ଉତର ଖୋର୍ଦ୍ଧା ପଲ୍ଲୀ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ଦର୍ଶକ
Advertisement

ଉତର ଖୋର୍ଦ୍ଧା ପଲ୍ଲୀ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ଦର୍ଶକ

ଶୁକ୍ରବାର ଥିଲା ଉତର ଖୋର୍ଦ୍ଧା ପଲ୍ଲୀ ମହୋତ୍ସବର ୩ୟ ସନ୍ଧ୍ୟା  । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୂର୍ଯ୍ୟ ନାରାୟଣ ମହାନ୍ତି,ଖୋର୍ଦ୍ଧା: ଉତ୍ସବ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ । ଲୁକାୟିତ କଳାକାର ଓ ସେମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଆଭିମୁଖ୍ୟ ନେଇ ଖୋର୍ଦ୍ଧା ନିକଟ ବିଙ୍କୁଡ଼ିଆ ଠାରେ ଆରମ୍ଭ ହୋଇଛି ପ୍ରଥମ ଉତର ଖୋର୍ଦ୍ଧା ପଲ୍ଲୀ ମହୋତ୍ସବ । ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ଙ୍କ ପର୍ଯ୍ୟନ୍ତ ସଭିଁଏ ମଜା ଉଠାଉଥିଲେ ଉତ୍ସବର । ଏହା ସାଙ୍ଗକୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥିଲେ ।

ଶୁକ୍ରବାର ଥିଲା ଉତର ଖୋର୍ଦ୍ଧା ପଲ୍ଲୀ ମହୋତ୍ସବର ୩ୟ ସନ୍ଧ୍ୟା  । ପ୍ରାରମ୍ଭିକ ସନ୍ଧ୍ୟାର କାର୍ଯ୍ୟକ୍ରମରେ ପାଇକ ଆଖଡ଼ା ସମରକଳା ଓ ବିଭିନ୍ନ ସ୍କୁଲରୁ ଆସିଥିବା କଳାକାରଙ୍କ ଦେଶାତ୍ମବୋଧକ ନୃତ୍ୟରେ ପ୍ରକମ୍ପିତ ହୋଇପଡ଼ିଥିଲା ମହୋତ୍ସବ ପଡ଼ିଆ । ରାତି ବଢ଼ିବା ସାଙ୍ଗକୁ ଦର୍ଶକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଦଳ ଦ୍ୱାରା ପରିବେଶିତ ଅଭିନୟରେ ମଞ୍ଚ ଦୁଲୁକୁଥିଲା । ଉତର ଖୋର୍ଦ୍ଧା ତଥା ଏହାର ଆଖପାଖ ଅଞ୍ଚଳର ଦର୍ଶକମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । 

ରାତି ବଢିବା ସାଙ୍ଗକୁ ଗୋଟିଏ ପରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମର ପସରା ଖୋଲିଥିଲା ଉତ୍ସବ ମଞ୍ଚରେ ।  ତେବେ ପ୍ରଥମ କରି ଆରମ୍ଭ ହୋଇଥିବା ଏହି ମହୋତ୍ସବ ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇଛି । ଏହିସହ ଗ୍ରାମାଞ୍ଚଳରେ ଥିବା ଲୁକାୟିତ ପ୍ରତିଭାଙ୍କୁ ଉତ୍ସବ ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରକୃଷ୍ଠ ମାଧ୍ୟମ ବୋଲି ଆୟୋଜକ କହିଛନ୍ତି । ୩ୟ ସନ୍ଧ୍ୟାରେ ଅତିଥି ଭାବେ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ସାମନ୍ତରାୟ ଓ ସ୍ଥାନୀୟ ସରପଞ୍ଚ ବିଜୟ ଦାସ ପ୍ରମ୍ମୁଖ ଯୋଗଦେଇଥିଲେ ।

ମହୋତ୍ସବ ମାଧ୍ୟମରେ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିବା ଏଭଳି ଉତ୍ସବକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି । 

ଆହୁରି ପଢ଼ନ୍ତୁ; ଲଗାତାର ୧୪ ଦିନ ହେଲା କମୁଛି ତୈଳ ଦର