କମଲେଶ ତିୱାରୀ ହତ୍ୟାକାଣ୍ଡ: ଧରାପଡିଲେ ଦୁଇ ମୁଖ୍ୟ ଅଭିଯୁକ୍ତ
Advertisement

କମଲେଶ ତିୱାରୀ ହତ୍ୟାକାଣ୍ଡ: ଧରାପଡିଲେ ଦୁଇ ମୁଖ୍ୟ ଅଭିଯୁକ୍ତ

ବହୁଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡରେ ପୋଲିସକୁ ବଡ ସଫଳତା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

ସିସିଟିଭିରେ କମଲେଶ ତିୱାରୀ ହତ୍ୟାକାଣ୍ଡର ଅଭିଯୁକ୍ତ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡରେ ପୋଲିସକୁ ବଡ ସଫଳତା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଦ୍ୱୟ ହେଲେ ଶେଖ ଅସଫାକ ହୁସେନ ଓ ପଠାନ ମୋଇନୁଦ୍ଦିନ ଅହମ୍ମଦ । ମଙ୍ଗଳବାର ଗୁଜୁରାଟ-ରାଜସ୍ଥାନ ସୀମା ସାମଲାଜିରୁ ତାଙ୍କୁ ଗିରଫ କରିଛି ଗୁଜୁରାଟ ଆଣ୍ଟି ଟେରୋରିଜମ ସ୍ୱାର୍ଡ(ଏଟିଏସ) । 

ଗୁଜୁରାଟ ଏଟିଏସର ଡିଆଇଜି କହିଛନ୍ତି, ଅଭିଯୁକ୍ତ ଦ୍ୱୟ ଗୁଜୁରାଟରେ ଥିବା ନେଇ ଆମ ପାଖରେ ଖବର ଥିଲା । ଏହାପରେ ଆମେ ତାଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲୁ । ଅଭିଯୁକ୍ତ ଦ୍ୱୟଙ୍କ ଘର ଗୁଜୁରାଟର ସୁରଟରେ । ଘଟଣାର ଗୋଟିଏ ଦିନ ପୂର୍ବରୁ ଲକ୍ଷ୍ନୌ ଲାଲବାଗ ସ୍ଥିତ ଏକ ହୋଟେଲରେ ରହିଥିଲେ ଉଭୟ ଅଭିଯୁକ୍ତ । ହେଲେ କମଲେଶଙ୍କୁ ହତ୍ୟା କରିବା ପରେ କିଛି ନକହି ହୋଟେଲରୁ ଫେରାର ହୋଇଯାଇଥିଲେ । ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିରେ ଉଭୟ ନଜର ଆସିଥିଲେ । 

କମଲେଶ ତିୱାରୀ ହତ୍ୟାକାଣ୍ଡରେ ସାମିଲ ଏହି ଅଭିଯୁକ୍ତ ଦ୍ୱୟଙ୍କ ସୂଚନା ଦେବା ଉପରେ ୨ ଦିନ ପୂର୍ବରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ୫ ଲକ୍ଷ ଏବଂ ଜଣଙ୍କ ବିଷୟରେ ସୂଚନା ଦେଲେ ୨।୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ ଡିଜିପି ଓପି ସିଂ ।

ଉଭୟ ଅଭିଯୁକ୍ତ ଧରାପଡିବା ପରେ ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ସେମାନେ ପ୍ରଥମେ କମଲେଶଙ୍କ ଉପରକୁ ଗୁଳି ଚାଳାଇଥିଲେ । କିନ୍ତୁ ଏହା କମଲେଶଙ୍କ ଦେହରେ ବାଜିନଥିଲା । ପରେ ଛୁରୀରେ ତାଙ୍କ ଗଳା ଏବଂ ଅନ୍ୟ ସ୍ଥାନକୁ ଆଘାତ କରି କମଲେଶଙ୍କୁ ହତ୍ୟା କରିଥିଲେ । ଘଟଣା ସ୍ଥଳରେ ଏହି କମଲେଶଙ୍କ ମୃତ୍ୟୁ ହୋଇଥିଲା । ତେବେ ଖୁବଶୀଘ୍ର ଉଭୟ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶ ପୋଲିସକୁ ହସ୍ତାନ୍ତର କରିବ ଗୁଜୁରାଟ ଏଟିଏସ । 

କହିରଖୁଛୁ, ଶୁକ୍ରବାର ମଧ୍ୟାହ୍ନ ବେଳକୁ ଗୈରିକ କପଡା ପିନ୍ଧିଥିବା ୨ ବ୍ୟକ୍ତି କମଲେଶଙ୍କ ଅଫିସରେ ପହଞ୍ଚିଥିଲେ । ତାଙ୍କର ଏକ କାର୍ଯ୍ୟକର୍ତ୍ତା ହିଁ ଉଭୟ ବ୍ୟକ୍ତିଙ୍କୁ କମଲେଶଙ୍କ ପାଖକୁ ନେଇଯାଇଥିଲେ । କୁହାଯାଉଛି, କମଲେଶ ସେମାନଙ୍କ ପାଇଁ ଚା ଜଳଖିଆ ମଧ୍ୟ ମଗାଇଥିଲେ । ପରେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ପାନ ପସଲା ଆଣିବା ପାଇଁ ବାହାରକୁ ପଠାଇଥିଲେ । ହେଲେ କାର୍ଯ୍ୟକର୍ତ୍ତା ପାନ ମସଲା ଧରି ଫେରିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ କମଲେଶ । ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।