ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭୂସ୍ୱର୍ଗ ଦ୍ୱାର

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ଅନୁଚ୍ଛେଦ ୩୫ ଏ ଉଚ୍ଛେଦ ପରେ ଏହା ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ସୁଯୋଗ, ଯେତେବେଳେ କି ପର୍ଯ୍ୟଟକଙ୍କ ଆଗମନ ଉପରେ ଥିବା ପ୍ରତିବନ୍ଧକ ହଟି ଯାଇଛି । ପର୍ଯ୍ୟଟକ ବର୍ଷର ସବୁ ସମୟରେ କାଶ୍ମୀରରେ ବୁଲିବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ଶୀତ ଋତୁରେ ଘାଟିର ସୌନ୍ଦର୍ଯ୍ୟ ଅନେକ ଗୁଣରେ ବଢ଼ିଯାଇଥାଏ ।

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭୂସ୍ୱର୍ଗ ଦ୍ୱାର

ପି. ପରିଡ଼ା, ନୂଆଦିଲ୍ଲୀ: ୬୯ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଜମ୍ମୁ କାଶ୍ମୀରରୁ ହଟିଛି ପ୍ରତିବନ୍ଧକ । ଗତ ଅଗଷ୍ଟରେ ରାଜ୍ୟରେ ଧାରା ୩୭୦ ଉଚ୍ଛେଦ ପରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିବନ୍ଧକ ଲାଗିଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଜମ୍ମୁ କାଶ୍ମୀରରୁ ଫେରିଯିବା ପାଇଁ ଆଡଭାଇଜରୀ ଜାରି ହୋଇଥିଲା । ୩ ଦିନ ପୂର୍ବରୁ ରାଜ୍ୟପାଳ ଜମ୍ମୁ କାଶ୍ମୀରରୁ ପର୍ଯ୍ୟଟକଙ୍କ ପାଇଁ ପ୍ରତିବନ୍ଧକ ହଟାଇବା ପାଇ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପରେ ସରକାର ପର୍ଯ୍ୟଟକଙ୍କ ଉପରେ ଲାଗୁ ରହିଥିବା ଆଡଭାଇଜରୀ ପ୍ରତ୍ୟାହାର କରିନେଇଛନ୍ତି । ''ଗର ଫିରଦୋଷ ବର-ରୁଏ ଜମି ଅସ୍ତ...ହମି ଅସ୍ତ...ହମି ଅସ୍ତ....ହମି ଅସ୍ତ....ଅର୍ଥାତ ଧରିତ୍ରୀରେ ଯଦି କେଉଁଠି ସ୍ୱର୍ଗ ରହିଛି ତେବେ ତାହା ଏଇଠି ହିଁ ରହିଛି । ପ୍ରସିଦ୍ଧ ସୁଫି ସନ୍ଥ ଓ କବି ଅମୀର ଖୁସରୋଙ୍କ ଏହି ଆକର୍ଷଣୀୟ ଶବ୍ଦ ସହ ପୁଣି ଥରେ ଜୀବନ ଜୀଇଁବାକୁ କାଶ୍ମୀରବାସୀ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଉତ୍ତର ଭାରତରେ ଶୀତର ଆଗମନ ସହ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଛି  । କାଶ୍ମୀରରେ ସୁରକ୍ଷା କାରଣରୁ ପର୍ଯ୍ୟଟକଙ୍କ ପାଇଁ ଜାରି ହୋଇଥିବା ପ୍ରତିବନ୍ଧକ ଗୁରୁବାରଠାରୁ ସମ୍ପୂର୍ଣ୍ଣ ଭାବରେ ହଟିଛି । ଏବେ ଦେଶରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ସ୍ଥାନ, ଧରିତ୍ରୀରେ ସ୍ୱର୍ଗ ନାମରେ ପରିଚିତ କାଶ୍ମୀରରେ ଦେଖିବାକୁ ମିଳିବ ପର୍ଯ୍ୟଟକଙ୍କ ଭିଡ଼  ।

Kashmir

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ଅନୁଚ୍ଛେଦ ୩୫ ଏ ଉଚ୍ଛେଦ ପରେ ଏହା ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ସୁଯୋଗ, ଯେତେବେଳେ କି ପର୍ଯ୍ୟଟକଙ୍କ ଆଗମନ ଉପରେ ଥିବା ପ୍ରତିବନ୍ଧକ ହଟି ଯାଇଛି । ପର୍ଯ୍ୟଟକ ବର୍ଷର ସବୁ ସମୟରେ କାଶ୍ମୀରରେ ବୁଲିବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ଶୀତ ଋତୁରେ ଘାଟିର ସୌନ୍ଦର୍ଯ୍ୟ ଅନେକ ଗୁଣରେ ବଢ଼ିଯାଇଥାଏ । ପୁଣି ଥରେ ଦେଶ ବିଦେଶର ପର୍ଯ୍ୟଟକ କାଶ୍ମୀର ଆସିବାକୁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବ୍ୟବସାୟୀଙ୍କ ମୁହଁରେ ମଧ୍ୟ ଖୁସିର ଝଲକ ଦେଖିବାକୁ ମିଳିଛି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ସ୍ଥିତି । ଗୁରୁବାର କାଶ୍ମୀରର ହଜାର ସହ ସମସ୍ତ ସ୍କୁଲ ଓ କଲେଜ ଖୋଲିଛି । ଏହାସହିତ ଜମ୍ମୁରେ ସମସ୍ତ ଜିଲ୍ଲାରେ ମୋବାଇଲ ସେବା ଆରମ୍ଭ ହୋଇଛି । ସେପଟେ କାଶ୍ମୀରରେ ଲ୍ୟାଣ୍ଡ ଲାଇନ ଫୋନ ସେବା ଆରମ୍ଭ ହୋଇଥିବାରୁ କାଶ୍ମୀରର ଲାଇଫ ଲାଇନ ଟୁରିଜିମକୁ ନୂଆ ଜୀବନ ମିଳିଛି ।

ସୁରକ୍ଷା କାରଣରୁ ପ୍ରତିବନ୍ଧକ ଲାଗିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଥିଲା । ଧାରା ୩୭୦ ଉଚ୍ଛେଦ ପରେ ପର୍ଯ୍ୟଟକଙ୍କ ଆଗମନ ବନ୍ଦ ହୋଇଯାଇଥିଲା । ଉତ୍ତର ଭାରତରେ ଅନେକ ରାଜ୍ୟରୁ କାଶ୍ମୀରକୁ ସର୍ବାଧିକ ପର୍ଯ୍ୟଟକ ଆସିଥାଆନ୍ତି । ଏବେ ଟୁରିଷ୍ଟ ଆଡଭାଇଜରୀ ପ୍ରତ୍ୟାହାର ହୋଇଥିବାରୁ ପର୍ଯ୍ୟଟକମାନେ ପୁଣି ଥରେ କାଶ୍ମୀର ଆସିବାକୁ ମନ ବଳାଇଛନ୍ତି । ନିର୍ଭୟରେ କାଶ୍ମୀରରେ ବୁଲିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା ଆରମ୍ଭ ହୋଇଛି । କାଶ୍ମୀରରେ ଶାନ୍ତିର ମାହୋଲ ସୃଷ୍ଟି କରିବା ପାଇଁ ଗତ ଏକ ସପ୍ତାହ ମଧ୍ୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ ନିଷ୍ପତ୍ତି ଭାବରେ ରାଜ୍ୟରେ ବ୍ଲକ ଡେଭୋଲପମେଣ୍ଟ କାଉନସିଲ ନିର୍ବାଚନ ଘୋଷଣା ହୋଇଥିଲା । ଏହାସହ ନଜରବନ୍ଦୀଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲାଙ୍କୁ ଭେଟିବା ପାଇଁ ନ୍ୟାସନାଲ କନଫରେନ୍ସ ନେତାଙ୍କୁ ଅନୁମତି ପ୍ରଦାନ କରିଥିଲେ ରାଜ୍ୟପାଳ ।  ଏବେ ପର୍ଯ୍ୟଟକଙ୍କୁ ବିନା ଦ୍ୱିଧାରେ କାଶ୍ମୀରରେ ପ୍ରବେଶ କରିବାକୁ ମିଳିଛି ଅନୁମତି । ଆଗାମୀ ଦିନରେ ସରକାର ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବା ସମ୍ଭାବନା ରହିଛି ।