ଭାଗବତୀ ଟୁଙ୍ଗୀ କ'ଣ? ଜାଣନ୍ତୁ କେବେ ଓ କେଉଁଠୁ ଆରମ୍ଭ ହୋଇଥିଲା...

ଓଡ଼ିଆ ଭାଗବତ ରଚନା ହେବା ପୁର୍ବରୁ ଭାଗବତ ଟୁଙ୍ଗୀର ପରିକଳ୍ପନା କରି ନ ଥିଲେ ଅତିବଡ଼ି

ଭାଗବତୀ ଟୁଙ୍ଗୀ କ'ଣ? ଜାଣନ୍ତୁ କେବେ ଓ କେଉଁଠୁ ଆରମ୍ଭ ହୋଇଥିଲା...
ଭାଗବତୀ ଟୁଙ୍ଗୀ କ'ଣ?

ଗାୟତ୍ରୀ ଚକ୍ରବର୍ତ୍ତୀ, ଭୁବନେଶ୍ୱର: ଭାଗବତ ଟୁଙ୍ଗୀ... ଏ ହେଉଛି ଏକ ଅନନ୍ୟ ପରମ୍ପରା, ଯାହାକୁ ପ୍ରତିଷ୍ଠା କରିଥିଲେ ଅନ୍ୟତମ ପଞ୍ଚସଖା କବି ଅତିବଡ଼ି ଜଗନ୍ନାଥ ଦାସ । କୁହାଯାଏ ଓଡ଼ିଆ ଭାଗବତ ରଚନା ହେବା ପୁର୍ବରୁ ଭାଗବତ ଟୁଙ୍ଗୀର ପରିକଳ୍ପନା କରି ନ ଥିଲେ ଅତିବଡ଼ି । ଐତିହାସିକ କିମ୍ବଦନ୍ତୀ ଅନୁଯାୟୀ ଅତିବଡ଼ିଙ୍କ ମା' ପ୍ରତିଦିନ ଶ୍ରୀମନ୍ଦିର ବଟବୃକ୍ଷ ତଳେ ବସି ବ୍ୟାସଦେବଙ୍କ ସଂସ୍କୃତ ଭାଗବତ ଶୁଣନ୍ତି । ମାତ୍ର ଭାଷା ବୁଝିବା ମାତାଙ୍କ ଲାଗି କଷ୍ଟକର ହୋଇ ପଡିଥିଲା । ସେଥିପାଇଁ ପୁଅକୁ ସରଳ ଭାବେ ବୁଝାଇବାକୁ କହିଥିଲେ ।ଏଣୁ ମାଆଙ୍କ ଲାଗି ଓଡ଼ିଆ ଭାଗବତ ରଚନା କରିଥିଲେ ଅତିବଡି । ଯାହା ବୁଝିବା ପାଇଁ ଅତି ସହଜ ହୋଇଥିଲା । ସେହିଦିନ ଠାରୁ ଓଡ଼ିଆ ଭାଗବତ ଓଡିଶାରେ ବେଶ୍ ଆଦୃତ ହୋଇଥିଲା । ଅତିବଡିଙ୍କ ସରଳ ଭାଷା ବୁଝିବାକୁ ଆଉ କଷ୍ଟ ହେଲାନାହିଁ । ତତ୍କାଳୀନ ଗଜପତିଙ୍କ ରାଣୀ ହଂସପୁରୀ କୁହାଯାଉଥିବା ଓଡ଼ିଆ ମଠରେ ରହି ଜଗନ୍ନାଥ ଦାସ ସାଧନା କଲେ । ସେଇଠି ଭାଗବତ ରଚନା କରିବା ସହ ଶ୍ରୀମନ୍ଦିର କଳ୍ପବଟ ବୃକ୍ଷ ତଳେ ବସି ଦୈନିକ ଓଡ଼ିଆ ଭାଗବତ ବୋଲିଲେ । ଧୀରେ ଧୀରେ ଜଗନ୍ନାଥ ଦାସଙ୍କ ନିକଟରେ ଶିଷ୍ୟଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଲା । ରାଣୀ ହଂସପୁରୀରେ ଅବସ୍ଥାନ କରିବା ସହ ପ୍ରତିଷ୍ଠା କଲେ ଭାଗବତ ଟୁଙ୍ଗୀ । ଦୈନିକ ସକାଳେ ଓ ସନ୍ଧ୍ୟାରେ ସାଧୁସନ୍ଥ, ଗୁଣିଜ୍ଞାନୀଙ୍କୁ ନେଇ ଭାଗବତ ପରାୟଣ ଚାଲିଲା । ରାଧାରାଣୀ ଓ ରସିକରାଜଙ୍କୁ ସେ ପୂଜା କରୁଥିଲେ । ତାଙ୍କର ସ୍ୱରଚିତ ଭାଗବତ ପୋଥି ଏବେ ବି ଓଡ଼ିଆ ମଠରେ ରହିଛି ।

 ମହାପ୍ରଭୁଙ୍କ ସହ ଅତିବଡ଼ିଙ୍କର ଥିଲା ଦିବ୍ୟ ସଂପର୍କ । ବିଭିନ୍ନ ସମୟରେ ମହାପ୍ରଭୁଙ୍କ ମନର କଥା ଜଗନ୍ନାଥ ଦାସ ବୁଝି ପାରୁଥିଲେ, ଯାହା ତତ୍କାଳୀନ ଗଜପତିଙ୍କୁ ବୁଝିବାରେ ଅସୁବିଧା ହେଉନଥିଲା । ଶ୍ରୀଚୈତନ୍ୟ ମହାପ୍ରଭୁ ପୁରୀ ଆସିବା ସମୟରେ ଗଜପତି ମହାରାଜ ପ୍ରତାପରୁଦ୍ର ଦେବ ତାଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ମାତ୍ର ରାଣୀମାଆଙ୍କୁ ଜଗନ୍ନାଥ ଦାସ ଦୀକ୍ଷା ଦେବା ଯୋଗୁଁ ଗଜପତିଙ୍କ ସହ ବିବାଦ ଉପୁଜିଥିଲା । ଯାହାକୁ ନେଇ ଜଗନ୍ନାଥ ଦାସଙ୍କୁ ରାଣିହଂସପୁର ଛାଡିବାକୁ ପଡିଥିଲା ।ଏହି ସମୟରେ ରାଜାଙ୍କ ନିକଟରେ ତାଙ୍କର ପୁରୁଷତ୍ତ୍ୱକୁ ନେଇ ଅନେକ ପରୀକ୍ଷା ଦେବାକୁ ପଡିଥିଲା । କିନ୍ତୁ ଓଡ଼ିଶୀ ବୈଷ୍ଣବ ପରମ୍ପରାର ମୂଳପୀଠ ରାଣୀହଂସପୁରୀ ଓଡ଼ିଆ ମଠର ପ୍ରତିଷ୍ଠା କରିଥିଲେ ଜଗନ୍ନାଥ ଦାସ । ଏଠାରେ ତାଙ୍କର ଗାଦି ଗୋଷାଇଁ ପୂଜା ପାଉଛନ୍ତି । ହେଲେ ଜଗନ୍ନାଥ ଦାସଙ୍କ ସମୟରୁ ପ୍ରତିଷ୍ଠା ହୋଇଥିବା ଭାଗବତ ଟୁଙ୍ଗୀରେ ଏବେ ବି ଭାଗବତ ପରାୟଣ ଚାଲିଛି ।

ରାଣୀହଂସପୁର ଛାଡ଼ିବା ପରେ ସାତଲହଡ଼ି ମଠରେ ସାଧନା କରିଥିଲେ ଅତିବଡ଼ି । ଗଜପତି ମହାରାଜ ତାଙ୍କୁ ଅତିବଡ଼ି ଉପାଧି ଦେବା ସହ ରାଣୀହଂସପୁର ପ୍ରଦାନ କରିଥିଲେ ମଧ୍ୟ ଏକାନ୍ତରେ ରହିବାକୁ ଇଚ୍ଛା କରି ପଳାଇ ଆସିଥିଲେ ଜଗନ୍ନାଥ ଦାସ । ସାତଲହଡ଼ି ମଠରେ ସାଧନା କରି ଓଡ଼ିଆ ଭାଗବତର ଅବଶିଷ୍ଟାଂଶକୁ ସମ୍ପୂର୍ଣ୍ଣ କରିଥିଲେ । ସେଠାରେ ସେ ସମାଧି ହୋଇଥିଲେ । ସାତଲହଡି ମଠରେ ସେ ତାଙ୍କର ଅନେକ ସ୍ମୃତି ଛାଡିଯାଇଛନ୍ତି । କିନ୍ତୁ ଏବେବି ସେଠାରେ ଚାଲିଛି ଭାଗବତ ପାରାୟଣ ।

ଜଗନ୍ନାଥ ଦାସଙ୍କ ମହିମା ମଧ୍ୟ ଅପାର । ତାଙ୍କର ପ୍ରତିମୂର୍ତ୍ତିରେ କେଉଁଠି ସେ ସପ୍ତଭୂଜ ତ ଆଉ କେଉଁଠି ଅଷ୍ଟଭୂଜ ଥିବା ଦେଖିବାକୁ ମିଳିଛି । ଓଡ଼ିଆ ମଠରେ ଏଭଳି ପ୍ରତିମୂର୍ତ୍ତି ପୂଜା ପାଉଥିବା ନଜରକୁ ଆସିଛି । ବିଭିନ୍ନ ସମୟରେ ସେ ବିଭିନ୍ନ ରୂପ ଧାରଣ କରନ୍ତି । ଏମିତିକି ରାଣୀ ମା'ଙ୍କ ସହ ସମ୍ପର୍କ ଥିବା ସନ୍ଦେହରେ ଗଜପତି ତାଙ୍କୁ ଅନେକ ଥର ପରୀକ୍ଷା କରିଛନ୍ତି । ଯେଉଁଥିରେ ସେ ଜଣେ ନାରୀ ବୋଲି ଗଜପତି ଜାଣିବାକୁ ପାଇଥିଲେ । ତେବେ ଅତିବଡି ୧୪୯୦ଖ୍ରୀଷ୍ଟାବ୍ଦ ରାଧାଷ୍ଟମୀରେ ଜନ୍ମଗ୍ରହଣ କରିଥିବା କୁହାଯାଇଛି ।