ଗୁଣି ଗାରେଡ଼ି ପାଇଁ ଦାଦାଙ୍କୁ ହତ୍ୟା କଲା ପୁତୁରା, ମାମୁଁ ବି ସାମିଲ
Advertisement

ଗୁଣି ଗାରେଡ଼ି ପାଇଁ ଦାଦାଙ୍କୁ ହତ୍ୟା କଲା ପୁତୁରା, ମାମୁଁ ବି ସାମିଲ

କନ୍ଧମାଳ କୁଡୁପାଗୁଡ଼ି ହତ୍ୟାକାଣ୍ଡର ଖୁଲାସା

ଫଟୋ ସୌଜନ୍ୟ: ପ୍ରତିନିଧି, କନ୍ଧମାଳ

ପ୍ରିୟବ୍ରତ ସାହୁ, କନ୍ଧମାଳ: ଗୁଣିଗାରେଡି ସନ୍ଦେହକୁ ନେଇ ସମ୍ପର୍କୀୟ ଦାଦାଙ୍କୁ କଟୁରୀରେ ହାଣି ହତ୍ୟା ଅଭିଯୋଗ । ପରେ ଜଙ୍ଗଲରେ ପୋଡ଼ିଦେଲା ପୁତୁରା ! ଏଭଳି ଏକ ଚାଞ୍ଚଲ୍ୟକର ଘଟଣା କନ୍ଧମାଳ ବ୍ରାହ୍ମଣୀଗାଁ ଥାନା କୁଡୁପାଗୁଡ଼ି ଗାଁରେ ଘଟିଛି । ଆଉ ହତ୍ୟାର ଶିକାର ହୋଇଛନ୍ତି ସେହି ଗାଁର ସୁଦାମ ମଲିକ । ହତ୍ୟା ଘଟଣାର ଅଭିଯୁକ୍ତ ପୁତୁରା ସୁମନ୍ତ ମଲିକ ସହ ତାଙ୍କ ମାମୁଁ କୁଟୁରୁସା ମଳିକଙ୍କୁ ବ୍ରାହ୍ମଣୀଗାଁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଗତ ଜାନୁୟାରୀ ୩ ତାରିଖ ସନ୍ଧ୍ୟା ସମୟରେ ସୁଦାମ ମଲିକ ଗାଁ ନିକଟ ଜଙ୍ଗଲରେ ଥିବା ନିଜ ବିଲ ଜଗିବାକୁ ଯାଇଥିଲେ । ସୁଦାମ ମଲିକ  ରୋଷେଇ କରୁଥିବା ସମୟରେ ଅଭିଯୁକ୍ତ ପୁତୁରା ଓ ତାର ମାମୁଁ ଅତର୍କିତ ଭାବେ ସେଠାରେ ପହଞ୍ଚି ତାଙ୍କୁ ଏକ କଟୁରି ସାହାଯ୍ୟରେ ହାଣି ଦେଇଥିଲେ ! ସୁଦାମର ମୃତ୍ୟୁ ହେବା ପରେ ଅଭିଯୁକ୍ତ ସୁମନ୍ତ ମଲିକ ଓ କୁଟୁରୁସା ମଲିକ ମୃତଦେହକୁ ଜଙ୍ଗଲରେ ପୋଡ଼ି ଦେଇଥିଲେ । ଏହା ସହ ଅଭିଯୁକ୍ତ ଦୁଇ ଜଣ ଏକଥା କାହାକୁ ନ ଜଣାଇବାକୁ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ । ଆଉ ବାହାରେ ରହୁଥିବା ମୃତ ସୁଦାମର ସାନ ଭାଇ ପ୍ରତାପ ମଲିକ ଖବର ପାଇ ୧୧ ତାରିଖରେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

ଅଭିଯୋଗ ପାଇବା ପରେ କନ୍ଧମାଳ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ ଓ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସାଇଣ୍ଟିଫିକ ଟିମ ନେଇ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ପରେ ହତ୍ୟାକାଣ୍ଡର ଖୁଲାସା ହୋଇଥିବା ବେଳେ ଏନେଇ ବ୍ରାହ୍ମଣୀଗାଁ ଥାନାରେ  କେସ ନମ୍ବର-୭/୨୦୨୦, ଦଫା ୩୦୨/୨୦୧/୫୦୬/ ୩୪ ଆଇପିସିରେ ମକଦମା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ; ଏଣିକି ଅନଲାଇନରେ କଣ୍ଡକ୍ଟର ଲାଇସେନ୍ସ୍