)
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେବ ରେଳ ସେବା । ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ନିର୍ଦ୍ଧାରିତ ରୁଟରେ ରେଳ ସେବା ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ ବିଭିନ୍ନ ରୁଟରେ ଚାଲିବ । ତେବେ ଏନେଇ ରେଳ ବିଭାଗ ପକ୍ଷରୁ କିଛି ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଆପଣ ଯଦି ରେଳ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଏସବୁ ଭଲ ଭାବେ ଜାଣିନିଅନ୍ତୁ ।
ଟିକେଟ କାଉଣ୍ଟରରେ ନୁହେଁ, ଅନଲାଇନରେ ହିଁ ଟିକେଟ କରିବାକୁ ପଡ଼ିବ । ଟିକେଟ କାଉଣ୍ଟର ବନ୍ଦ ରହିବ । ସେହିପରି ଆପଣଙ୍କୁ ଟ୍ରେନ ଛାଡ଼ିବାର ଅନ୍ତତଃ ଘଣ୍ଟାଏ ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ହେବ । ଷ୍ଟେସନରେ ଆପଣଙ୍କ ମେଡ଼ିକାଲ ଜାଞ୍ଚ, କୋରୋନା ଭାଇରସ୍ ସହ ସମ୍ପର୍କିତ ଅନ୍ୟ ପ୍ରୋଟୋକଲ, ମାସ୍କ ଇତ୍ୟାଦି ଅନିବାର୍ଯ୍ୟ ଅଟେ । ସେହିପରି ଆପଣ ଆରୋଗ୍ୟ ସେତୁ ଆପ୍ ମଧ୍ୟ ଡାଉନଲୋଡ କରିଥିବା ଦରକାର । ଷ୍ଟେସନ ଭିତରକୁ କେବଳ ବୈଧ ଟିକେଟ ଥିବା ଯାତ୍ରୀଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିବ । ସେହିପରି ଟ୍ରେନ ଗୁଡ଼ିକ ଅତି କମ୍ ଷ୍ଟେସନରେ ହିଁ ରହିବ ।
ସେହିପରି କୋରୋନା ସଂକ୍ରମଣକୁ ଆଖିଆଗରେ ରଖି ଆପଣଙ୍କୁ କମ୍ବଳ, ଚାଦର, ତକିଆ ଇତ୍ୟାଦି ମିଳିବ ନାହିଁ । କେବଳ ଏତିକି ନୁହେଁ, ଏସି ଚଲାଇବା ପାଇଁ ମଧ୍ୟ ବିଶେଷ ନିୟମ ରହିଛି । ତାପମାତ୍ରା ସାମାନ୍ୟ ଦିନଠୁ ଟିକେ ଅଧିକ ରହିବ । ସେହିପରି ବଗି ଭିତରକୁ ଖୋଲା ପବନ ପ୍ରବେଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିପରି ରେଳ ଭଡ଼ା ସୁପର ଫାଷ୍ଟ ସହ ସମାନ ରହିବ ।
ଅନ୍ୟପଟେ ଟ୍ରେନ ଡବାର ସମସ୍ତ ୭୨ ସିଟ ପାଇଁ ଟିକେଟ ବୁକିଂ ହେବ । ଆଜି ଅପରାହ୍ନ ୪ଟାରୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହେବ । ହେଲେ ପୂର୍ବରୁ ଚାଲୁଥିବା ଶ୍ରମିକ ସ୍ପେଶାଲ ଟ୍ରେନର ଗୋଟିଏ ବଗିରେ କେବଳ ୫୪ ଜଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ରହିଛି ।