୧୬ରେ ଦିଲ୍ଲୀ ରାମଲୀଲା ମଇଦାନରେ ଅଭିଷେକ ଉତ୍ସବ...

ରାମଲୀଲା ମୈଦାନରେ ଶପଥ ଗ୍ରହଣ ଉତ୍ସବ 

୧୬ରେ ଦିଲ୍ଲୀ ରାମଲୀଲା ମଇଦାନରେ ଅଭିଷେକ ଉତ୍ସବ...

ପ୍ରକାଶ କୁମାର ପରିଡ଼ା, ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ କେଜରିୱାଲ । ଆସନ୍ତା ୧୬ ତାରିଖରେ ଦିଲ୍ଲୀ ରାମଲୀଲା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାକୁ ଯାଉଛି  । ବୁଧବାର ଉପରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ଅରବିନ୍ଦ କେଜରିୱାଲ । ମଙ୍ଗଳବାର ଭୋଟ ଗଣତିରେ ଦଳର ବିଜୟ ଘୋଷଣା ପରେ ବୁଧବାର ଆପ ବିଧାୟକ ଦଳ ବୈଠକରେ କେଜରିୱାଲଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି । ବିଜୟ ପାଇଁ ଦଳର ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଦେବା ସହ ଉପ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜରିୱାଲ । ରାଜ୍ୟରେ ନୂଆ ସରକାର ଗଠନ ପ୍ରସଙ୍ଗରେ ଉପ ରାଜ୍ୟପାଳଙ୍କ ସହ ଆଲୋଚନା ହୋଇଛି । ବିଧାନସଭା ନିର୍ବାଚନରେ ମୋଟ ୭୦ ଆସନରୁ ଆପ ୬୨ ଆସନରେ ବିଜୟୀ ହୋଇଥିବାବେଳେ ବିଜେପିକୁ ମାତ୍ର ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।  

ସେପଟେ ରାଜ୍ୟରେ ବିରୋଧୀ ଦଳ ବିଜେପି ନିଜର ପ୍ରଦର୍ଶନ ନେଇ କରିଛି ମାନସ ମନ୍ଥନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ବିଜେପି ନେତାଙ୍କୁ ଆତ୍ମସମୀକ୍ଷା କରିବା ସହ ଭୁଲ ସଂଶୋଧନ କରିବାକୁ ପରାମର୍ଶ ଦେଇଛନ୍ତି । ସେପଟେ କଂଗ୍ରେସର ଶୋଚନୀୟ ସ୍ଥିତିକୁ ନେଇ ବିବାଦ ପରେ ରାଜ୍ୟ କଂଗ୍ରେସ ପ୍ରଭାରୀ ପିସି ଚାକୋ ପଦରୁ ଇସ୍ତଫା ଦେଇଛନ୍ତି ।

ତୃତୀୟ ଥର ପାଇଁ ଆମ ଆଦମୀ ପାର୍ଟି ଦିଲ୍ଲୀ ସିଂହାସନ ଦଖଲ କରିବା ପରେ ସରଗରମ ହୋଇଛି ରାଜନୀତି । ପରାଜିତ ହୋଇଥିବା ବିଜେପି ଓ କଂଗ୍ରେସ ଶିବିରରେ ଜାରି ରହିଛି ମାନସ ମନ୍ଥନ । ଆସନ୍ତା ୧୬ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ କେଜରିୱାଲ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ବିରୋଧୀ ଖୋଜୁଛନ୍ତି ପରାଜୟର କାରଣ । ଦଳର ପ୍ରଦର୍ଶନକୁ ସ୍ୱୀକାର କରିପାରୁନଥିବା ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ମନୋଜ ତିୱାରୀ ପଦରୁ ଇସ୍ତଫା ଦେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଜଣାଇଥିଲେ ବି ପଦରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।   

ବୁଧବାର ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ହୋଇଥିବା ବୈଠକରେ ଦିଲ୍ଲୀରେ ଦଳର ସ୍ଥିତି ଉପରେ ଆଲୋଚନା ହୋଇଛି । ଦିଲ୍ଲୀରେ ୨୦୨୦ ଓ ୨୦୧୫ ନିର୍ବାଚନରେ ଗୋଟିଏ ବି ଆସନ ନ ମିଳିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଉପରେ ଦୋଷ ଲଦିଛନ୍ତି ପିସି ଚାକୋ । ଦଳର ପରାଜୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ରାଜ୍ୟ କଂଗ୍ରେସ ପ୍ରଭାରୀ ପଦରୁ ସେ ଇସ୍ତଫା ଦେଇଛନ୍ତି । ଦଳର ପରଜୟର କାରଣ ନ ଖୋଜି ବିଜେପିର ପରାଜୟରେ ଖୁସି ହେଉଥିବା କଂଗ୍ରେସ ନେତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ । ସେପଟେ ଲୋକସମ୍ପର୍କ ଅଭାବରୁ ଦଳର ସ୍ଥିତି ଶୋଚନୀୟ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ ସିବ୍ବଲ କହିଛନ୍ତି ।

୨୦୧୫ ନିର୍ବାଚନ ପରି ୨୦୨୦ ନିର୍ବାଚନରେ ମଧ୍ୟ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦଳକୁ ଟାର୍ଗେଟ କରିଛି ପୂର୍ବତନ ସହଯୋଗୀ ଦଳ ଶିବସେନା । ଦିଲ୍ଲୀରେ ମୋଦି ଶାହଙ୍କ ରଣନୀତି ଫେଲ ମାରିଥିବା ଶିବସେନା ମୁଖପତ୍ର ସାମ୍ନାରେ ପ୍ରକାଶ ପାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ବିଜେପି ଶକ୍ତିକୁ ପରାସ୍ତ କରଥିବାବେଳେ ଏଣିକି ଦିଲ୍ଲୀ ମୁମ୍ବାଇରେ ଆପ ଶିବସେନା ସରକାର ଚାଲିବ ବୋଲି ଏକ ଆଲେଖ୍ୟରେ ପ୍ରକାଶ ପାଇଛି । ବିଜୟ ଉତ୍ସବ ପାଳନ ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆପ । ବିଜୟୀ ଘୋଷଣା ହେବା ପରେ କେଜରିୱାଲ ହନୁମାନ ମନ୍ଦିର ଯାଇ ଦଳର ବିଜୟକୁ ସମର୍ପଣ କରିଥିଲେ । ପୂର୍ବରୁ ଗତ ୮ ତାରିଖରେ ନିର୍ବାଚନ ପୂର୍ବରୁ ମଧ୍ୟ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ । ଏହାକୁ ନେଇ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ କୈଳାଶ ବିଜୟବର୍ଗୀୟ କେଜରିୱାଲଙ୍କୁ ରାଜ୍ୟର ସ୍କୁଲ ଓ ମଦରସାରେ ହନୁମାନ ଚାଳିସା ପାଠ କରିବାକୁ ପରାମର୍ଶ ଦେଇଛନ୍ତି । କୈଳାଶଙ୍କ ପରମର୍ଶକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆପ ନେତା ।