ଜାଣନ୍ତୁ ମୋଦିଙ୍କ ସୁରକ୍ଷା ବଳୟ କେତେ ମଜଭୁତ ଓ ସେ କେଉଁ କାର ବ୍ୟବହାର କରନ୍ତି

ମୋଦି ଦୁନିଆର ସବୁଠାରୁ ଆଧୁନିକ ଓ କଡ଼ା ସୁରକ୍ଷା ଘେରରେ ରହୁଛନ୍ତି । ତାଙ୍କ ସୁରକ୍ଷା ଭାର SPG ଅର୍ଥାତ୍ ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍ ହାତରେ ରହିଛି

ଜାଣନ୍ତୁ ମୋଦିଙ୍କ ସୁରକ୍ଷା ବଳୟ କେତେ ମଜଭୁତ ଓ  ସେ କେଉଁ କାର ବ୍ୟବହାର କରନ୍ତି
file photo

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: କୌଣସି ରାଷ୍ଟ୍ରର ରାଷ୍ଟ୍ରାଧ୍ୟକ୍ଷଙ୍କ ସୁରକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ । ଆଉ ସବୁବେଳେ ଶତ୍ରୁଙ୍କ ଟାର୍ଗେଟରେ ରାଷ୍ଟାଧ୍ୟକ୍ଷମାନ ଥାଆନ୍ତି । କହିବାକୁ ଗଲେ ଦେଶର ମୁଖିଆଙ୍କ ଜୀବନ ସବୁବେଳେ ବିପଦରେ ଥାଏ । ତେଣୁ ରାଷ୍ଟ୍ରକୁ ଚଳାଉଥିବା ବା ରାଷ୍ଟ୍ରର ମୁଖ୍ୟଙ୍କୁ ସବୁଠାରୁ ଅଧିକ ସୁରକ୍ଷା ଦିଆଯାଏ । ସୁରକ୍ଷାରେ ଟିକିଏ ଅବହେଳା ହେଲେ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ । ଆଉ ସୁରକ୍ଷା ଅଭାବରୁ ଆମ ଦେଶ ଦୁଇ ଦୁଇଟି ଶକ୍ତିଶାଳୀ ନେତାଙ୍କୁ ହରାଇସାରିଛି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଇନ୍ଦିରା ଗାନ୍ଧି ଆଉ ଜଣେ ହେଲେ ରାଜୀବ ଗାନ୍ଧି । ଉଭୟ ପ୍ରଧାନମନ୍ତ୍ରୀ ଥିବାବେଳେ ହତ୍ୟାର ଶିକାର ହୋଇଛନ୍ତି । 

ତେଣୁ ସୁରକ୍ଷାକୁ ନେଇ ସବୁଠାରୁ ବଡ଼ ବିପଦ ଥାଏ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପରେ । କାରଣ ଏହି ଦୁଇଜଣ ହେଉଛନ୍ତି କୌଣସି ବି ଦେଶର ସବୁଠାରୁ ପାୱାରଫୁଲ ବ୍ୟକ୍ତି । ତେବେ ଜାଣନ୍ତୁ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ କିପରି ସୁରକ୍ଷା ଦିଆଯାଉଛି । ମୋଦିଙ୍କ ସୁରକ୍ଷା ଭାର ରହିଛି SPG ହାତରେ । ନୂଆ ନିୟମ ମୁତାବକ ଏଣିକି SPG କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କୁ ହିଁ ସୁରକ୍ଷା ଯୋଗାଇବ । PM ମୋଦିଙ୍କ ସୁରକ୍ଷା ଚକ୍ର ଏତେ ଅଭେଦ ଯେ, ପକ୍ଷୀ ବି ପର ମାରିବା ଅସମ୍ଭବ । ମୋଦି ଦୁନିଆର ସବୁଠାରୁ ଆଧୁନିକ ଓ କଡ଼ା ସୁରକ୍ଷା ଘେରରେ ରହୁଛନ୍ତି । ତାଙ୍କ ସୁରକ୍ଷା ଭାର SPG ଅର୍ଥାତ୍ ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍ ହାତରେ ରହିଛି । SPGର ତେଜ୍ ଓ ଚପଲ୍ କମାଣ୍ଡୋ ସବୁବେଳେ PM ମୋଦିଙ୍କ ସୁରକ୍ଷା କବଚ ସାଜି ରହୁଥିବା ଦେଖିବାକୁ ମିଳେ ।

PM ଆବାସ ବାହାରେ ବି SPG ଘେରବନ୍ଦୀ ବନାଇ ରଖେ । ଆଉ ଆକ୍ରମଣ ହେଲେ, ସେହି ସ୍ଥିତିରେ ତାଙ୍କୁ ସୁରକ୍ଷିତ ଭାବେ ବାହାର କରିନେବା ଓ ଆକ୍ରମଣକୁ ବିଫଳ କରିବାକୁ ସେମାନେ ସର୍ବଦା ପ୍ରସ୍ତୁତ ଥାଆନ୍ତି । SPG କମାଣ୍ଡୋ ଗରମ ଦିନେ ସଫାରୀ ସୁଟ୍ ଓ ଶୀତ ଦିନେ ନର୍ମାଲ୍ ସୁଟ୍ ପିନ୍ଧିଥାନ୍ତି। ଆଉ ତାଙ୍କ ପାଖରେ ସିକ୍ରେଟ୍ ୱେପନ୍ ମଧ୍ୟ ଥାଏ।

SPG ର ଗଠନ ୧୯୮୮ ମସିହାରେ ହୋଇଥିଲା । SPG କମାଣ୍ଡୋଙ୍କ ନିକଟରେ ଅତ୍ୟାଧୁନିକ P-90 ଅଟୋମେଟେଡ୍ ଗନ୍ ରହିଛି । ସୁଟ୍ ଭିତରେ SPG ଯବାନ ବୁଲେଟପ୍ରୁଫ୍ ଜ୍ୟାକେଟ୍ ବି ପିନ୍ଧିଥାନ୍ତି । PMଙ୍କ ସୁରକ୍ଷା ଘେରର ୨ୟ ଲେୟରରେ SPGର ସ୍ପେଶାଲ୍ କମାଣ୍ଡୋ ରହିଥାନ୍ତି । ଯେଉଁମାନେ PMଙ୍କ ପ୍ରତିଟି ମୁଭମେଣ୍ଟ ଓ ସନ୍ଦିଗ୍ଧଙ୍କ ଉପରେ ନଜର ରଖନ୍ତି ।

PMଙ୍କ ସହ ଉପସ୍ଥିତ SPG ଯବାନ ହାତରେ ସବୁବେଳେ କଳା ବ୍ରିଫକେସ୍ ଧରି ଚାଲନ୍ତି । ସେହି କଳା ବ୍ରିଫକେସ ପୋର୍ଟେବୁଲ୍ ବୁଲେଟପ୍ରୁଫରେ ସିଲ୍ ହୋଇଥାଏ । ଯାହା ସମ୍ପୂର୍ଣ୍ଣ ଭାବେ ଖୋଲିଯାଏ । ଜରୁରୀକାଳୀନ ସ୍ଥିତିରେ କମାଣ୍ଡୋ PMଙ୍କୁ ଏହା ମାଧ୍ୟମରେ କଭର୍ କରିବାର ସୁବିଧା ରହିଛି । PMଙ୍କର ଯେଉଁଠିକୁ ବି ଯିବାର କାର୍ଯ୍ୟକ୍ରମ ହୁଏ, SPG ଟିମ୍ ପ୍ରଥମେ ସେଠାକୁ ଯାଇ ପୂରା ଇଲାକାକୁ ଯାଞ୍ଚ କରିଠାଏ । ସିକ୍ୟୁରିଟି କ୍ଲିୟରାନ୍ସ ପରେ ଯାଇ PMଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ ।

PM ମୋଦିଙ୍କ ସୁରକ୍ଷା ପ୍ରସଙ୍ଗରେ ତାଙ୍କ କାର ବି ଗୁରୁତ୍ୱପୂର୍ଣ୍ଣ । ଏହି କାର ସଡ଼କରେ ଯିବାବେଳେ କୌଣସି ଏକ ବନ୍ଦ ଓ ସୁରକ୍ଷିତ ଘରଠାରୁ କମ୍ ନୁହେଁ । ଏଥିରେ ନିଆଁ, ପାଣି, ଗୋଳାବାରୁଦ ଓ ବାରୁଦ ସୁଡ଼ଙ୍ଗ ସହ ଲଢ଼ିବାକୁ ପର୍ଯ୍ୟାପ୍ତ ସୁବିଧା ରହିଛି । ଗ୍ୟାସ୍ ଆଟାକରୁ ମଧ୍ୟ ଏହି କାର୍ ଆରାମରେ ବର୍ତ୍ତିପାରିବ । ଏଥିରେ ସେଲ୍ଫ ସିଲିଂ ଫୁଏଲ୍ ଟ୍ୟାଙ୍କ ରହିଛି । ଯାହା କୌଣସି ପରିସ୍ଥିତିରେ ବି ବିସ୍ଫୋରଣ ହେବନାହିଁ । ବାରୁଦ ସୁଡ଼ଙ୍ଗ ଓ ବୋମାକୁ ପ୍ରତିହତ କରିବାର ଶକ୍ତି ରହିଛି କାର୍ ତଳେ ଲାଗିଥିବା ଆର୍ମର୍ ପ୍ଲେଟ୍ସର । କାରରେ ଏମରଜେନ୍ସି ଏକ୍ଜିଟ୍ ମଧ୍ୟ ରହିଛି ଓ କାରର ସବୁ କାଚ ବୁଲେଟପ୍ରୁଫ୍ ମଧ୍ୟ ।

ଆକାଶ ମାର୍ଗରେ ବି PM ମୋଦି ଏକଦମ ସୁରକ୍ଷିତ । ସେ ଏୟାର୍ ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଯାତ୍ରା କରନ୍ତି । ଏହି ବିମାନରେ ଖାସ୍ ଉପକରଣ ଖଚିତ ରହିଛି, ଯାହା କୌଣସି ପ୍ରକାରର ମିସାଇଲ୍ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ । PMଙ୍କ ବିମାନ ଯେତେବେଳେ ଉଡ଼ାଣ ଭରେ । ସେହି ସମୟରେ କିଛି ମିନିଟ୍ ପାଇଁ ସାରା ଇଲାକାକୁ ନୋ ଫ୍ଲାଇଂ ଜୋନ୍ ବନାଇ ଦିଆଯାଏ । PMଙ୍କ ବିମାନରେ ମଧ୍ୟ ତାଙ୍କର SPG ଗାର୍ଡ ରହିଥାନ୍ତି।

PMଙ୍କ ବିମାନ ଏୟାର୍ ଇଣ୍ଡିଆ ୱାନରେ ରାଡାର ବର୍ଣ୍ଣିଂ ସିଷ୍ଟମ୍ ଓ ମିସାଇଲ୍ ଆପ୍ରୋଚ୍ ବର୍ଣ୍ଣିଂ ଉପକରଣ ଲାଗିଛି । ଖୁବଶୀଘ୍ର ଏୟାର ଇଣ୍ଡିଆରେ ୨ଟି ବୋଇଂ 777 ବିମାନ ସାମିଲ ହେବାକୁ ଯାଉଛି । ସେହି ବିମାନର ଖାସିୟତ୍ ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ୍ ଭଳି ହେବ । କୁହାଯାଉଛି ଯେ, ଜୁଲାଇ ୨୦୨୦ ସୁଦ୍ଧା ଦୁଇଟିଯାକ ବୋଇଂ 777 ଭାରତ ଆସିଯିବ । 

ଏହି ବିମାନର ସବୁଠାରୁ ବଡ଼ ଖାସିୟତ୍ ହେବ । ବୋଇଂ 777 ବିମାନ ଘାତକ ମିସାଇଲ ଖଚିତ ହେବ । ଆଉ ଆଖି ପକାଇ ଉଠାଇବା ବେଳକୁ ଆକାଶରେ ଶତ୍ରୁପକ୍ଷର ସବୁଚାଲକୁ ଧ୍ୱସ୍ତ କରିଦେବ ।  ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କୁ ଆକାଶ ମାର୍ଗରେ ବି କେହି କିଛି କରିପାରିବେ ନାହିଁ । ଏହି ବିମାନ ଆକାଶ ମାର୍ଗରେ ଶତ୍ରୁଙ୍କୁ ଜବାବ ଦେବାରେ ମଧ୍ୟ ସକ୍ଷମ ହେବ । ଏଥିସହ ସେଥିରେ ରହିବ ଆହୁରି ଅନେକ ଅତ୍ୟାଧୁନିକ ଟେକ୍ନୋଲଜି