କେବେ ଗୃହବନ୍ଦୀରୁ ମୁକୁଳିବେ କାଶ୍ମୀର ନେତା, କହିଲେ ଶାହ
Advertisement

କେବେ ଗୃହବନ୍ଦୀରୁ ମୁକୁଳିବେ କାଶ୍ମୀର ନେତା, କହିଲେ ଶାହ

ମୁଁ ଗିରଫ ହେବା ବେଳେ ବି ସିବିଆଇ ସ୍ୱାଧିନ ଥିଲା, ଚିଦାମ୍ବରମ ଗିରଫ ହେବା ବେଳେ ବି ସ୍ୱାଧିନ ଅଛି । ଏହା ଏକ ସ୍ୱାଧୀନ ସଂସ୍ଥା ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । 

  • ଜୀ ନ୍ୟୁଜକୁ ଶାହଙ୍କ ସ୍ୱତନ୍ତ୍ର ସାକ୍ଷାତକାର
    କାଶ୍ମୀରରେ ଶତ ପ୍ରତିଶତ ସ୍ଥିତି ସ୍ୱଭାବିକ
    ଚିଦାମ୍ବରମଙ୍କ ଗିରଫଦାରି ରାଜନୈତିକ ନୁହେଁ
    ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର ହେବ ବିଜୟ
    ମାନ୍ଦାବସ୍ଥା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଲାଗିରହିଛି

Trending Photos

exclusive interview with amit shah

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଗିରଫ ହେବା ପଛରେ କୌଣସି ରାଜନୈତିକ ଚାପ ନାହିଁ । ଉଭୟ ସିବିଆଇ ଓ ଇଡି ସ୍ୱାଧୀନ ସଂସ୍ଥା । ଉଭୟ ସଂସ୍ଥା ଗୃହ ବିଭାଗ ଅଧିନରେ କାମ କରନ୍ତି ନାହିଁ । ଚିଦାମ୍ବରମ ଗୃହମନ୍ତ୍ରୀ ଥିବା ବେଳେ ମୁଁ ଗିରଫ ହୋଇଥିଲି । ସେତେବେଳେ ବି ସିବିଆଇ ସ୍ୱାଧୀନ ଥିଲା । ଏବେ ମୁଁ ଗୃହମନ୍ତ୍ରୀ ଥିବା ବେଳେ ଚିଦାମ୍ବରମ ଗିରଫ ହୋଇଛନ୍ତି । ଏବେବି ସିବିଆଇ ସ୍ୱାଧୀନ ଭାବରେ କାମ କରୁଛି । ଜୀ ନ୍ୟୁଜ ଏଡିଟର ଇନ ଚିଫ ସୁଧୀର ଚୌଧୁରୀଙ୍କୁ ଏକ ସାକ୍ଷାତକାର ଦେଇ ଏଭଳି ମତ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । 

ସେହିପରି କାଶ୍ମୀର ପ୍ରସଙ୍ଗରେ ଶାହ କହିଛନ୍ତି, ଏବେ କାଶ୍ମୀରରେ ଶତ ପ୍ରତିଶତ ସ୍ଥିତି ସ୍ୱାଭାବିକ ରହିଛି । ବର୍ତ୍ତମାନ ଜମ୍ମୁ କାଶ୍ମୀରରେ କର୍ଫ୍ୟୁ ସ୍ଥିତି ନାହିଁ । ଏବେ ମାତ୍ର ୬ଟି ଥାନାରେ ୧୪୪ ଧାରା ଜାରି ରହିଛି । ଲ୍ୟାଣ୍ଡ ଫୋନ ଏବଂ ମୋବାଇଲ ସେବା ପୁଣିଥରେ ଆରମ୍ଭ ହୋଇଛି । ଧାରା ୩୫(ଏ) ଏବଂ ୩୭୦ର ଉଚ୍ଛେଦ ପରେ ଜଳୁଥିବା ପାକିସ୍ତାନ ହିଂସା ଘଟାଇବାକୁ ଯୋଜନା କରୁଛି । ତେଣୁ ପାକିସ୍ତାନ ଉପରେ କଡା ନଜର ରଖାଯାଇଥିବା ଶାହ କହିଛନ୍ତି । 

ଦୀର୍ଘଦିନ ହେଲା ଗୃହବନ୍ଦୀ ଥିବା ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା, ପିଡିପି ନେତ୍ରୀ ମେହେବୁବା ମୁଫତିଙ୍କୁ କେବେ ମୁକ୍ତ କରାଯିବ ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାହ କହିଛନ୍ତି, କାଶ୍ମୀର ସ୍ଥିତିକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଏଜେନ୍ସି ବର୍ତ୍ତମାନର ସ୍ଥିତି ସମୀକ୍ଷା ପରେ ତାଙ୍କୁ ଛଡାଯିବା ନେଇ ପଦକ୍ଷେପ ନିଆଯିବ । 

ଅନ୍ୟପଟେ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ହେବା ନେଇ ଦୃଢକ୍ତି କରିଛନ୍ତି ଶାହ । ଉଭୟ ରାଜ୍ୟରେ ବିଜେପି ସରକାର ଗଢିବ । ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ଶାହ କହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଲୋକଙ୍କ ପାଇଁ ଭଲ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସବୁ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି । ଦୁର୍ନୀତିମୁକ୍ତ ସରକାର ଗଢିବାରେ ବିଜେପି ସଫଳ ହୋଇଛି । ତେଣୁ ବିଜେପି ପୁଣିଥରେ ଉଭୟ ରାଜ୍ୟରେ ସରକାର ଗଢିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । 

ଏପଟେ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ ନିଜକୁ ତୁଳନା କରିବାକୁ ନାପସନ୍ଦ କରିଛନ୍ତି ଶାହ । କହିଛନ୍ତି, ଦେଶପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଅତୁଳନୀୟ । କେବଳ ମୁଁ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦେଶର କୋଟିକୋଟି ଜନତା ସର୍ଦ୍ଦାରଙ୍କୁ ଆଦର୍ଶ ମାନନ୍ତି । ତାଙ୍କ ସହ କାହାକୁ ତୁଳନା କରାଯାଇପାରିବ ନାହିଁ । 

ଏନଆରସି ଲାଗୁ ଉପରେ ମଧ୍ୟ ଶାହ ମତ ରଖିଥିଲେ । କେବଳ ଆସାମ ନୁହେଁ, ସମଗ୍ର ଦେଶରେ ଏହାକୁ ଲାଗୁ କରାଯିବ । ଦେଶରେ ଲାଗି ରହିଥିବା ମନ୍ଦାବସ୍ଥା ନେଇ ଶାହ କହିଛନ୍ତି ଯେ କେବଳ ଭାରତରେ ନୁହେଁ, ଏବେ ସମଗ୍ର ବିଶ୍ୱ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଏଥିରୁ ନିସ୍ତାର ପାଇବା ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥିତି ସ୍ୱଭାବିକ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା କହିଥିଲେ ଗୃହମନ୍ତ୍ରୀ ।