ଖୋଳି ହେଉନାହିଁ ବୋରୱେଲ କିମ୍ବା ନୂଳକୂପ, ପିଇବା ପାଣି ଯୋଗାଉଛି ଝରଣା
Advertisement

ଖୋଳି ହେଉନାହିଁ ବୋରୱେଲ କିମ୍ବା ନୂଳକୂପ, ପିଇବା ପାଣି ଯୋଗାଉଛି ଝରଣା

ପିଇବା ପାଣି ଲାଗି ସ୍ଥାନୀୟ ଶିବ ମନ୍ଦିର ନିକଟରେ ବହି ଯାଇଥିବା ଝରଣ ଉପରେ ନିର୍ଭରଶୀଳ ଗାଁ ଲୋକ। 

ଖୋଳି ହେଉନାହିଁ ବୋରୱେଲ କିମ୍ବା ନୂଳକୂପ, ପିଇବା ପାଣି ଯୋଗାଉଛି ଝରଣା

ଝାରସୁଗୁଡା: କଥାରେ ଅଛି ଦୀପ ତଳ ଅନ୍ଧାର। ଯାହାର ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଜୁନାନିମୁଣ୍ଡା ଠାରେ। ଯେଉଁ ଖଣିଜକୁ ବ୍ୟବହାର କରି ଦେଶରେ ଅଧିକାଂଶ ଶିଳ୍ପ ସଂସ୍ଥାରେ କାର୍ଯ୍ୟ ହେଉଛି ଏବଂ ଯୋଉ କଳା ହୀରାରୁ ଉଭୟ ରାଜ୍ୟ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥଛନ୍ତି ସେହି କୋଇଲା ଖଣିର ୩୦୦ ମିଟର ନିକଟରେ ଥିବା ଜୁନାନିମୁଣ୍ଡା ବାସୀ।

ପ୍ରାୟ ୫୦ ବର୍ଷ ହେବ ଏଠାକାର ବାସିନ୍ଦା ଭୋଗୁଛନ୍ତି ଜଳକଷ୍ଟ। ମୁଣ୍ଡରେ ବଡ ବଡ ଡେକଚି ଏବଂ ହାତରେ ବାଲଟି  ଧରି ସକାଳୁ ନିକଟସ୍ଥ  ଝରଣା ଅଭିମୁଖେ ବାହାରି ପଡନ୍ତି ଏଠାକାର ଲୋକ। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଝରଣାରୁ ପାଣି ଆଣିବା କାମରେ ଲାଗି ପଡିଥାନ୍ତି। ଜୁନାନିମୁଣ୍ଡା ଲୋକଙ୍କୁ ପାଣି ଯୋଗାଉଥିବା ଏହି ଝରଣାର ସ୍ରୋତ ଖୁବ ଛୋଟ। ଏଠାରେ ବର୍ଷ ତମାମ ଦେଖା ଦେଇଥାଏ ଜଳ କଷ୍ଟ। ପାଣି ଲାଗି ଏହି ଝରଣା ଉପରେ ନିର୍ଭରଶୀଳ ହୋଇଥାନ୍ତି ଏଠାକାର ଲୋକ। 

Also Read: ରାଜଧାନୀରେ ଜଳ ଯନ୍ତ୍ରଣା, ଅଚଳ Water ATM କେବେ ହେବ ସଚଳ?

 

ଓରିଏଣ୍ଟ କ୍ଷେତ୍ରର ମାଇନ ୯ ନମ୍ବର କୋଇଲା ଖଣି। ଯେତେବେଳେ ପ୍ରଥମେ ଭୂତଳ କୋଇଲା ଖନନ କରାଗଲା ସେତେବେଳେ ଜୁନାନିମୁଣ୍ଡା ଗ୍ରାମର ଅତି ନିକଟରୁ ଖଣି ଖୋଳିବ କାର୍ଯ୍ୟ ଆରମ୍ଭ ହୋଇଇଥିଲା। ଯାହା ଫଳରେ ମାଟି ତଳୁ କୋଇଲା ବାହାରିଗଲା ପରେ ଜୁନାନିମୁଣ୍ଡା ଭଳି ଆଦିବାସୀ ସମ୍ପର୍ଣ୍ଣ ଗାଁ କଥା ଭୁଲିଗଲା ରାଷ୍ଟ୍ରୀୟ ଉଦ୍ୟୋଗ ମହାନଦୀ କୋଲ ଫିଲ୍ଡ ଲିମିଟେଡ-ଏମସିଏଲ (Mahanadi Coalfield Limited-MCL)। 

ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ଲୋକ ସଂଖ୍ୟା ବିଶିଷ୍ଟ ଆଦିବାସୀ ବହୁଳ ଗ୍ରାମରେ ଲୋକେ ବେଶ ସରଳ ଏବଂ ନିରୀହ। ହେଲେ ଏଠାକାର ଲୋକଙ୍କ ଅଧିକାର କଥା ଭୁଲିଗଲା ଏମସିଏଲ। କୋଇଲାଖଣିର ପ୍ରତ୍ୟକ୍ଷ ପ୍ରଭାବିତ ଅଞ୍ଚଳର ପ୍ରାଥମିକ ଆବଶ୍ୟକତା ପୂରଣ କରିବ ହେଉଛି ଏହି ସଂସ୍ଥାର ପ୍ରାଥମିକ ଦାୟିତ୍ୱ। ହେଲେ ନିଜର ଉତ୍ପାଦନ କୁ ପ୍ରାଧାନ୍ୟ ଦେଇ ଅନ୍ୟ ବଡ଼ ବଡ଼ ସହରକୁ ଆଲୋକିତ କରିବା ପାଇଁ ଭୂତଳ କୋଇଲା ଖନନ ପ୍ରକ୍ରିୟା ଆଗେଇଲା ଆଉ ଅନ୍ଧାରରେ ରହିଗଲେ ଜୁନାନିମୁଣ୍ଡା ଅଧିବାସୀ। 

Also Read: ସରିନାହଁ ପ୍ରକଳ୍ପ କାର୍ଯ୍ୟ; ଖରାଦିନ ଆରମ୍ଭରୁ ଜଳକଷ୍ଟ

 

ପାଣି ବୁନ୍ଦାଏ ପାଇଁ ପ୍ରତିଦିନ ସଂଘର୍ଷ କରନ୍ତି ଗାଁର ମହିଳା। କିଛି ବୃଦ୍ଧା କହିଛନ୍ତି ସେମାନେ ବିବାହ କରିବାର ୫୦ ବର୍ଷ ବିତିଗଲାଣି। ହେଲେ ଏ ପର୍ଯ୍ୟନ୍ତ ପାଣି ସମସ୍ୟାର ସମାଧାନ ହୋଇପାରିନାହିଁ। ଓରିଏଣ୍ଟ କୋଇଲା ଖଣିକୁ ଲାଗି ରହିଛି ଝାରସୁଗୁଡା ଜିଲ୍ଲା ରାଜପୁର ପଞ୍ଚାୟତର ଜୁନାନୀମୁଣ୍ଡା ଗାଁ। ପିଇବା ପାଣି ଲାଗି ସ୍ଥାନୀୟ ଶିବ ମନ୍ଦିର ନିକଟରେ ବହି ଯାଇଥିବା ଝରଣ ଉପରେ ନିର୍ଭରଶୀଳ ପୁରା ଗାଁ। କୋଇଲାଖଣି ଯୋଗୁଁ ଏହି ଗାଁର ତଳୁ କୋଇଲା ଖନନ ଫଳରେ ମାଟିତଳ ଫମ୍ପା ହୋଇଯାଇଛି। 

ଯାହା ଫଳରେ ପାନୀୟ ଜଳ ପାଇବା ଲାଗି ନଳକୂଅ କିମ୍ବା ବୋରୱେଲ ପ୍ରତିଷ୍ଠା କରି ହେଉନାହିଁ। ବର୍ଷ ତମାମ ଏହି ଝରଣ ପାଣି ଉପରେ ହିଁ ଭରସା କରିଥାନ୍ତି ଗ୍ରାମବାସୀ। ଏପରିକି ଏଠାକାର ଅଙ୍ଗନବାଡି କେନ୍ଦ୍ର ସହ ସ୍କୁଲ ମଧ୍ୟ ଏହି ଝରଣ ପାଣି ବ୍ୟବହାର କରିଥାନ୍ତି। ହେଲେ ସେହି ଝରଣ ପାଣିର ମାନ ଏ ପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ। ଏ ଘଟଣା ବାବଦରେ ସ୍ଥାନୀୟ ସରପଞ୍ଚ, ଏମସିଏଲ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଅବଗତ କରାଇଥିଲେ ମଧ୍ୟ ଜୁନାନିମୁଣ୍ଡାବାସୀଙ୍କ ପ୍ରତି କାହାରି ଦରଦ ନାହିଁ। ଯାହା ଫଳରେ ସେମାନେ ବର୍ଷ ବର୍ଷ ଧରି ଜଳକଷ୍ଟ ଭଳି ସମସ୍ୟା ଭୋଗୁଛନ୍ତି। 

Also Read:  ପ୍ରଦୂଷିତ ରାଜ୍ୟ ତାଲିକାରେ ସର୍ବାଗ୍ରେ ଓଡିଶା, ଖସୁଛି ଦିଲ୍ଲୀ

 

ଜୁନାନୀମୁଣ୍ଡା ଅଧିବାସୀଙ୍କ ବହୁ ପୁରାତନ ସମସ୍ୟା ବିଷୟରେ ଅବଗତ ଅଛନ୍ତି ସ୍ଥାନୀୟ ସରପଞ୍ଚ ଏବଂ ଏନେଇ ସେ ଏମସିଏଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ସେମାନଙ୍କ ସମସ୍ୟାର ସମାଧାନ କରିବା   ପାଇଁ ବାଟ ମଧ୍ୟ କଢା ଯାଇଥିଲା। ପାଇପ ଯୋଗେ କିଛିଦିନ ଏହି ଗାଁକୁ ପାଣି ମଧ୍ୟ ଦିଆଯାଇଥିଲା ମଧ୍ୟ ତାହା ବିଫଳ ହୋଇଥିଲା। ଖରା ୩ ମାସ ଏହି ଗାଁକୁ ଗାଡି ଯୋଗେ ପାଣି ପହଞ୍ଚାଇବାର ବ୍ୟବସ୍ଥା କରାଯାଏ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ। ଅନ୍ୟପଟେ ଏହି ଗାଁର ପାଣି ସମସ୍ୟାର ସ୍ଥାୟୀ ସମାଧାନ କିଭଳି କରାଯାଇ ପାରିବ ସେ ନେଇ ଜିଲ୍ଲାପାଳଙ୍କୁ ଜଣାଇବି ବୋଲି କହିଛନ୍ତି ବ୍ଲକ ଉନ୍ନୟନ ଅଧିକାରୀ।

ଝାରସୁଗୁଡା ଜିଲ୍ଲାର ଏହି ଆଦିବାସୀ ବହୁଳ ଗ୍ରାମର ଲୋକଙ୍କ ସମସ୍ୟା ପ୍ରତି ନାହିଁ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ଦୃଷ୍ଟି ପଡିନାହିଁ। ଯାହାର ଫଳରେ ସେମାନେ ନିଜର ଅଧିକାରରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ କେବେ ହେବେ ସମାଧାନ ତାହାକୁ ଅପେକ୍ଷା।