ନୂଆଦିଲ୍ଲୀ: ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିୱାରୀଙ୍କ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ପ୍ରାୟ ଦିନ ନୂଆ ନୂଆ ଖୁଲାସା ସବୁ ହେଉଛି । ଏହି ହତ୍ୟାକାଣ୍ଡକୁ ନେଇ ପୁଣି ନୂଆ ତଥ୍ୟ ସାମ୍ନାକୁ ଆସିଛି । ନୂଆ ତଥ୍ୟ ଅନୁସାରେ, ହତ୍ୟାକାରୀ କମଲେଶଙ୍କ ଖୁର୍ଶୀଦବାଗ ସ୍ଥିତ ଅଫିସକୁ ପହଞ୍ଚିବା ପାଇଁ ଗୁଗୁଲ ମ୍ୟାପର ସାହାଯ୍ୟ ନେଇଥିଲା । ଅଭିଯୁକ୍ତ ତାଙ୍କୁ ହତ୍ୟା କରିବା ପାଇଁ ଟ୍ରେନ ଯୋଗେ ଲକ୍ଷ୍ନୌରେ ପହଞ୍ଚିଥିଲା ।
ଲକ୍ଷ୍ନୌର ଚାରବାଗ ରେଲୱେ ଷ୍ଟେସନରୁ କମଲେଶଙ୍କ ଘରର ଠିକଣା ପଚାରି ବୁଝିବା ପରେ ଦୁଇ ଅଭିଯୁକ୍ତ ଗଣେଝଗଞ୍ଜ ପହଞ୍ଚିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଯାଏ ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଅନୁସାରେ ହତ୍ୟାକାରୀମାନେ ଗୁଗୁଲ ସାହାଯ୍ୟରେ କମଲେଶଙ୍କ ବିଷୟରେ ତଥ୍ୟ ଏକାଠି କରିଥିଲେ । ଏଥିପାଇଁ ସେମାନେ ବିଭିନ୍ନ ୱେବସାଇଟର ସାହାଯ୍ୟ ନେଇଥିଲେ । ହତ୍ୟାକାରୀମାନେ ହରଦୋଇରୁ ମୁରାଦାବାଦ ହୋଇ ଖୁର୍ଶିଦବାଗ ପହଞ୍ଚିଥିଲେ । ଘଟଣା ଦିନ ହତ୍ୟାକାରୀମାନେ ରାତି ୧୨ଟାରେ କମଲେଶଙ୍କୁ କଲ୍ କରିଥିଲେ ।
କମଲେଶଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅଶଫାକ ଓ ମୋଇନନୁଦ୍ଦିନଙ୍କ ଶେଷ ଲୋକେଶନ ବରେଲୀ ଥିଲା ବୋଲି ଜଣାପଡିଛି । ଏହାପରେ ଦୁଇ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଏମାନଙ୍କୁ ଗିରଫ କରିବା ପାଇଁ ଯୁପି ଏସଟିଏଫ, ଏଟିଏସ ସମେତ ବିଭିନ୍ନ ଟିମ ଲାଗି ପଡିଛନ୍ତି । ପ୍ରମାଣ ଖୋଜିବା ପାଇଁ ପୋଲିସ ୩ଟି ମୋବାଇଲ ନମ୍ବର ଉପରେ ନଜର ରଖିଛି । ଏହି ମୋବାଇଲ ନମ୍ବର ଅକ୍ଟୋବର ୧୭ରେ ସକ୍ରିୟ ହୋଇଥିଲା । ଏହି ନମ୍ବର ରାଜସ୍ଥାନର ବୋଲି ଜଣାପଡିଛି । ପରେ ଏହା ବିଷୟରେ ଅଧିକ ଖୋଲତାଡ଼ କରିବାରୁ ଏହି ଫୋନ ନମ୍ବର କାନପୁରର ଜଣେ ଟ୍ୟାକ୍ସି ଚାଳକଙ୍କ ନାଁରେ ରହିଛି ବୋଲି ଜଣାପଡିଛି ।
କମଲେଶ ହତ୍ୟାକାଣ୍ଡରେ ମହାରାଷ୍ଟ୍ର ଏଟିଏସ ନାଗପୁରର ମୋମିନପୁରାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ୟୁପି ପୋଲିସ ଦ୍ୱାରା ଯୋଗାଇ ଯାଇଥିବା ତଥ୍ୟ ଆଧାରରେ ଏଟିଏସ ଏହି ଗରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁ ସୈୟଦ ଅଲୀ ଓ ତାଙ୍କ ବୟସ ୨୯ ବୋଲି ଜଣାପଡିଛି । ସେ ନାଗପୁରରେ ହାଡୱେୟର ବିଜନେସ ସହ ଯୋଡିତ ଅଛି । ଶନିବାର ସୁରାଟରୁ ମଧ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।