ଷାନ୍ତ ସମାରୋହ ଦିନ କ୍ୟାମ୍ପସ ବାହାରେ ଛାତ୍ର ସହ ପୋଲିସ କର୍ମୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ବଡ଼ ଧରଣର ଆନ୍ଦୋଳନ କରିବା ପ୍ରସ୍ତୁତି ଚାଲିଛି ।

ଜେଏନୟୁ ଛାତ୍ର ନଭେମ୍ୱର ୧୪କୁ ନ୍ୟାଶନାଲ ପ୍ରୋଟେଷ୍ଟ ଡେ ଭାବେ ପାଳନ କରିବେ । ଏହାକୁ ସମର୍ଥନ କରିବା ପାଇଁ ଆଇସା(ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଏସୋସିଏସନ) ଦେଶ ସାରା ଥିବା ଛାତ୍ରଙ୍କୁ ଅପିଲ କରିଛି । ଆଇସାର ରାଷ୍ଟ୍ରୀୟ ସଚିବ ସନ୍ଦୀପ ସୌରଭ କହିଛନ୍ତି ଯେ ଆଇସା ନ୍ୟୁ ହୋଷ୍ଟେଲ ମ୍ୟାନୁଅଲ ବିରୋଧରେ ଆନ୍ଦୋଳନକାରୀ ଛାତ୍ରଙ୍କ ସହ ରହିଛି । ଆଇସା ନଭେମ୍ୱର ୧୪ରେ ଦେଶସାରା ସମସ୍ତ କ୍ୟାମ୍ପସରେ ନ୍ୟାଶନାଲ ଏଜୁକେଶନ ପୋଲିସି ଓ ଜେଏନୟୁରେ ପୋଲିସଙ୍କ ଦମନ ନୀତି ବିରୋଧରେ ପ୍ରଦର୍ଶନ କରିବ । ଜେଏନୟୁରେ ୯୯୯ ପ୍ରତିଶତ ଫିସ ବୃଦ୍ଧି ହେବା ପରେ ବଞ୍ଚିତ ବର୍ଗର ଛାତ୍ରଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ ।

ସେହିପରି ବିଶ୍ୱଭାରତୀ ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ ମଧ୍ୟ ଜେଏନୟୁ ଛାତ୍ରଙ୍କୁ ସମର୍ଥନ ଦେଇଛନ୍ତି । ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଜେଏନୟୁରେ ପୋଲିସ କର୍ମୀଙ୍କ ଦ୍ୱାରା ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ହୋଇଥିବା କଥିତ କ୍ରୁର ଆକ୍ରମଣର ଘୋର ନିନ୍ଦା କରିଛନ୍ତି । ସେମାନେ କହିଛନ୍ତି ଯେ ଆମେ ଜେଏନୟୁ ଛାତ୍ରଙ୍କୁ ସଲାମ କରୁଛୁ । ଏହି ସଂଘର୍ଷ ଶିକ୍ଷା ବ୍ୟବସାୟୀକରଣ ବିରୋଧରେ ସାରାଦେଶରେ ଲୋକତାନ୍ତ୍ରିକ ସ୍ୱରକୁ ଦମନ କରିବା ବିରୋଧରେ ବଡ଼ ଆନ୍ଦୋଳନର ଏକ ଅଂଶ । ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଶିକ୍ଷକ ସଂଘ ମଧ୍ୟ ଛାତ୍ରଙ୍କୁ ସମର୍ଥନ ପ୍ରଦାନ କରିଛନ୍ତି । ସଂଘ ଛାତ୍ରଙ୍କ ଉପରେ ପୋଲିସର ବର୍ବରତାକୁ ଘୋର ନିନ୍ଦା କରିଛି ।