କିଏ ସେହି କମଲେଶ, ଯାହାଙ୍କ ହତ୍ୟାକାଣ୍ଡ ପରେ ଉଠୁଛି ପଡୁଛି ୟୁପି

ଜାଣିଛନ୍ତି, କିଏ ସେହି କମଲେଶ ତିୱାରୀ ? ଆଜି ନୁହେଁ, ବେଶ ପୂର୍ବରୁ ଏକ ବିବାଦୀୟ ଚେହେରା ଥିଲେ କମଲେଶ ।

କିଏ ସେହି କମଲେଶ, ଯାହାଙ୍କ ହତ୍ୟାକାଣ୍ଡ ପରେ ଉଠୁଛି ପଡୁଛି ୟୁପି
kamlesh tiwari

ଲକ୍ଷ୍ନୌ: ଗତକାଲି କମଲେଶ ତିୱାରୀଙ୍କୁ ହତ୍ୟା କରାଯିବା ପରେ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ଏହି ହତ୍ୟାକାଣ୍ଡରେ ପୋଲିସକୁ କିଛି ସୁରକ ମିଳିଛି । ୩ ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା ଜାରି ରହିଛି । ଏହି ସମୟରେ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ଫୁଟେଜରୁ ଆଧାର କରି ପୋଲିସ ଅଧିକ ତଦନ୍ତ କରୁଛି । ଅନ୍ୟପଟେ କମଲେଶଙ୍କ ସମର୍ଥକଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଜାଣିଛନ୍ତି, କିଏ ସେହି କମଲେଶ ତିୱାରୀ ?

ନିଜକୁ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କହୁଥିବା କମଲେଶ ତିୱାରୀ ବେଶ ଚର୍ଚ୍ଚିତ ଚେହେରା । ଆଜି ନୁହେଁ, ବେଶ ପୂର୍ବରୁ ଏକ ବିବାଦୀୟ ଚେହେରା ଥିଲେ କମଲେଶ । ବିବାଦ ଯେମିତି ତାଙ୍କ ପିଛା ଛାଡୁନଥିଲା । ବିଭିନ୍ନ ସମୟରେ ବହୁ ବିବାଦୀୟ ବୟାନ ରଖି ଚର୍ଚ୍ଚାର ଶିରୋନାମା ପାଲଟିଥିଲେ ସେ । ୨୦୧୪ ମସିହାରେ ସୀତାପୁର ଜିଲ୍ଲାରେ ସେ ଏମିତି ଏକ ବୟାନ ଦେଇଥିଲେ, ୟାହା ତାଙ୍କୁ ବେଶ ବିବାଦୀୟ କରିଥିଲେ ।  ନିଜ ନାଁରେ ଥିବା ଜମିରେ ସେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ଏକ ମନ୍ଦିର କରିବେ ବୋଲି ଘୋଷଣା କରିଥିଲେ । 

ସେହିପରି ୨୦୧୫ ମସିହାରେ ସେ ପେଙ୍ଗବର ମହମ୍ମଦ ସାହାବଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେଇଥିଲେ । ଯେଉଁଥିପାଇଁ ତାଙ୍କ ଉପରେ ଏନଏସଏ ଲାଗୁ କରାଯାଇଥିଲା । କମଲେଶଙ୍କ ଏହି ବୟାନ ପରେ ତାଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ରଖିଥିଲେ ବିଜନୌରର ମୌଲାନା । ସେ ସମୟରେ ଏହା ବେଶ ଚର୍ଚ୍ଚିତ ଖବର ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଏନେଇ କମଲେଶଙ୍କ ପତ୍ନୀ ମୌଲାନାଙ୍କ ବିରୋଧରେ ଏଫଆଇଆର ଦେଇଥିଲେ । ଏହାର ତଦନ୍ତ ଚଳାଇଥିଲା ୟୁପି ପୋଲିସ । ଆଉ ଏବେ ସ୍ୱାମୀଙ୍କ ହତ୍ୟା ପରେ ତାଙ୍କ ମୁଣ୍ଡ ପାଇଁ ଘୋଷଣା ହୋଇଥିବା ପୁରସ୍କାର ରାଶି କଥା ଏଫଆଇଆରରେ ଉଲ୍ଲେଖ କରିଛନ୍ତି କମଲେଶଙ୍କ ସ୍ତ୍ରୀ କିରଣ । ଯୋଜନାବଦ୍ଧ ଭାବରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସେ ଦର୍ଶାଇଛନ୍ତି । 

କହିରଖୁଛୁ, ଶୁକ୍ରବାର ମଧ୍ୟାହ୍ନ ବେଳକୁ ଗୈରିକ କପଡା ପିନ୍ଧିଥିବା ୨ ବ୍ୟକ୍ତି କମଲେଶଙ୍କ ଅଫିସରେ ପହଞ୍ଚିଥିଲେ । ତାଙ୍କର ଏକ କାର୍ଯ୍ୟକର୍ତ୍ତା ହିଁ ଉଭୟ ବ୍ୟକ୍ତିଙ୍କୁ କମଲେଶଙ୍କ ପାଖକୁ ନେଇଯାଇଥିଲେ । କୁହାଯାଉଛି, କମଲେଶ ସେମାନଙ୍କ ପାଇଁ ଚା ଜଳଖିଆ ମଧ୍ୟ ମଗାଇଥିଲେ । ପରେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ପାନ ପସଲା ଆଣିବା ପାଇଁ ବାହାରକୁ ପଠାଇଥିଲେ । ହେଲେ କାର୍ଯ୍ୟକର୍ତ୍ତା ପାନ ମସଲା ଧରି ଫେରିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ କମଲେଶ । ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।